Unknown

 

 

 

 

 

 

 

 

 

 

 

ବନ ଝରଣା

ଶ୍ରୀ ନରସିଂହ ସାହୁ

 

ବାଣୀ-ସାଧକ,

 

ଶ୍ରୀଯୁକ୍ତ ରାଜକିଶୋର ପଟ୍ଟନାୟକ ଏମ୍‍.ଏ.ବି.ଏଲ୍‍.

ଉଦାର ହୃଦୟେଷୁ

 

ଫଗୁଣର ସଞ୍ଜ ମଳୟ ପହିଲେ ଆସି ଆପଣଙ୍କ ଘର ସଙ୍ଖୋଳି ଯାଏ, ଆଷାଢ଼ ଆକାଶର ଭରା ଛାତି ପହିଲେ ମଥା ନୁଆଁଏ ଆପଣଙ୍କ ପଣସଗଛ ଉପରେ, ଆଉ ପାହାଡ଼ ଜଙ୍ଗଲର ଗୋଳିପାଣି ନଈର ପେଟ ପୂରେଇ ଛାତି ପୂରେଇ ଚାଲ ଛଳ ଛଳ କଳ କଳ ହେଇ ପହିଲେ ଆସି ଧୋଇଦିଏ ଆପଣଙ୍କର ପଥର ପାହାଚର ପାଦ । ଆପଣଙ୍କୁ କରେ କବି, ପ୍ରେମିକ, ରସିକ, ଭାବୁକ କଳାକାର । ଏଇଥିଲା ମୋର ଧାରଣା, ତେଣୁ ଆପଣଙ୍କୁ ପ୍ରଣାମ କରିବା ପୂର୍ବରୁ ମୁଁ ଆଗେ ପ୍ରଣାମ କରୁଥିଲି ଯାହାଙ୍କୁ ସିଏ ସ୍ୱର୍ଗୀୟ ଶ୍ରୀବତ୍ସ ପଟ୍ଟନାୟକ ଆପଣଙ୍କର ଜନକ ।

 

ଆଜି ସବୁ ଓଲଟ ପାଲଟ ହୋଇଯାଇଛି । ନଈ, ଝରଣା, ମେଘ, ମଳୟ ମଣିଷକୁ ବିଭୋର କରେ, ପାଗଳ କରି ପାରେନା । ଆଉ କବି ହେବାତ ଯାଇଁ କାହିଁ କୋଉ ଗହନର । ବାରବରଷର କିଶୋରୀ କାଳିକା ଭଳି କାଠଯୋଡ଼ି ଆପଣଙ୍କ ଜୀବନରେ ଆସିଛି । କିନ୍ତୁ, ତା' ଆପଣଙ୍କୁ ଉନ୍ମାଦ କରି ନାଇଁ । ଉନ୍ମାଦ କରିଛି ଯିଏ, ମୁଁ ତା’କୁ ଚିହ୍ନିଛି ! ସିଏ ମଣିଷ ! —ଦୁଃସ୍ଥ ମଣିଷ ! ଦଳିତ ମଣିଷ ! ଅସହାୟ ମଣିଷ ! ମଣିଷ ପାଇଁ ଆପଣଙ୍କର ଏତେ ସ୍ନେହ ? ଏତେ ପ୍ରୀତି ? ଏତେ ଅବାରିତ ଅମୃତର ଧାରା ? 'ଶାନ୍ତି-ନିବାସ-ବାଣୀ-ମନ୍ଦିର' ଆଜି ମଉଳି ଯାଇଛି, କିନ୍ତୁ ଧରା ପକେଇ ଦେଇଛି ଆପଣଙ୍କୁ । ନିଃସ୍ୱ ଦରିଦ୍ର ଲେଖକଙ୍କ ପାଇଁ ଆପଣଙ୍କର କି ବ୍ୟଥା! କି ଗଭୀର ଅନ୍ତର୍ଦାହ !!

 

କୋଡ଼ିଏ ବର୍ଷ ତଳେ 'ନବଭାରତ'ରେ ପଢ଼ିଥିଲେ ଆପଣଙ୍କର ଭଲ ପାଇବାର ଓ ଅଶ୍ରୁ ଝରାଇବାର କେତୋଟି ସାର୍ଥକ ସ୍ୱପ୍ନ । ମୁଁ ଭଲ ପାଇନି । ଖାଲି ନିର୍ବୋଧଙ୍କ ଭଳି ଅଶ୍ରୁ ଝରାଇଛି ବେଳେ ବେଳେ । ସେଇ ଅଶ୍ରୁର ଦୁଇଟି ଧାର ଆପଣଙ୍କ ଆଗରେ ଆଜି ବାଢ଼ି ଦେଉଛି, ଶବରୀ ରାମଚନ୍ଦ୍ରଙ୍କୁ ବଦରିକା ଫଳ ଦେଲା ଭଳି । ନେବେ କି ନାହିଁ ଆପଣଙ୍କ ଇଚ୍ଛା ।

 

କଟକ

ବିନୀତ

୧–୫–୧୯୬୨

—ନରସିଂହ—

Image

 

ତା ନାଁ ଅଞ୍ଜଳି । ଫୁଟନ୍ତା ଫୁଲଟିଏ । ବସନ୍ତର ମଳୟ ସାଥିରେ ନୂଆ କରି ଫୁଟି ଉଠିଛି ଧରାରେ । ହସହସ, ଢଳଢ଼ଳ, ଛନଛନ । ଭରା ଯଉବନ ଢେଉ ଭାଙ୍ଗୁଛି ଦେହସାରା । ନାଲି ଟୁକୁ ଟୁକୁ ଓଠ ଦିଫାଳିରେ ଲାଖି ରହିଛି ହସଟିକକ । ମୁଗ୍ଧ ନୟନରେ ଠାରେ ତା’ଆଡ଼କୁ ଚାହିଁଲି । ସରମବୋଳା ଆଖି ଦୁଇଟିରେ ନରମ ଚାହାଁଣି ହାଣି ଲଜ୍ଜାବତୀ ମଥାରେ ପଣତ ଢାଙ୍କିଲା ।

 

ସେଦିନ ଦେବଗଡ଼ ବାସ୍ ଛାଡ଼ିବାକୁ ଚାରି ଘଣ୍ଟା ଡେରି । ମଟର ଷ୍ଟାଣ୍ଡରେ ବସିବସି ବଡ଼ ବିରକ୍ତ ଲାଗିଲା । ନୂଆକରି କଟକରୁ ବଦଳି ହୋଇ ଦେବଗଡ଼ ଯାଉଥାଏ । ସହଜେ ସମ୍ବଲପୁରରେ ମୋର ସମସ୍ତେ ଅପରିଚିତ । ତା’ ଛଡ଼ା ସମ୍ବଲପୁରର ନୂଆବେଶ, ନୂଆଭାଷା, ନୂଆ ପଣତ ସବୁ ମୋତେ ଆଶ୍ଚର୍ଯ୍ୟ ଲାଗୁଥାଏ । ବିଶେଷତଃ ସମ୍ବଲପୁରର ନାରୀ— ନାରୀର ଶୋଭା, ସୁଷମା, ସୌନ୍ଦର୍ଯ୍ୟ, ପରିପାଟୀ- ମୁଁ କଳ୍ପନା କରି ପାରିଲିନାହିଁ । ମନେ ହେଲା ସରଗର ନନ୍ଦନ କାନନର କୋଟି ଲାବଣ୍ୟମୟୀ ଅପ୍‍ସରୀ ସତେକି ଭ୍ରମଣ କରୁକରୁ ଭ୍ରମରେ ଏ ମାଟି ମରତକୁ ଅପସରି ଆସିଛି ।

 

ନାରୀ ମୁଁ ଦେଖିଛି । ବଙ୍ଗ ତରୁଣୀର ପାଷାଣଚହଲା ରୂପ ଆଉ ଲାବଣ୍ୟରେ ଅଭିଭୂତ ହୋଇଛି ମୁଁ । ତୈଲଙ୍ଗ ଲଳନାରେ ଚଙ୍ଗଚଙ୍ଗ ଆଖି ଆଉ ହସରେ ବହୁବାର ମୋ ଚିତ୍ତ ଚଞ୍ଚଳ ହୋଇଛି । ତାମିଲ କୋଷାର ଖୋସା, ଚମ୍ପାଫୁଲ–ନିନ୍ଦୀ ମୁଖର ଆଭା ଓ ରକ୍ତପଦ୍ମ ଭଳି ଗଣ୍ଡ ଦୁଇଟି ଦେଖି କେତେ ସହସ୍ର ରଜନୀ ମୁଁ ଉନିଦ୍ର କାଟିଛି କହି ହେବନି । ଆଉ ପାରଳାର ନିତମ୍ବନୀ–ଯାର ନବନୀତ କୋମଳ ଅଙ୍ଗ ଆଉ ଅଧରର ସ୍ମିତ ହସ ଟିକିଏ ଦେଖି ସ୍ୱୟଂ ଦେବତା ବି ଲୋଭ ସମ୍ବରଣ କରି ପାରିବେ ନାହିଁ, ମୁଁ ବହୁବାର ଦେଖିଛି, ଆତ୍ମବିସ୍ମୃତ ହୋଇଛି ।

 

କିନ୍ତୁ? କିନ୍ତୁ ଆଜି କ’ଣ ଦେଖୁଛି ? ମନେ ହେଉଛି ଏ ଯେମିତି ଚିତ୍ରାଙ୍ଗଦାର ଦେଶ । ମୁକ୍ତବାୟୁ, ମୁକ୍ତ ଆଲୋକ, ମୁକ୍ତ ଆକାଶ ତଳେ ବନ ପର୍ବତର ଫଳ ଖାଇ, ଝରଣାର ପାଣିପିଇ, ସବୁଜ ପାହାଡ଼ର ଅବୁଝ ବୁକୁ ଉପରେ ହସିଖେଳି ନାଚିକୁଦି ବଢ଼ି ଉଠିଛନ୍ତି ଯେଉଁ କନ୍ୟା, ବଧୂ, କିଶୋରୀ, ବାଳିକା, ସେମାନଙ୍କୁ ମୁଁ ଚାହିଁ ବି ଚାହିଁ ପାରୁନି ।

 

ଜଣେ ରୂପସୀର ଅପରୂପରେ ମୁଗ୍ଧ ହୋଇ ଧାଇଁ ଆସିଥିଲେ । ହସ୍ତୀନାର ତୃତୀୟ ପାଣ୍ଡବ ଧନଞ୍ଜୟ । କିନ୍ତୁ ଆଜି ଯଦି ସେ ହସ୍ତୀନା ତେଜି ଆସନ୍ତେ, ତା’ହେଲେ ତାଙ୍କୁ ଆଉ କାମରୂପ ଯିବାକୁ ପଡ଼ନ୍ତାନି । ଏଇ ଭୂଇଁ ଏଇ ପାହାଡ଼ର ସହସ୍ର ଚିତ୍ରାଙ୍ଗଦା ଦେଖି ସେ ସ୍ତମ୍ଭୀଭୂତ ହୋଇ ରହିଯାନ୍ତେ । କାହାକୁ ବରିବେ କାହାକୁ ତେଜିବେ, ଗୋପର ଗୋପୀନାଥ ଶ୍ରୀକୃଷ୍ଣ ବି ସ୍ଥିର କରି ପାରନ୍ତେ ନାହିଁ, ଫାଲଗୁନି ତ ତୁଚ୍ଛ ! ଏତେ ରୂପ, ଏତେ ସୌନ୍ଦର୍ଯ୍ୟ, ଏତେ ଆଭା, ଶୁଣିଛି ସ୍ଵର୍ଗରେ ରତି, କିନ୍ତୁ ମର୍ତ୍ତ୍ୟରେ କ’ଣ ସମ୍ଭବ ?

 

ମୁଁ ଖାଲି ଭାବୁଥିଲି ଆଉ ଭାବୁଥିଲି । ଅଭିଭୂତ ହେଇ ପଡ଼ିଥିଲି ଏକା ବେଳକେ ପିଣ୍ଡରେ ପ୍ରାଣ ଥିଲା କି ନାହିଁ କେଜାଣି । ହଠାତ୍ କ’ଣ ହେଲା ଚମକି ପଡ଼ି ପଛକୁ ଚାହିଁଲି । ଗୋଟିଏ ତିନି ଚାରି ବରଷର ଛୋଟ ଶିଶୁ କୁଆଡ଼ୁ ଧାଇଁ ଆସି ଟିକିଏ ସଂକୋଚ ନ କରି ମୋ ପିଠିରେ ଏକାବେଳକେ ଲଦି ହୋଇପଡ଼ିଛି ଆଉ ସିଧା ତାର ସେଇ ଗୁଲୁଗୁଲୁ ଦରୋଟି ଭାଷାରେ କହୁଛି ମା, ବାବୁ, ପଚାଲଛେ, ଦେବଗଲ ବସ୍ କେତେବେଳେ ଛାଲ୍‍ବା ।

 

ପଛକୁ ଫେରି ଚାହିଁଲି—ସେଇ ଅନିନ୍ଦ୍ୟ ସୁନ୍ଦରୀ ତରୁଣୀ । ମନରେ ଅସୀମ ଉତ୍କଣ୍ଠା, ମୁଁହରେ ଆଶଙ୍କାର ଢେଉ, ଆଖିରେ ସ୍ୱପ୍ନ । ଅପଲକ ନୟନରେ ଗୋଟିଏ ମୁହୂର୍ତ୍ତ ଚାହିଁଲି । ଚାରିଚକ୍ଷୁ ଏକାଠି ହେଲା । ଲାଜକୁଳୀ ଲତା ଭଳି ଝାଉଁଳି ପଡ଼ିଲା ସେ ସରମରେ । ସେ ମଥା ପୋତିଲା । ମୁଁ ଚାହିଁ ରହିଥାଏ ।

 

ପିଲାଟି କିନ୍ତୁ ନ ଛାଡ଼େ—କ ବାବୁ କେତେବେଳେ ବସ୍ ଛାଲ୍ ବା ?

 

ମୁଁ ମୂକ ହୋଇ ଯାଇଥିଲି କି କ’ଣ, କିଛି ଉତ୍ତର ଦେଇପାରିଲିନାହିଁ । ମନେମନେ ଖାଲି ଭାବିବାକୁ ଲାଗିଲି—ସତେ କ’ଣ ଏ ତାରି ପୁଅ ! ଏଇ ପହିଲି ବସନ୍ତର ମଳୟ ଆସି ହୁଏତ ସେଇ ବାଳିକାଟିକି ପ୍ରସ୍ଫୁଟିତ କରିଛି । ଉଷାରାଣୀର କନକ କିରଣରେ ପାଖୁଡ଼ା ମେଲି ଏଇମାତ୍ର ହସିଉଠିଛି ଫୁଲଟି । ତା’ର କେବେ ସନ୍ତାନ ହୋଇପାରେ ? ନା ନା, ଏ ଏକାବେଳକେ ଅସମ୍ଭବ–କଳ୍ପନାତୀତ । ତା’ ହେଲେ ? ତା’ ହେଲେ କ’ଣ ଦ୍ଵିତୀୟ ପକ୍ଷ, କନିଆ ବୋହୁ ? ବିମାତା ? ହଁ ସେଇଆହିଁ ହବ । ତା’ ନହେଲେ ଏଡ଼େ କଅଁଳ ଛନ ଛନ କିଶୋରୀ କୋଳରେ ଶୋଭା ପାଉ ନଥାନ୍ତା ଏ କଅଁଳ ଶିଶୁଟି । ଛାତି ଅଜଣାତରେ ଭିତରୁ ଉଠିଆସିଲା ଗୋଟିଏ ଦୀର୍ଘଶ୍ୱାସ । ମୁହଁ ବୁଲେଇ ପୁଣି ଥରେ ତା’ ଆଡ଼େ ଚାହିଁଲି ।

 

ସମ୍ବଲପୁରୀ ମେଘମହ୍ଲାର ଶାଢ଼ି ଖଣ୍ଡିଏ ସେ ପିନ୍ଧିଥିଲା । କାନରେ ଝଲ୍ ମଲ୍ କରୁଥିଲା ହଳିଏ ଇୟରିଂ । ଉନ୍ନତ ବକ୍ଷ ଉପରେ ଲୀଳା ରଚୁଥିଲା କେଇସରି ସୁନାହାର । ମଥାରେ ରକ୍ତଗାର ଭଳି ସିନ୍ଦୂର ଗାରଟିଏ । ଗଭାରେ ବଣନିଆଳୀ ଓ ନାଗେଶ୍ୱର ଫୁଲର ଗୁଚ୍ଛ ।

 

ପିଲାଟି ପୁଣି ପଚାରିଲା—ବାବୁ କ...

 

ଆଉ ସ୍ଥିରହୋଇ ବସି ପାରିଲି ନାହିଁ । ଠିଆ ହୋଇ ପିଲାଟିକୁ କୋଳକୁ ନେଲି । ଅଚିହ୍ନା ନ ବାରି ସେ ବି ମୋ କୋଳକୁ ଡେଇଁ ପଡ଼ିଲା । ତା’ ଟିକି ମୁହଁଟିକି ଆଉଁସି ଦେଉଁ ଦେଉଁ ପଚାରିଲି ତମ ନା ?

 

ଟିକିଏ ଭୟ ନକରି ସେମିତି ଖନଖନ ହେଇ ପିଲାଟି ଉତ୍ତର ଦେଲା—ପଲଶୁଲାମ ।

 

ହସି ଉଠିଲି । ପ୍ୟାଣ୍ଟ ପକେଟରୁ ରୁମାଲ୍‍ଟା କାଢ଼ି ତା’ କଅଁଳିଆ ମୁହଁଟିରୁ ଧୂଳି ଝାଡ଼ି ଦେଲି । କହିଲି—ତମ ବାପା ? ନଈଆଡ଼କୁ ହାତ ବଢ଼େଇ ପିଲାଟି କହିଲା—ଅଫିସ୍ ଗଲେନ୍ । ଆମେ ଘରକୁ ଯିବୁ । ...ଆଶ୍ଚର୍ଯ୍ୟ ହେଲି । ଏମାନଙ୍କୁ ଏକୁଟିଆ ଛାଡ଼ି ଦେଇ ଭଦ୍ରଲୋକ ଅଫିସ୍ ଗଲେ କିପରି ? ପୁଣି ଏ ଛୁଆଟିକି ନେଇ ସେ ତରୁଣୀଟି ବା ଏକା ଏକା ଘରକୁ ଯିବ କେମିତି ? ସାଙ୍ଗରେ ପୁଣି ଏତେ ଜିନିଷ—ଟ୍ରଙ୍କ୍, ବେଡ଼ିଙ୍ଗ, ବାଲ୍‍ଟି, ବ୍ୟାଗ । ଶୂନ୍ୟକୁ ଚାହିଁ ଚାହିଁ ଆକାଶପାତାଳ କେତେ କ’ଣ ଭାବିଗଲି । ସ୍ୱପ୍ନ ଦେଖିଲା ଭଳି ଲାଗିଲା ମତେ । ପିଲାଟିକି କାଖ କରି ଅଜଣାତରେ ଚାଲଚାଲ ହେଇ ଗଲି ସେଇ ସରଗରାଇଜର ରାଜକୁମାରୀ ପାଖକୁ ।

 

ମଥାରେ ପଣତଢାଙ୍କି ଯୁବତୀଟି ଉଠି ଠିଆ ହେଲା । ଯଥା ସମ୍ଭବ ମାନ ସଂଭ୍ରମ ରଖି ଦୁଇ ହାତ ଟେକି ପ୍ରଣାମ କଲା ମୋତେ । ଆଖିରେ କେତେ ଅକୁହାକଥା । ମୁହଁରେ ସେଇ ଅମୀୟବୋଳା ହସର ଢେଉ । କୋମଳ ଅଙ୍ଗୁଳି ଗୁଡ଼ିକରେ ଭୂଇଁରେ ଗାର କାଟୁ କାଟୁ ମୁରୁକି ମୁରୁକି ହସି ମୋତେ ପଚାରିଲା—ଦେବଗଡ଼ ବସ୍ ଆଉର୍ କେତେ ଡେରି ? କେତେ ବେଲେ ଛାଡ଼ିବା ? ଆପଣ୍ କେନ୍ କେ ଯାଉଛନ୍ ?

 

ଶୁଣୁ ଶୁଣୁ ଠୋ ଠୋ ହସିଉଠିଲି ମୁଁ । ସମ୍ବଲପୁରୀ ଭାଷା ସହିତ ମୁଁ ଏକାବେଳକେ ଅପରିଚିତ । କୌଣସିମତେ ହସ ଚପାଇ ରହି ପାରିଲିନାହିଁ । ବଡ଼ କ୍ଷୁର୍ଣ୍ଣ ହେଲା ସେ । କରୁଣ ନୟନରେ ମୋ ମୁହଁକୁ ଚାହିଁ କହିଲା—କାଁ ହେଲା ଯେ ହସ୍ ଲେ ?

 

ଲଜ୍ଜିତ ହେଲି । ସୁକୁମାରୀର ସରଳ ପ୍ରାଣରେ ଆଘାତ ଦେଇଥିବାରୁ ମନେମନେ ନିଜକୁ ବଡ଼ ଧିକ୍କାର କଲି । କଥା ବୁଲେଇ କହିଲି—ନା ମୁଁ ମଧ୍ୟ ଆପଣଙ୍କ ଭଳି ଦେବଗଡ଼ ବସ୍‍କୁ ଚାହିଁ ରହିଛି । କେତେ ଡେରି ହବ କେମିତି କହିବି ?

 

ନିଜର ଭୁଲ୍‍ ସେ ନିଜେ ବୁଝି ପାରିଲା କି କ’ଣ କହିଲା—କ୍ଷମା କରିବେ । ମୁଁ ଭାବିଥିଲି ଆପଣଙ୍କୁ ଏ ଅଂଚଳର ଲୋକ ବୋଲି, ତା’ ନହେଲେ ୟାଡ଼କା ଭାଷା ତ ଆପଣଙ୍କୁ ନିଶ୍ଚୟ ଟିକିଏ ଅଡ଼ୁଆ ଲାଗିବ ।

 

ଆହୁରି ବେଶୀ ଲଜ୍ଜିତ ହେଲି । ଅପରାଧୀଙ୍କ ଭଳି ତଳକୁ ମୁହଁ ପୋତି କହିଲି—ନା, ମୋର ଭୁଲ୍‍ ହୋଇଛି । କ୍ଷମା କରିବେ ।

 

ଠୋ ଠୋ ହେଇ ହସି ଉଠିଲା ସେ । ଲକ୍ଷବିଦ୍ୟୁତ୍‍ର ଝଲକ ସତେକି ଖେଳିଗଲା । ପଲକ ଭିତରେ ଲାବଣ୍ୟବୋଳା ଚନ୍ଦ୍ରବଦନରେ ଉକୁଟି ଉଠିଲା ନାଲ ଟହଟହ ପାଟଳ ରଙ୍ଗ । ମୋରି ଆଖିରେ ଆଖି ରଖି କୋମଳ କଣ୍ଠରେ କହିଲା—ଏଥିରେ ଆଉ ଭୁଲ ରହିଲା କ’ଣ ? ଆପଣ ନୂଆଲୋକ । ଏ ନୂଆକଥା ଆପଣଙ୍କୁ ପହିଲେ ପହିଲେ ଅଡ଼ୁଆ ଲାଗିବା ସ୍ୱାଭାବିକ । ...ମୁଁ କିଛି ଉତ୍ତର ଦେବା ଆଗରୁ ସେ ହସି ହସି କହିଲା—ଛାଡ଼ନ୍ତୁ ସେ କଥା, କୁହନ୍ତୁ ଆପଣ କୋଉଠିକି ଯିବେ ?

 

ପିଲାଟି କେତେବେଳୁ ମୋ କୋଳରୁ ଓହ୍ଲେଇ ଯାଇଁ ତା’କୋଳରେ କାଖ ହୋଇଥାଏ । ପାଖ ବେଡ଼ିଂ ଉପରେ ମୋତେ ବସିବାକୁ ଅନୁରୋଧ କରି ତରୁଣୀଟି ଟ୍ରଙ୍କ ଉପରେ ବସିଲା । ତାର ଚାକରାଣୀକି କହିଲା ମୋ ବିଛଣାପତ୍ର ସେଇଠିକି ନେଇ ଆସିବାକୁ । ସେଇଆହିଁ ହେଲା । ବାଧ୍ୟ ଶିଶୁଟି ଭଳି ନୀରବରେ ସବୁ ଆଦେଶ ପାଳିଲି ।

 

ବସିବସି ବେଶ୍ ମନଖୋଲା କଥାଭାଷା ହେଲୁ । ବୁଝିଲି ତାଙ୍କରି ବସାକୁ ଲାଗି କୁଆଡ଼େ କଟକର ଗୋଟିଏ ପରିବାର ଅଛନ୍ତି । ତେଣୁ ସେ ମଧ୍ୟ କଟକୀ ଭାଷା ଭଲରୂପେ ଜାଣେ-। କଥାବାର୍ତ୍ତା ହସ କୌତୁକ ଭିତରେ ବହୁ ସମୟ ବିତିଗଲା । କଥାର ମର୍ମ ଯାହା ବୁଝିଲି ସେ ପ୍ରକୃତରେ ଦ୍ଵିତୀୟ ପକ୍ଷ ।

 

ପ୍ରଥମ ସ୍ତ୍ରୀ ମରିଯିବା ପରେ ସ୍ୱାମୀ ପ୍ରାୟ ପାଗଳ ହୋଇ ଯାଇଥିଲେ । ଦାଢ଼ି ରଖିଥିଲେ-। ମାଛ ମାଂସ ଛାଡ଼ିଥିଲେ । ମୋଟା ଖଦଡ଼ ପିନ୍ଧି ଚଦର ପକେଇ ଚଟି ଫିଙ୍ଗି ଦେଶ ସେବା କରିବା ପାଇଁ ବାହାରି ପଡ଼ିଥିଲେ ଆଗକୁ । ସମାଜ ସଂଗଠନ, ହରିଜନ ସେବା, ନୈଶ ବିଦ୍ୟାଳୟ, ନାରୀଶିକ୍ଷା ଆଦି ନାନା ଦେଶ କାମରେ ଅହରହ ବୁଡ଼ି ରହି ନିଷ୍କାମ ଶ୍ରମ ଓ ସାଧନା ଭିତରେ ନିଜର ସତ୍ତା ପର୍ଯ୍ୟନ୍ତ ହଜେଇ ଦେଇଥିଲେ । କଠୋର କଠିନ ତ୍ୟାଗ ପୂତ ବ୍ରହ୍ମଚାରୀର ଜୀବନ । ଅତି ଶୁଷ୍କ, ଅତି ନୀରସ । ସେଠି ପୁଷ୍ପର ସ୍ଥାନ ନାହିଁ । ମଳୟର ସ୍ଥାନ ନାହିଁ । ପ୍ରେମ ସେଠି ସ୍ୱପ୍ନ ।

 

ଲୋକଙ୍କ ପ୍ରଶଂସାରେ ଗାଁ ଭୂଇଁ ମୁଖରିତ ହୋଇଉଠିଲା । ଏତେ ନିଷ୍ଠା, ସାଧୁତା, କର୍ମ ତତ୍ପରତା ଦେଖି ଶିକ୍ଷିତ କଲେଜ ଛାତ୍ର ବି ସ୍ତବ୍ଧ ହେଇ ଚାହିଁରହିଲେ । କିଏ କହିଲା—ଗୋପବନ୍ଧୁ । କିଏ କହିଲା—ବିପ୍ଳବୀ ସୁରେନ୍ଦ୍ର ସାଏ । କିଏ କହିଲା—ଜବାହାରଙ୍କ ପରେ ଭାରତର ଦ୍ଵିତୀୟ ଜବାହାର !

 

କିନ୍ତୁ ବର୍ଷେ—ବର୍ଷଟିଏ ମାତ୍ର । କ’ଣ ହେଲା, ସବୁ ପ୍ରେରଣା ଅଧ୍ୟବସାୟ, ସାଧନା ହଠାତ୍ ଦିନେ ଧୂଳିଘର ଭଳି ଭୁଷ୍‍କିନା ଭୁଷୁଡ଼ି ପଡ଼ିଲା । ଆକାଶଚୁମ୍ବୀ ଗୁରୁ ହର୍ମ୍ମ୍ୟ ଘଡ଼ିକରେ ମୃତ୍ତିକା ଚୁମ୍ବିଲା । ତାପରେ ଖାଲି ମାଟି ଆଉ ମାଟି । ସ୍ୱାମୀ ଧରିଲେ ଦ୍ଵିତୀୟାର ହସ୍ତ । ବାବାଜୀ ହେଲେ ପୁଣି ଜଂଜାଳି ଗୃହସ୍ଥ ।

 

ଦାଢ଼ି ଅବଶ୍ୟ କଟା ହେଲା । ଗାଁ ଛାଡ଼ି ଅବଶ୍ୟ ସେ ସହର ଆସିଲେ ଚାକିରୀ କରି । କିନ୍ତୁ କେଜାଣି କାହିଁକି ମନର ସେ ଉଦାସ ଉଦାସ ଭାବ କଟିଲା ନାହିଁ । ସେଇ ମୋଟା ଖଦଡ଼ । ତା’ ଉପରେ ଆହୁରି ମୋଟା ଖଦଡ଼ ପଂଜାବି । କେଶ ଫୁରୁଫୁରୁ । ବେଶ ନୁଖୁରା । ସତ ଦିନରେ ଥରେ ଖିଅର ହେବାକୁ ଇଚ୍ଛା ନାହିଁ । ଆଗ୍ରହ ନାହିଁ ଯେମିତି । ସବୁବେଳେ ଅନ୍ୟମନସ୍କ । ମନେମନେ ଯେମିତି ଝୁରି ହେଉଛନ୍ତି କାହାକୁ । ଲୋକେ ପଚାରିଲେ କିଛି କହନ୍ତି ନାହିଁ । ପିଲାଟିକି ଦେଖିଲେ ଝର୍ ଝର୍ କାନ୍ଦି ପକାନ୍ତି । ସ୍ତ୍ରୀ ପଚାରିଲେ କହନ୍ତି—କିଛି ନାଇଁ । ତମେ ଏ ପିଲାଟିକି କୋଳକୁ ନବ । ୟାରି ଭିତରେ ମୁଁ ସବୁ ଫେରିପାଇବି । ସବୁ ଫେରି ପାଇବି—ସେ ଆଉ କହିପାରନ୍ତି ନାହିଁ । ବେଶି ବେଶି କାନ୍ଦନ୍ତି ।

 

କହୁଁ କହୁଁ ତରୁଣୀର ନୟନ ବି ଆର୍ଦ୍ର ହୋଇଆସିଲା, କଣ୍ଠ ହେଲା ରୁଦ୍ଧ । ଆଉ ପଚାରିବାକୁ ସାହସ ହେଲା ନାଇଁ । ମୁଁ ନୀରବରେ ତଳକୁ ମୁହଁ ପୋତି ବସିରହିଲି ଖାଲି ।

 

ଅବଶ୍ୟ ମୁଁ ଯେପରି କହିଗଲି ସେ ସେପରି କହି ନାହିଁ । ସ୍ୱାମୀ ପାଇଁ ତା’ର କେତେ ସ୍ନେହ, ପ୍ରୀତି, କୋମଳତା, କଥା କଥାକେ ସ୍ୱାମୀଙ୍କ ସ୍ତୁତି—ଉଚ୍ଛ୍ୱସିତ ପ୍ରଶଂସା । ସ୍ୱାମୀ ତାର ସୁନ୍ଦର, ଉଦାର, ମହତ୍ୱ । ସ୍ୱାମୀ ତାକୁ ଦଣ୍ଡେ ନ ଦେଖିଲେ ବାଇଆ ହୋଇଯାନ୍ତି । ସ୍ୱାମୀ ତାକୁ ସରଗର ଚାନ୍ଦ ମାଗିଲେ ବି ଆଣିଦିଅନ୍ତି କ୍ଷଣକେ । ଶାଢ଼ି ଗହଣା ତ ତୁଚ୍ଛ । ତେଣୁ ସେ ଚପଳ ଚଞ୍ଚଳ ହେଇ କହି ଯାଇଥିଲା ସ୍ୱାମୀଙ୍କ କଥା । ମନରେ ତିଳେହେଲେ ଦୁଃଖ ନାଇଁ, ଇର୍ଷା ନାଇଁ, ଅଭିମାନ ନାଇଁ । ଖାଲି ସବୁବେଳେ କଥା, ଫୁର୍ତ୍ତି, କଳକଳ ଛନଛନ ହସ । ରୂପଟି ଯେମିତି ଢଳଢ଼ଳ, ମନଟି ସେମିତି ସ୍ୱଚ୍ଛ ନିର୍ମଳ ।

 

ମୋର ବୁଝିବାକୁ ଆଉ ବାକୀ ନ ଥିଲା ଯେ ସେ ଭାରି ସ୍ୱାମୀ ସୋହାଗିନୀ । ପରିହାସ କରି କହିଥିଲି—ତା’ ହେଲେ ତାଙ୍କୁ ଏକାବେଳକେ ବାନ୍ଧି ରଖିଛନ୍ତି କାନି ପଣତରେ । ହସିହସି କହିଥିଲା ଆପଣଙ୍କ କଟକ ଆଡ଼େ କଥା ନାଇଁ—

 

ଆଗ ମାଇପକୁ ଚଅଟଚାପଡ଼

ପଛ ମାଇପକୁ ଦଣ୍ଡବତ !

 

ଦୁହେଁ ଠୋ ଠୋ ହସି ଉଠିଥିଲୁ ।

 

କିନ୍ତୁ ? କିନ୍ତୁ ହଠାତ୍ ଏ କ’ଣ ହେଲା । ହଠାତ୍ ନୟନ ତା’ର ଲୋତକାପ୍ଲୁତ ହେଲା କାହିଁକି ? ମୁଁ ଆଶ୍ଚର୍ଯ୍ୟ ହେଇ ଚାହିଁଲି । କେତେ କ’ଣ ଭାବିଗଲି । କିଛି ସ୍ଥିର କରି ପାରିଲିନାହିଁ ।

 

କିନ୍ତୁ ଦଣ୍ଡେ—ଦଣ୍ଡେ ମାତ୍ର । ସେ ଦଣ୍ଡକେ ପୁଣି ପ୍ରକୃତିସ୍ଥ ହେଲା । ଆପଣାଛାଏଁ ପୁଣି ଖଳଖଳ ହସି ଆରମ୍ଭ କଲା—"ମରି ହଜି ସରଗପୁରରେ ରହିଲେଣି ନାନୀ । ତାଙ୍କୁ ସେ ଭୁଲି ପାରୁନାହାନ୍ତି ଆମେ ବି ଭୁଲି ପାରୁନୁ । କେଡେ ସରଳ କୋମଳ ଥିଲେ ସେ । ଗାଁର ଏଡ଼େ ବକଟେ ବିଲେଇଛୁଆ ବି ତାଙ୍କ ଗୁଣ ଗାଇହେଉଛି । ତାଙ୍କ ମୁହଁରେ ସବୁବେଳେ ଲାଖି ରହିଥିଲା ହସ । ସେ ହସ ଲିଭି ଗଲାଣି ଦି ବରଷ ହେଲା । ହେଲେ ସେଇ ହସର ଦିନ କାଲି । କାଲି ତାଙ୍କର ଶ୍ରାଦ୍ଧ । ବରଷକେ ଦିନେ ହେଲେ ତାଙ୍କ କଥା ମନେ ପକେଇ ତାଙ୍କ ହସିଲା ମୁହଁକୁ ଚାହିଁ ଚାହିଁ ଆମେ ସାନ୍ତ୍ୱନା ପାଉଛୁ । ସେ ଥିଲେ ଏ ଘରର ଲକ୍ଷ୍ମୀ, ଅନ୍ନପୂର୍ଣ୍ଣା ।

 

ବିସ୍ମିତ ହେଇ ପୁଣି ମୁଁ ଚାହିଁଲି । କ’ଣ କହୁଛି କିଏ ? ଛଳନା କରୁନାଇଁ ତ ଆଉ । ପଚାରିବି ପଚାରିବି ହେଲି କିନ୍ତୁ ସାହସ ହେଲାଣି । ସେ କ୍ଷଣେ ଅପେକ୍ଷା ନ କରି ସେମିତି କହି ଚାଲିଛି—ଆପଣ ଯିବେ ଦେବଗଡ଼, ନା ? ଆମେ ଯିବୁ ଗୌରପାଲି—ବଡ଼ରମା ଏଇ ପଟେ । ଗୌରପାଲିରୁ ଦି ମାଇଲ ବାଟ ଆମ ଘର । ଜଙ୍ଗଲ ଆଡ଼ିକି । ବଳଦ ଗାଡ଼ି ଆସିଥିବି । ବସରୁ ଓହ୍ଲେଇ ଆମେ ଯିବୁ ସେଇଥିରେ ।

 

......କାଲି ସକାଳେ ଇଏ ଯାଇଁ ପହଞ୍ଚିବେ । ତା’ ପରେ ସରଗରାଇଜରୁ ଆସିବେ ନାନୀ-। ତାପରେ ହସ, ଖେଳ, ନାଚ, କୁଦ । ଆନନ୍ଦର ଧାରା ବହିଯିବ । ଖିରିପୁରିରେ ଘର ଭାସିବ। ନାନୀଙ୍କ ଫଟୋ ବୁଡ଼ିଯିବ ଫୁଲମାଳାରେ—ଗୋଲାପ, ମଲ୍ଲୀ, ନାଗେଶ୍ୱର, ଦଅଣା, ରଜନୀଗନ୍ଧା...

 

ମୁଁ ଆଉ ସ୍ଥିର ହୋଇ ପାରିଲି ନାହିଁ । ଭଦ୍ରତାର ସବୁ ସୀମା ଲଂଘି ହଠାତ୍ କହି ପକାଇଲି—ବରଂ ମୋ-ତୁଣ୍ଡରୁ ବାହାରି ପଡ଼ିଲା ।

 

କ୍ଷମା କରିବେ । ଗୋଟିଏ କଥା ପଚାରିବି ।

 

ପଚାରନ୍ତୁ ।

 

ଆଚ୍ଛା ସତ କହିବେ, ଆପଣଙ୍କ ପ୍ରାଣରେ କ'ଣ ଆଘାତ ଲାଗେନା...

 

ସେ ବାଧା ଦେଲା କଥାରେ । ମୃଦୁ ହସ ହସି କହିଲା—ମୋତେ ଆପଣ ନ କହି ତମେ କହିଲେ ବୋଧେ ବେଶୀ ଖୁସୀ ହେବି ।

 

ହସିଲି । କହିଲି—ହଉ, ସେଇଆହିଁ ହେଲା । ଆଚ୍ଛା କୁହନି, ତମ ପ୍ରାଣରେ କ'ଣ ଦୁଃଖ ହୁଏନି ଯେତେବେଳେ ସ୍ୱାମୀ ତମର ତମରି ଛାତି ଉପରେ ବସି ସଉତୁଣୀ ପାଇଁ...

 

ପୁଣି ସେ ବାଧା ଦେଲା । ଏଣୀ ନୟନରେ କଟାକ୍ଷ ହାଣି ନୀରବରେ ମୋତେ ମୁହୂର୍ତ୍ତେ ଚାହିଁଲା । ତାପରେ ହସର ସେହି ଅଫୁରନ୍ତି ଝରଣା ଝରାଇ ଧୀରେଧୀରେ କହିଲା—କ'ଣ କହୁଛନ୍ତି ଆପଣ ? ମୋତେ ପରୀକ୍ଷା କରୁନାହାନ୍ତି ତ ?

 

ନା, ପରୀକ୍ଷା ନୁହେଁ, ସତ କଥା କୁହ । ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ଆଗରୁ ମୁଁ ପଚାରେ ଗୋଟିଏ ବୃନ୍ତରେ କ’ଣ ଦୁଇଟି କୁସୁମ ପ୍ରସ୍ଫୁଟିତ ହୁଏନା ? ଗୋଟିଏ ବନରେ କ’ଣ ଦୁଇଟି ଝରଣା କୁଳୁକୁଳୁ ହେଇ ବହିଯାଏନା ? ସେଥିରେ ଗୋଟିଏ ଅନ୍ୟଟି ଉପରେ ଇର୍ଷା କରିବ କାହିଁକି-? ଅଭିମାନରେ ମ୍ରିୟମାଣ ହୋଇ ମଉଳି ଯିବ କାହିଁକି ?

 

ମୁଁ କିଛି ଉତ୍ତର ଦେଲେନି । ସେ କ୍ଷଣେ ରହି ପୁଣି କହିଲା—ଯେ ଯାଇଛି ସେ ଯାଇଛି-। ଚିରଦିନ ପାଇଁ ଏ ମରଦୁନିଆରୁ ବିଦାୟ ନେଇ ସେ ଆରପାରିକି ଚାଲି ଯାଇଛି । ତା’ପାଇଁ ଯେତେ ଲୁହ ଢ଼ାଳିଲେ ବା ଝୁରିଝୁରି ବାଇଆ ହେଲେ ବି ସେତ ଆସିବନାଇଁ ।

 

ମୁଁ କହିଲି—ତଥାପି ତା’ପାଇଁ ଏ ଷୋଡଶୋପଚାରରେ ପୂଜା, ତା’ ଫଟୋରେ ଏ ରାଶିରାଶି କୁସୁମର ଗୁଚ୍ଛ...

 

ସେ ହସିଲା । କହିଲା— ନିର୍ଜୀବ ଫଟ ଖଣ୍ଡିକରେ ସଜଫୁଲର ହାର ସଜେଇଲେ, ଫଟର ମଣିଷ ତ ଆଉ ଉପଭୋଗ କରେନା । ଏ ଦୁନିଆରେ ଯେତେ ସୁଖ ସଂପଦ ଆନନ୍ଦ ଉତ୍ସବ ସ୍ନେହପ୍ରେମ ସବୁଠାରେ ସେ ଦୂରରେ । ଆଉ ଏ ସାମାନ୍ୟ ଫୁଲ ? ନା ମୋତେ ଏତେ ନିର୍ବୋଧ ଭାବନ୍ତୁନାଇଁ ।

 

ତଥାପି ସେ ତମର ସଉତୁଣୀ—ଶତ୍ରୁ ।

 

ନିରୀହ ନିର୍ଦ୍ଦୋଷ ନିରପରାଧିନୀ ସେ । କି ଦୋଷ ସେ କରିଛନ୍ତି ଯେ ତାଙ୍କ ଉପରେ ହିଂସା କରବି ? ଇର୍ଷା କରିବି ? ସଉତୁଣୀ ତ ମରି ସ୍ଵର୍ଗରେ ରହିଲେଣି । ସେ ମୋର ଶତ୍ରୁ ହେଲେ କିମିତି ? ମୁଁ ଏତେ ଐଶ୍ୱର୍ଯ୍ୟ କୋଳରେ ଅଛି । ମୋତେ କ୍ଷଣେ ନ ଦେଖିଲେ ସ୍ୱାମୀ ଅଧୀର ହେଇ ପଡ଼ୁଛନ୍ତି । ଆଉ ନାନୀ ? ମରିହଜି ଜୁଇଗାତରେ ଅଙ୍ଗାର ପାଉଁଶ ଭିତରେ ପାଉଁଶ ହୋଇଗଲେଣି-। ତାଙ୍କ ଉପରେ କରିବି ମୁଁ ଦୁଃଖ ? ଅଭିମାନ ? ନା, ମୋତେ ଭୁଲ୍ ବୁଝନ୍ତୁ ନାଇଁ । ମୁଁ ଏତେ ଛୋଟ ନୁହେଁ ।

 

ମୁଁ ସ୍ତବ୍ଧ ହେଇ ଚାହଁ ରହିଲି । ମନେମନେ ବଡ଼ ଲଜ୍ଜିତ ହେଲି ବି । ତଥାପି କଳାବଉଦ ପୂରାପୂରି ଅପସରି ଯାଇ ନଥାଏ । ମନରେ ସବୁ ଦମ୍ଭ ଠୁଳ କରି କହିଲି—କ୍ଷମା କରିବ, ମୋର ଭ୍ରମ କଟିଛି । ତଥାପି ଯଦି ତମେ କିଛି ମନେ ନକର, ଆଉ ପଦେ ପଚାରିବି ।

 

ପଚାରନ୍ତୁ, ଏତେ ଲୌକିକତା କାହିଁକି ? ମୋରତ ମନେ ହୁଏ ଭଦ୍ରତା ଅପେକ୍ଷା ହୃଦୟ ବଡ଼ । ଆପଣ କ’ଣ ଭାବନ୍ତି କେଜାଣି ।

 

ବଡ଼ ଯେ କିନ୍ତୁ ଯେ ତମ ହୃଦୟରେ ଜାଣିଜାଣି ଆଘାତ ଦେଉଛି ।

 

ଆଘାତ କିଛି ନୁହେ । ନାନୀଙ୍କ କଥା କହିଲେ ବରଂ ମୁଁ ଆନନ୍ଦ ପାଏ । ସ୍ନେହମୟୀ ଭଉଣୀ କଥା ଶୁଣିଲେ ଛୁଆ ଭଉଣୀ ଆଖିରୁ କ’ଣ ନୀର ଝରେ ନା ଆନନ୍ଦରେ ?

 

ନା, ଭଉଣୀ କଥା ମୁଁ କହୁ ନାହିଁ, ମୁଁ କହୁଛି ଏଇ ଛୁଆଟି କଥା—ସଉତୁଣୀର ପୁଅ—ତମର ସାରା ଜୀବନରେ କାଳ ! କଳଙ୍କ !! ଶତ୍ରୁ !!!

 

ଆଃ—ଚିତ୍କାର କରି ଉଠିଲା ସେ ‘‘—ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ଆପଣ । ଆପଣଙ୍କୁ ହାତ ଯୋଡ଼ୁଛି—ଛୁଆଟି କୋଳକୁ ଟାଣି ନେଲା ସେ । କ୍ଷଣକ ପାଇଁ ତା’ ମୁହଁ ଉପରେ ଆଖି ରଖି ସ୍ଥିର ହୋଇ ରହିଗଲା । ମୀନ ନୟନରେ ଢଳଢଳ ହେଲା ଦୁଇଟି ଜଳବିନ୍ଦୁ । ସେ ହେଲା ଗମ୍ଭୀର, ଉଦାସ, ମୁକ ।

 

ମୁଁ ଡରିଗଲି । ଏପରି ଏକ ପ୍ରଶ୍ନ ଯେ ଅନଧିକାର ଚର୍ଚ୍ଚା ଓ ସାଧାରଣ ଭଦ୍ରତାର ବିରୁଦ୍ଧତା ମୁଁ ଜାଣେ । ତଥାପି ସେଇ ପ୍ରଗଳଭା ବାଳିକାର ଔଦ୍ଧତ୍ୟ ମୁଁ ସହି ପାରୁ ନଥିଲି । ସେ ଯେମିତି ସାଧାରଣ ନାରୀଙ୍କ ଠଉଁ ବାହାର । ସେ ଶାନ୍ତ, ସରଳ, ଗର୍ବହୀନ—ଏଇ ତାର ଗର୍ବ । ସେ ଗର୍ବକୁ ଭାଙ୍ଗିରୁଜି ଚୁନ୍ ଚୁନା କରି ଦେବାକୁ ମୋ ପ୍ରଶ୍ନ ତୀକ୍ଷ୍ମ ଆସି ଭଳି ଝଣ୍ ଝଣ୍ କରି ଉଠିଲା, କିନ୍ତୁ କୃପଣ ମୋର ତା’ ଶିର ନାତ କଲା ନାହିଁ ବରଂ ବେଳୁବେଳୁ ଉନ୍ନତ କଲା । ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି ।

 

ଢଳଢଳ ଜଳବିନ୍ଦୁ ଟଳିପଡ଼ିଲା କୋମଳ ଗଣ୍ଡଦେଶରେ । କଣ୍ଠ ହେଲା ଭାରାକ୍ରାନ୍ତ । ଛୁଆତିକି ନିବିଡ଼ଭାବେ କୋଳରେ ଜାକି ଧରି ଲୁହ ପୋଛି ଧୀରେଧୀରେ ସେ କହିଲା—ମୋତେ କ୍ଷମା କରିବେ, ଆପଣ ବଡ଼ ରୁକ୍ଷ ।

 

ମୁଁ କିଛି କହିଲି ନାହିଁ । ନୀରବରେ ଚାହିଁ ରହିଲି ।

 

ଏପରି ପ୍ରଶ୍ନ ପଚାରିବାକୁ ମୋର ପରମ ବନ୍ଧୁମାନେ ବି ସାହସ କରି ନାହାଁନ୍ତି । ଅଥଚ ଆପଣ...

 

ମୁଁ ତମର ଶତ୍ରୁ । ତା’ ନହେଲେ...

 

ହଁ ଶତ୍ରୁ । ସାରା ଦୁନିଆରେ ଆପଣ ବୋଧେ ମୋର ଏକମାତ୍ର ଶତ୍ରୁ । ତା’ ନହେଲେ ଏତେ ସହଜରେ ଏପରି ଅଯାଚିତ ଭାବରେ ଏ ଅଦ୍ଭୁତ ପ୍ରଶ୍ନ ଆପଣ ଉଠାଇ ନଥାନ୍ତେ । ଆପଣ ଜାଣନ୍ତି ଏହା କିପରି ମୋ ବକ୍ଷ ବିଦୀର୍ଣ୍ଣ କରି ମୋ ନୟନରୁ ଧାରଧାର ରୁଧିର ବୁହାଇ ଦେଉଛି । ଓଃ, ବଡ଼ କର୍କଶ ଆପଣ । ଅତି ତୀବ୍ର ଆପଣଙ୍କର ତୀର । —‘‘ତା’ ଚକ୍ଷୁରୁ ଆହୁରି ଦୁଇଧାର ଅଶ୍ରୁ ଝରି ପଡ଼ିଲା।’’

 

ମୁଁ କହିଲି—ମୋର ଭୁଲ୍ ହୋଇଛି । କଥାଟା ଏପରି ତମର ମର୍ମସ୍ଥଳରେ ବିନ୍ଧିବ ମୁଁ ଜାଣି ନଥିଲି ।

 

ସେ ମୋ କଥାରେ କୌଣସି କର୍ଣ୍ଣପାତ ନ କରି ସେମିତି ଲୁହ ଛଳଛଳ କାନ୍ଥରେ କହିଲା—ଏଇ ଛୁଆ, ଆପଣ କହୁଛନ୍ତି କଳଙ୍କ—କାଳ, ମୁଁ କହେ ଦେବଶିଶୁ—ସରଗ ଦେବତାର କଅଁଳ ଆଶିଷର ଧାରା । ପଙ୍କ ଛୁଏଁ ପଥରକୁ, କାଠକୁ, ମାଟିକି କିନ୍ତୁ ପଦ୍ମଫୁଲକୁ କ’ଣ ଛୁଇଁପାରେ-? କେଡ଼େ କଅଁଳ ପଦ୍ମଫୁଲ, କେଡ଼େ କଅଁଳ ତା’ର ଓଠ, ଗାଲ, ହସ ମିନିମିନି ଆଖିପତା...

 

ବାଧା ଦେଲି ତା’ କଥାରେ । କହିଲି—ପଦ୍ମଫୁଲ ଭଲ ଲାଗେ ସରୋବର ତୀରର ମଣିଷକୁ ସିନା, ପାଖର ଅନ୍ୟ ଏକ ପଦ୍ମଲତାକୁ ତ ନୁହେଁ । କାରଣ ସେ ଗାନ୍ଧାରୀ—ଶତପୁତ୍ରର ଜନ୍ମଦାୟିନୀ । ଆଜି ନ ହେଲେ ବି କାଲିକି ସେ ଧରାକୁ ସୁଷମା—ମଣ୍ଡିତ କରିବ ପୁତ୍ରରେ । ହୁଏତ ସେ ପାଇବ ଲକ୍ଷ୍ମୀଙ୍କ ବର ପୁତ୍ରମାନ ଗୋବିନ୍ଦ । ସେ କାହିଁକି ଯିବ ଅନ୍ୟର ପୁତ୍ର ମୁଖ ଚୁମ୍ବନ କରି-?

 

ଏ କ’ଣ କହୁଛନ୍ତି ଆପଣ ? ଗୋଟିଏ ସାମାନ୍ୟ ଶିଶୁ ଉପରେ ଆପଣଙ୍କର ଦୟା ନାହିଁ, ଓଲଟି ଇର୍ଷା କରି ଆଣି ଥୋଉଛନ୍ତି ଦୁନିଆ ଯାକର ଶାସ୍ତ୍ର, ପୁରାଣ, ପ୍ରମାଣ, ଯୁକ୍ତି । କାହିଁକି ଯିଏ ପ୍ରକୃତରେ ଜନନୀ ସିଏ କ’ଣ ଅପରର ସନ୍ତାନକୁ ତୋଳିନିଏ ନାହିଁ ସ୍ନେହରେ ? ପ୍ରୀତିରେ ?

 

ହଁ, ଜନନୀ ନିଏ । ବାଳିକା ନିଏ ନାଇଁ । —ମୁଁ କହିଲି ।

 

ସେ ହସିଲା । ଟିକିଏ ଚମକି ପଡ଼ିଲା—‘‘ହେଇ ବଲାଙ୍ଗୀର୍ ବସ ଷ୍ଟାର୍ଟ୍ କରୁଛି । ଡ୍ରାଇଭର ଷ୍ଟିଅରିଂ ଛୁଇଁ ହାତ ଯୋଡ଼ି ନମସ୍କାର କରି ଷ୍ଟାଟ ଦେଲାଣି । ଚକ ଗଡ଼ିଲାଣି ଆସ୍ତେ—ଆସ୍ତେ—ଆସ୍ତେ । ତା’ ପରେ ଟିକିଏ ଯୋରେ—ଯୋରେ—ଆହୁରି ଯୋରେ । ଏତେବେଳେ ଠିକ୍ ଏତିକିବେଳେ ଯଦି ଗୋଟିଏ କଅଁଳା ଲଙ୍ଗଳା ଛୁଆ ଚିର୍ ଚିରେଇହେଇ ଦଉଡ଼ି ଆସେ ବାସ୍ ଆଗକୁ ଆଉ ଠିକ୍ ପଡ଼ିଯାଏ ବାସ ମୁହାଁମୁହିଁ, ତା’ହେଲେ—ତା’ହେଲେ କୁହନ୍ତୁ, ତା’ ପାଖରେ ଥିବା ବାଳିକା ଗୋଟିଏ କ’ଣ ନିଶ୍ଚଳ ହେଇ ପଥର ପ୍ରତିମା ଭଳି ବସିପାରେ ? ରହିପାରେ ?

 

ହସିଲି । କହିଲି—"ଆକ୍‍ସିଡେଂଟ କଥା ସ୍ୱତନ୍ତ୍ର । ଜାତି ଧର୍ମ ବର୍ଣ୍ଣ ନିର୍ବଶେଷରେ ଅସହାୟର ସହାୟ ହେବା ପ୍ରତି ମାନବର ଜନ୍ମଗତ ପ୍ରବୃତ୍ତି । ତା’ ସହିତ ଏହାର ତୁଳନା ହୋଇନପାରେ ।

 

କାହିଁକି ? ରାସ୍ତାଧାରର ଯେ କୌଣସି କୌତୁକିଆ ଛୁଆଟିକି ଦେଖିଲେ ଜଣେ ବାଳିକା ମନରେ କ’ଣ ଆଗ୍ରହ ଆସେ ନା, ତାକୁ କାଖକୁ ଟେକି ନେଇ ଆଦର କରିବାକୁ ? ଗେଲ କରିବାକୁ? ସେ କଥା ଥାଉ, ଘରଭିତରେ ନିଜର ଛୁଆଛୁଆ ଭାଇଭଉଣୀକି ସ୍ନେହ ନକରେ କିଏ ? ତୋଳି ନ ଧରେ କିଏ ? ମଇଳା ଲାଗିଥିଲେ, ଧୂଳି ଲାଗିଥିଲେ ଆପଣା ପିନ୍ଧାବସନରେ ଝାଡ଼ି ଦେଇ ନିଜେ ଧୂଳିଧୂସର ହେଇ କୁନିଭାଇକି, ଟିକି ଭଉଣୀକି କିଏ ନକରେ ତରାଟ ଫୁଲ ଭଳି ଧୋବ ଫରଫର—ଚକ୍ ଚକ୍ ??

 

ତମେ କାଳିଜାଇ ଦେଖିଛ ?

 

କାଳିଜାଇ ? —ସେ ବିସ୍ମିତ ହେଇ ମତେ ଚାହିଁଲା । କହିଲି ।

 

'ଭଲକରି ନାଆ ବାହାରେ ନାଉରି,

ଝିଅକୁ ମାଡ଼ୁଛି ଡର,

ଗଡ଼େ ଗଡ଼ ଲୋକ ଚାହିଁ ବସି ଥିବେ,

ଝିଅ ଯିବ ଶାଶୁଘର ।

 

ହଁ, ବୁଝିଲି ଯେ, ଚିଲିକା ଭିତରର କାଳିଜାଇ ତ ? ହେଲେ ହଠାତ୍ ଏ ପ୍ରଶ୍ନ ?

 

କହିଲି—ଉପରେ ବିଶାଳ ନୀଳ ଆକାଶ । ତଳେ ବିପୁଳ ନୀଳ ଜଳରାଶି । ଦୂର ଦିଗ୍‍ବଳୟ କୋଳରେ ଢେଉଢ଼େଉକା ଅସଂଖ୍ୟ ନୀଳ ଗିରିମାଳା, ଯେଉଁଠି ସୂର୍ଯ୍ୟ ଅସ୍ତଯାଏ ସମଗ୍ର ଆକାଶକୁ ଏକ ଅପୂର୍ବ ବର୍ଣ୍ଣବିଭାରେ ରଂଜିତ କରି । ଆଉ ଯୋଉଁଠି—

 

'କେତେ ଯତ୍ନେ ଆହା କାଦମ୍ବିନୀ ଧନୀ

ବସ୍ତ୍ରାଞ୍ଚଳେ ବାନ୍ଧି ନେଉଛି ସେ ମଣି ।'

 

ସେ ହଠାତ୍ ଉଠି ଠିଆ ହେଇପଡ଼ିଲା । କହିଲା—ଆପଣ ପାଗଳ ହେଲେ ନା କ’ଣ ? ଏସବୁ କ’ଣ ଆରମ୍ଭ କରିଦେଲେ ?

 

କହିଲି—ଭାରି ସୁନ୍ଦର, ଭାରି ରମଣୀୟ ସେ ଦୃଶ୍ୟ । ବନମାଳି ଥରିଥରି ପହଁରିଯାଆନ୍ତି ଆକାଶ କୋଳରେ । ଜଳରେ ସନ୍ତରଣ କରନ୍ତି ଲକ୍ଷଲକ୍ଷ ହଂସ, ହଂସରାଳି, ବକ, ଗେଣ୍ଡାଳିଆ, ମାଛରଙ୍କା...

 

କିନ୍ତୁ ଏଠି ସେ କଥା କହିବାର ଅର୍ଥ ?

 

ଅତି ପରିଷ୍କାର । ଉତ୍କଳକମଳାଙ୍କ ବିଳାସଦୀର୍ଘକା ଚିଲିକା ଆଉ ବିଶେଷତଃ କାଳିଜାଇ ପାହାଡ଼ ଉପରେ ଯେତେବେଳେ ଦର୍ଶକ ପ୍ରଥମେ ପାଦ ଦିଏ, ସେଇ ବିମୋହନ କୋମଳ ଦୃଶ୍ୟ ଦେଖି ସେ ହଠାତ୍ ହୁଏ ବିଭୋର—ତନ୍ମୟ । କିନ୍ତୁ କେତେଦିନ, କେତେ କ୍ଷଣ ରହେ ସେ ତନ୍ମୟତା-? ଉନ୍ମାଦନା ? କେଇଟି ଘଣ୍ଟା ପରେ ରଙ୍ଗ ଫିକା ପଡ଼େ—ମଉଳିଯାଏ । ତେଣିକି ଖାଲି ଶୁଭେ ଅସ୍ଥିକଙ୍କାଳସାର—ପରିତ୍ୟକ୍ତ ପଶୁ କେଇଟିଙ୍କର ବିକଳ କରୁଣ ଆର୍ତ୍ତନାଦ, ଆଉ ଭାସିଆସେ କୁଢ଼କୁଢ଼ ପକ୍ଷୀ ପୁରୁଷର ତୀବ୍ର ଉତ୍କଟ ଗନ୍ଧ ! କିନ୍ତୁ ତା ସହିତ ୟାର ସମ୍ପର୍କ ? —ସେ ଆହୁରି ବିସ୍ମିତ ହେଇ ଚାହିଁଲା ।

 

କହିଲି—ଏତିକି ବୁଝିପାରିଲ ନାହିଁ ? ଏ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଅନେକ ପଦାର୍ଥ ଅଛି, ଅନେକ ଭାବ ଅଛି ଯାହା କ୍ଷଣକପାଇଁ ଅତି ସୁଖକର—ଦୂରକୁ ପ୍ରତୀୟମାନ ହୁଏ ଯେମିତି ମହାମୂଲ କୈବଲ୍ୟ—କିନ୍ତୁ ସେଇ କ୍ଷଣକରେ ସନ୍ତୁଷ୍ଟ ନ ହୋଇ ତାକୁ ସାରାଜୀବନରେ ଗଣ୍ଠିଧନ କରି ବାନ୍ଧିରଖିଲେ ସେ କ’ଣ ହୁଏ ଜାଣ? ସେହୁଏ କଲେଇଛଡ଼ା ଫୁଟା ଟିଣ ବାସନ ଭଳି ବେଦରକାରୀ ଅଦରକାରୀ, ଘୃଣ୍ୟ, ଖତଗଦାର ଯୋଗ୍ୟ, ତେଣିକି ଖାଲି ସେମିତି ଆର୍ତ୍ତନାଦ ! ସାରା ଜୀବନଟା ଖାଲି ପୁରୁଷର ଗନ୍ଧ !!

 

ସେ ସ୍ତବ୍ଧ ହେଇ ମତେ ଚାହିଁଲା । ହଠାତ୍ କିଛି କହିପାରିଲା ନାହିଁ । କେତେ କ୍ଷଣ ପରେ ଧୀରେଧୀରେ କହିଲା—ଦେଖୁଛି ଆପଣ ଜଣେ କବି । ଅତି ସାମାନ୍ୟ କଥାକୁ କେତେ ରଙ୍ଗ ଦେଇ, କେତେ ଉପମା ଅଳଙ୍କାର ଭିତରେ ଆପଣ ଯେପରି ଜଟିଳ ଆଉ ଅଶ୍ରୁଳ କରି ଥୋଉଛନ୍ତି, ସେଥିରେ ଅତି ଟାଣ ହୁଏ ବି ତଳକୁ ଦବିଯିବ । କିନ୍ତୁ ଗୋଟିଏ କଥା କାହିଁକି ଆପଣ ବୁଝୁ ନାହାଁନ୍ତି, ଆଉ ଯାହା ହେଉ ଛୁଆଟି ଅତି ନିରୀହ, ସରଳ, ନିଷ୍ପାପ ।

 

ମାନିଲି କିନ୍ତୁ ତାକୁ ତୁମେ କୋଳକୁ ନବ କୋଉ ଦାୟରେ ? ତାକୁ ଖୁଆଇ ପିଆଇ ମଣିଷ କରିବ, ତା’ ଅଙ୍ଗରୁ ଧୂଳି ଝାଡ଼ିଦେବ, ତା ମଳମୂତ୍ର ସଫା କରିବ—କାହିଁକି ? କୋଉଁଥିପାଇଁ-? କି ଉଦ୍ଦେଶ୍ୟରେ ? ମୁଁ ତ କିଛି ବୁଝୁ ନାଇଁ ।

 

ଆପଣ ପୁରୁଷ ଆଉ ମୁଁ ନାରୀ । ଆମ ଦୁହିଁଙ୍କ ଭିତରେ ଯୋଉ ପାର୍ଥକ୍ୟ ସେଇ ପାର୍ଥକ୍ୟହିଁ ଏ ସେବା ଓ ପ୍ରୀତି ପାଇଁ ଦାୟୀ । ଆପଣ ବୁଝିବେ ନାହିଁ । ବୁଝିପାରିବେ ନାହିଁ । ବହିପଢ଼ା କଥା ଖାଲି ଆପଣ କହୁଛନ୍ତି, ଛାତି ତଳର କଥା ଆପଣ ଜାଣିନାହାଁନ୍ତି । ଦେଖନ୍ତୁ ଏଇ କଅଁଳ ଛନଛନ ଛୁଆଟି—କି ଗୁଲଗୁଲିଆ କଥା, କଇଁ ଫୁଲିଆ ହସ, ନାଲ ଟୁକୁ ଓଠ ଦି ଫାଳ—ନିମିଷକ ପାଇଁ ଓହ୍ଲେଇ ଦେଇପାରେନା କୋଳରୁ । କେମିତି ଛାଡ଼ିବ ତାକୁ ? ପୁଣି କି ଦୋଷ ବା ଅଛି ଏଇ କଅଁଳ ଛୁଆଟାର ? ଇଏତ ଆଉ ବୁଝେନା କିଏ ମା’, କିଏ ସାବତମା’ । ଘଡ଼ିଏ ମତେ ନ ଦେଖିଲେ ମା' ମା' ହେଇ ବାଇଆ ହେଇଯାଏ—ଲୋଟିଯାଏ ଧୂଳିରେ ପରସ୍ତେ ।

 

ସେ ସ୍ଥିର ହେଲା । ମୁଁ ବୋଧେ ତାର ଦୃଢ଼ତା ଦେଖି ଟିକିଏ ଦାବି ଯାଇଥିଲି । କିଛି କିଛି ପାରିଲି ନାହିଁ । କେଇଟି ମୁହୂର୍ତ୍ତ ପରେ ସେ ପୁଣି କହିଲା—ଉଷା କୋଳର ବାଳଭାନୁ ଭଳି କେଡ଼େ ସ୍ୱଚ୍ଛ କେଡ଼େ ପବିତ୍ର ଏଇଶିଶୁ । ହୁଏତ ଏଇଶିଶୁ ଦିନେ ଶତ ସୂର୍ଯ୍ୟର ଦୀପ୍ତି ନେଇ ବୀରବିକ୍ରମରେ ଠିଆ ହେବ ପୃଥିବୀପୃଷ୍ଠରେ । ହୁଏତ ଏଇ ହେବ ଦିନେ ଜବାହର, ସୁଭାଷ, ରବୀନ୍ଦ୍ର, ମଧୁସୂଦନ । କେମିତି—କେମିତି ମୁଁ ହେଳା କରିବି—ଅଣହେଳା କରିବି ଶିଶୁଟିକି ? ଧର୍ମ ମୋତେ ସହିବି ତ ? ଦୁଇଟି ଧାର ଝରି ଆସିଲା ଚିବୁକ ଉପରେ । ତରୁଣୀ ମୁହଁ ବୁଲାଇଲା ।

ମୁଁ ନିବିଷ୍ଟ ଆଖିରେ ଖାଲି ଚାହିଁ ରହିଥିଲି । କିଛି କହିଲି ନାହିଁ ।

ସେ ହେବ ମୋର ଶତ୍ରୁ? ସାରା ଜୀବନର ଶତ୍ରୁ ? ହେଉ କ୍ଷତି କ’ଣ ? ମୁଁ ତାକୁ ସାଇତି ରଖେ ବୁକୁ ଭିତରେ, ଆଉଁସି ଦିଏ ମୁହଁ । ମୁଣ୍ଡେଇଧରେ ଗୋଟିପଣେ, ତେଣିକି ସିଏ ମତେ ମାରୁ, ପିଟୁ ଗୋଇଠା ମାରୁ ତା’ଇଚ୍ଛା, ଠାକୁରଙ୍କ ଇଚ୍ଛା, ଠାକୁରଙ୍କ ଇଚ୍ଛା ପୂର୍ଣ୍ଣ ହେଉ । ମୋ କାମରେ ମୁଁ ହେଳା କରିବି କିଆଁ ? ନା ନା ଭଗବାନ୍ ! ମତେ ଶକ୍ତି ଦିଅ, ବଳ ଦିଅ, ମୋ ହୃଦୟକୁ ଦୃଢ଼ କର । ମୁଁ ଏଇ ଛୁଆଟିକି ମଣିଷ କରେ—ମଣିଷ କରେ । ଏଇ ମୋର କଳାମାଣିକ, ରଙ୍କୁଣୀର ଥାଳ, ହୃଦୟର ନିଧି । ନା ନା, ଆପଣ ଯାଆନ୍ତୁ । ଶୀଘ୍ର ଯାଆନ୍ତୁ । ହେଇ ମୋ ସ୍ୱାମୀ ଆସିଲେଣି—

ତରୁଣୀ ଆଖିରୁ ପୁଣି ଗଡ଼ିଲା ଧାର ଉପରେ ଧାର । ଛୁଆଟି ସେତେବେଳକୁ ତାକୁ ଜାବୁଡ଼ି ଧରି କଇଁ କଇଁ ହେଇ କାନ୍ଦି ଉଠିଲାଣି । ତାରା କୁନି ହାତଟିରେ ମା'ର ମୁହଁ ପୋଛିଦେଇ ଖନଖନ ହେଇ କହୁଛି—ତୁକାଁ କରି କାନ୍ଦୁଛୁ ମା ? ନାଇଁ କାନ୍ଦ । ନାଇଁ କାନ୍ଦ୍ ।

ଅସ୍ତାୟମାନ ସୂର୍ଯ୍ୟର କେତୋଟି ଶେଷ କିରଣ ରେଖା ଆସି ଚୁମି ଯାଉଥିଲା ଲାଳନାର ରକ୍ତ ଚିବୁକ । ଚୂର୍ଣ୍ଣକୁନ୍ତଳ କେଇଟି ଥରି ଥରି ଖେଳି ବୁଲୁଥିଲା ଧିର ପବନରେ । ମଥା ମୋର ନଇଁ ଯାଇଥିଲା । ଏଡ଼େ ଉଦାର, ଏଡ଼େ ମହତ୍ ଏ ନାରୀ । ଏଡ଼େ ବିଶାଳ ତାରା ହୃଦୟ, ଅନନ୍ତ ତାରା ବ୍ୟାପ୍ତି । ମନେ ମନେ ସେଇ କରୁଣାମୟୀ, କଲ୍ୟାଣମୟୀ, ମଙ୍ଗଳମୟୀ ମା'ଟିର ଚରଣତଳେ ନୀରବରେ ପ୍ରଣାମ କଲି ମୁଁ—ସାହସ ପ୍ରଣାମ, କୋଟି ପ୍ରଣାମ, ଧନ୍ୟ ସେ ନାରୀ, ଧନ୍ୟ ତା ଜୀବନ, ଶତ ଧନ୍ୟ ତାର ତ୍ୟାଗ, ନିଷ୍ଠା,ମହନୀୟତା ! —ମୁଁ ଉଠି ଠିଆ ହେଲି ।

ଜଣେ ଭଦ୍ରଲୋକ ସାଇକଲ ରିକ୍ସାରେ ଆସି ସେଇଠି ଓହ୍ଲେଇଲେ । ତରୁଣୀ ମୁହୂର୍ତ୍ତେ ବିଳମ୍ବ ନ କରି ପ୍ରକୃତିସ୍ଥ ହେଇ ମୁହଁ ପୋଛି ତାଙ୍କ ସହ ପରିଚୟ କରିଦେଲା—ଇ ବାବୁ କଟକର । ଦେବଗଡ଼ ଯାଉଛନ୍ ଚାକିରୀ କରି । ଅତି ସାଦାସିଧା ମିଳାପି ଲୋକ୍ । ତାଙ୍କର ବୁଇ ଆମର୍ ବାବୁର୍ ବୟସର୍ । ବୁଇର୍ ନାଁ ପରେ ଝର୍‍ନା ।

ଓଃ—ଭଦ୍ରଲୋକ ମୁହଁ ଟେକି ଥରେ ମୋ ଆଡ଼କୁ ଚାହିଁଲେ ! କ୍ଷୀଣହସର ରେଖାଟିଏ ଦେଖାଦେଲା ଓଠରେ, କିନ୍ତୁ ସେ ହସ ଫୁଟି ଉଠୁଉଠୁ ନିମିଷକେ କୁଆଡ଼େ ମିଳେଇଗଲା । ମୁଁ ହାତ ଟେକି ନମସ୍କାର କଲି । ସେ ପ୍ରତି ନମସ୍କାର ଜଣାଇଲେ, କିନ୍ତୁ ଖୁବ୍ ଗମ୍ଭୀର, ଅନ୍ୟମନସ୍କ । କ’ଣ ଯେମିତି ହଜେଇଲା ହଜେଇଲା ଭାବ । ମୁହଁ ଉପରେ ଯେମିତି ଏକ ସଦ୍ୟ ବେଦନାର ବିକଳ ଛାଇ-!

ଟିକିଏ ଅପ୍ରତିଭ ହେଲି ମୁଁ । ଭଦ୍ରଲୋକ ମୋ ସହିତ ପଦେହେଲେ କଥା କହିଲେ ନାହିଁ-। ଆଶ୍ଚର୍ଯ୍ୟ ! କ’ଣ ମୋରି ଲାଗି ଏଇ ସୁକୁମାରୀ ସରଳା ଝିଅଟି ଉପରେ...କିନ୍ତୁ, ନା, ସେପରି ଭାବତ ନାଇଁ । ସନ୍ଦେହରେ ସାମାନ୍ୟ ରେଖା କି ନାଇଁ ମୁହଁରେ । ଥରକ ପାଇଁ ହେଲେ କୁଞ୍ଚିତ ହେଇନାଇଁ ଭ୍ରୂ । ତେବେ କାହିଁକି ? କାହିଁକି ସେ ମୋ ଉପରୁ ମୁହଁ ଫେରାଇନେଲେ ପଲକ ଭିତରେ ? ମୁଁ ଆକାଶପାତାଳ କେତେ କ’ଣ ଭାବିଥିଲି । କିଛି ସିଦ୍ଧାନ୍ତରେ ଉପନୀତ ହେଇପାରିଲି ନାହିଁ ।

କିନ୍ତୁ ମୋର ବ୍ୟଥା କେଇ ମୁହୂର୍ତ୍ତପରେ ଆପଣାଛାଏଁ ଅପସରିଗଲା । ସେ ମୋତେ ତ କଥା କହିଲେ ନାଇଁ । ନିଜ ସ୍ତ୍ରୀ ସହିତ ବି ବେଶୀ କିଛି କଥା ହେଲେନି । ସ୍ତ୍ରୀର ଦଶପଦରେ ତାଙ୍କର ଗୋଟିଏ ପଦ । ତା’ ପୁଣି କେବଳ ହଁ ନାଇଁରେ ଉତ୍ତର । ମୁହଁରେ ହସ ନାଇଁ, ଆନନ୍ଦ ନାଇଁ, ସରାଗ ନାଇଁ । ଆଖିର ସବୁ ଦୀପ୍ତି ଯେମିତ ହଜିଯାଇଛି କୁଆଡ଼େ । ମୁହଁରୁ କଳାପାଣି ନିଗିଡ଼ି ଆସୁଛି । ବୟସର ଦାଗ ବାରି ହେଉଛି କପାଳର ଶିରାରୁ । ମୁହଁ ରୁଢ଼ ବଲବଲ । ପନ୍ଦର ଦିନ ହେଲା ବୋଧେ ବ୍ଲେଡ୍ ବାଜି ନାଇଁ ।

 

ଥରେ ତାଙ୍କୁ ଥରେ ତରୁଣୀକି ଚାହିଁଲି । ତରୁଣୀର ଲୁହ କେତେବେଳେ ଶୁଖିଯାଇଥିଲା-। ସେ କିଲ୍ କିଲ୍ ହେଇ ହସି ଉଠୁଥିଲା । ମୁହଁ ଦିଶୁଥିଲା ଗୋଲାପ ଫୁଲ ଭଳି ଭଲ ଚହଚହ ।

 

ମୋ ଆଖିରୁ ଥପ୍ ଥପ୍ ହେଇ ଲୁହ ଗଡ଼ିଆସିଲା । କହିବାକୁ ମୋର କଥା ନଥିଲା । ରୁମାଲରେ ମୁହଁ ଢାଙ୍କି ଅନ୍ୟତ୍ର ଚାଲିଗଲି ।

 

ବାସ୍ ଛାଡ଼ିବାକୁ ତଥାପି ଦଶ ମିନଟ୍ ଡେରି । ତାଙ୍କର ଓ ମୋର ସବୁ ଜିନିଷପତ୍ର ବାସ୍ ଉପରେ ଲଦା ହୋଇ ସାରିଥିଲା । ଗାଡ଼ି ଭୟଙ୍କର ଭିଡ଼ । ମହିଳାସିଟରେ ସ୍ଥାନ ନାହିଁ । ତେଣୁ ପୁରୁଷ ସିଟ୍ ରେ ବସିବାକୁ ବାଧ୍ୟ ହେଲା । ଆପର୍ କ୍ଲାସ୍‍ର ଗୋଟିଏ ଲମ୍ବା ବେଞ୍ଚର ଏକ କୋଣରେ ସେ ବସିଥିଲା । କୋଳରେ ଛୁଆଟି । ତା’ ଏ ପାଖକୁ ସେଇ ଚାକରାଣୀ ବୁଢ଼ୀ । ବୁଢ଼ୀର ଏ ପଟେ ମୁଁ । ସ୍ୱାମୀ ତାର ବାହାରେ ଠିଆ ହେଇ କଥା ହେଉଥିଲେ ।

 

ଜାଣେନା କ’ଣ ହେଲା । ମୂକ ସ୍ୱାମୀ ତାର ହଠାତ୍ ବାଚାଳ ହୋଇଉଠିଥିଲେ । ଖାଲି କଥାକଥାକେ ଦୀର୍ଘଶ୍ୱାସ, କଥା କଥାକେ ଅଶ୍ରୁ ସଜଳ ଆଖି । ଭାଷା ବେଳେବେଳେ ଟାଇଁ ଟାଇଁ ଆଉ ବେଳେବେଳେ ଭାରି ମୁଲାଏମ, ମିଠା । ସେଠି ପ୍ରତି ମୋର ଧ୍ୟାନ ନଥିଲା । ଧ୍ୟାନ ଥିଲା ବିଷୟ ବସ୍ତୁ ପ୍ରତି । କେଉଁ କଥା ଆଜି ଅଚଳ ପ୍ରତିମାକୁ ସଚଳ କରିଛି, ପାଷାଣରେ ଫୁଟେଇଛି ଝର-। କାନ ଦେଲି । ସେ ରୀତିମତ ଏକ ବକ୍ତୃତା । ସେଠି ପ୍ରେମ ଅଛି, ଅଭିମାନ ଅଛି, ଦରଦ ଅଛି ପୁଣି କିଛି ନାହିଁ—ସବୁ ଶୂନ୍ୟ, ଅନ୍ଧାର, ଧୂ ଧୂ ମରୁଭୂମି ଖାଲି ଉପଦେଶ—ଉପଦେଶ !

 

ଆଜ୍ ରାତି ମଝିର୍‍ ଘର୍‍ଟାକେ ସଫା କରିଦେବ । ଟ୍ରଙ୍କ୍, ସୁଟକେଶ, ବାକ୍ସ, କୁଲା ଚାଲେନ୍, ଆଳୁକୁଚି ମାଳକୁଚି ଯାହା ଥିବା, ସବୁ ଆର୍ ଘର୍ କେ ନେଇଯିବ । କାଏଲ୍ ସକାଲେ ପୁଆଳ ପୁଡ଼ାଇ କରି ଗୁବର୍ ମିଶେଇ ଚିକନ୍ କରି ଘର୍ କେ ଲିପିଦେବ—ଭିତର୍ ବାହାର୍ ସବୁ ବଢ଼େ ସକାଳୁ ଲିପ୍ ବି ଯେନ୍ତା ଦଶ୍ ବଜେକେ ସବୁ ଶୁଖିଶାଖି ଠିକ୍ ଠାକ୍ ହେଇ ଯାଇଥିବ । ସେଇ ଘରେ ଶିରାଧ୍ ହେବା ସେଇଘରେ ତମର୍ ନାନୀ ମାରିଥିଲା ପରେ । ପୂରୁବ୍ କେ ଥିଲା ମୁଁଡ଼ । ଝରକା ଖୁଲା ଥାୟ୍ । ମଲାବେଳେ ଝର୍ ଝର୍ ହେଇ କାନ୍ଦି ପକାଉ ଥାଏ ତମରନାନୀ...

 

ସେ ଟିକିଏ ନରମ ହେଇ ଆସିଲେ । କଣ୍ଠ ହେଲା ଓଦାଳିଆ । ଭିଡ଼ରେ କି କ’ଣ ଛୁଆଟି କାନ୍ଦି ଉଠିଲା । ତାକୁ ଚାକରାଣୀ କୋଳକୁ ବଢ଼େଇ ଦେଇ ତରୁଣୀ ଆଖିରେ ପଣତ ଗୁଂଜିଲା । କହିଲା—ଆଃ, କାଣ ଗୁଟେ ପଡ଼ି ଗଲାଯେ ।

 

ସ୍ୱାମୀଙ୍କର ସେ ପ୍ରତି ଦୃଷ୍ଟି ନାହିଁ । ସେ ସେହିପରି ବିହ୍ଵଳ ହୋଇ କହି ଚାଲିଛନ୍ତି—ଘର୍ ଦୁଆର୍, ଗଛ ପତର୍, ଫୁଲ୍ ଫୁଲ୍ ସବୁ ସେଏ କରିଥିଲା ସବୁଉଥି ଏବେ ବି ତାର କଅଁଲ୍ ହାତର୍ ଚିହ୍ନ ଲାଗିରହିଛେ । ସବୁଥିରୁ ତାର୍ ଜଗାଲା ସବୁ ଗଛୁଁ ତୁମେ ନିଜର୍ ହାତେଁ ଫୁଲ୍ ତୁଲି ଆନବ୍—ମଳି, ଗୁଲାପ୍, ଗଙ୍ଗଶିଉଳି, ଯୁଇ ଜାଇ ଯାହା ପାୟବ ସୁନ୍ଦର୍ କରି ଫୁଲ୍ ମାଲେ ଗୁନ୍ଥ୍ ବ୍ । ଆଉର୍ ନାନୀର ନେଇ ବଢ଼ିଆ ଫୁଟୁଟା ଯେନ୍ ଅଛେ, ତାହାକେ ଯେତେ ବଢ଼ିଆ ହେଇପାରେ, ଯେତେ ସୁନ୍ଦର୍ ହେଇପାରେ ଅଏନ୍ କରି ସଜେଇ ଦେବ ।

 

.......ତୁମେ ଯେତେବେଲେ ସଜେଇ ଦେଶ୍ ନାଇଁ ମତେ ସେ ଫୁଟୁଟା ଜୀବନ୍ ନାଇଁଥିଲା ବାଗିର୍ ନାଇଁ ଦିଶେ। ଦିଶ୍‍ସି ଯେନ୍ତାକି, ସେ ଉଠିଛେ, ପାଲିକିଥୁଁ ଉତରି ଆସିଲା ବେଳ୍‍କେ ଯେନ୍ତା ଦିଶୁଥିଲା— ଚନ୍ଦରଉଦିଆଁ ବାଗିର୍‍ ମୁହୁଁ— ଠିକ୍ ସେନ୍ତା ଢଳିଢଳି ଚାଲି ଆସୁଛେଁ-। ମୁହେଁ ଟିକେ ମୁର୍ କି ହଁସା, କପାଲେ ସୁନ୍ଦର୍ ହେଇ କରି ଚନ୍ଦନ୍ ଲଗା ହେଇଛେଁ-। ଆଖିଥିଁ ଦୁନିଆଯାକର୍ ଲାଜ, ସର୍‍ମ, ସଂକୋଚ....

 

ଠୋ ଠୋ ଠୋ ହୋଇ ହସି ଉଠିଲା ତରୁଣୀ !! କେଜାଣି କ’ଣ ହେଲା ମୁଁ ଠିକ୍ ବୁଝିପାରିଲି ନାହିଁ । ବସ୍ ରେ ଲୋକ ଭର୍ତ୍ତି ହେଇଥାନ୍ତି । ସନ୍ଧ୍ୟା ହୋଇଆସିବାରୁ ବାହାରେ ଓ ବସ୍ ଭିତରେ ଆଲୋକ ଜଳି ଉଠିଥାଏ । ବସ୍ ଭିତରେ ଦିଶୁଥାଏ ଦିବାଲୋକ ଭଳି ଉଜ୍ଜ୍ୱଳ, ଦିଶୁଥାଏ । ତଥାପି ସେକେମିତି ଏମିତି ନିର୍ଲଜଭାବରେ ଠୋ ଠୋ ହସିଲା ମୁଁ ବହୁତ ଚେଷ୍ଟା କଲି ବୁଝିବାକୁ କିନ୍ତୁ ପାରିଲିନାହିଁ । କୋଳାହଳ ଧୀରେ ଧୀରେ ବଢ଼ିଯାଇଥିଲା । ବସ୍ ଛାଡ଼ିବା ସମୟ ହେଲା । କ୍ଳିନର୍ ପଛରୁ ଗଣା ଗଣିସାରି ଡାକ ଛାଡ଼ିଲା—ଠିକ୍ ହୈ । କଣ୍ଡକ୍ଟର ମାରିଲା ଘଣ୍ଟି ଡ୍ରାଇଭର୍ ଷ୍ଟାର୍ଟ ଦେଲା ।

 

ଭଦ୍ରଲୋକ ସେମିତି କହି ଚାଲିଥାନ୍ତି—ସୁନ୍ଦର୍, ଭାରି ସୁନ୍ଦର୍, ସେ ମୁହଁଟା......କେଁ କିନା ମଟର ହର୍ଣ୍ଣ ବାଜି ଉଠିଲା, ଠୋକିନା ଚମକି ପଡ଼ିଲେ ସେ । ତରତର ହେଇ କହିଲେ—ଦେଖ, ସବୁ ଠିକ୍ ଠିକ୍ କରିଥିବ । ଘର୍, ଦୁଆର୍, କାନ୍ଥି, ପିଣ୍ଢାସବୁ ଲିପା ଲୁପି...

 

ଆଉ କିଛି ଶୁଭିଲାନି । ଗାଡ଼ି ଛାଡ଼ି ଦେଲା । ଭଦ୍ର ଲୋକ ତଳେ ରହିଗଲେ । କିନ୍ତୁ ତାଙ୍କ କଥାର କୌଣସିଟି ଅକ୍ଷର ବିନ୍ଦୁ ବିସର୍ଗ ବି ତଳେ ରହିଲା ନାହିଁ । ସବୁ ଆସି ଘନଘନ ଘନଘନ ବାଜିଲା କାନରେ । କାନ ହେଲା ଝାଇଁ ଝାଇଁ, ମୁଣ୍ଡ ବୁଲେଇଲା ଘର୍‍ର୍ ଘର୍‍ର୍ । ଗାଡ଼ି ସେତେବେଳକୁ ଟାଉନ୍ ଛାଡ଼ି ମେରାମଣ୍ଡଳି ରାସ୍ତାର ଅନ୍ଧାର ଭିତରେ ହଜି ଯାଇଥିଲା, କିନ୍ତୁ ସେ ଅନ୍ଧାରକୁ ସହସ୍ର ଗୁଣରେ ଧିକାର କରୁଥିଲା ମୋ ହୃଦୟର ଅନ୍ଧାର ।

 

ମୁଣ୍ଡ ଟେକି ଚାହିଁବାକୁ ତାକୁ ସାହସ ହେଲାନି । ଏଇ ତା’ ହେଲେ ତାର ସ୍ୱାମୀ ! ଏଇ ତାର ସ୍ନେହମୟୀ ଭଉଣୀ ! ଏଇ ତାର ରଙ୍କୁଣିରଥାଳ ପୁଅ ! ଏଇ ତା’ର ସୁଖ ସରଗର ଜୀବନ ! ତାର ହସ ଖେଳ, ନାଚ, କୁଦ, ଏଇ ତାର ଆଗ ମାଇପକୁ ଚଅଟ ଚାପଡ଼ ପଛ ମାଇପକୁ ଦଣ୍ଡବତ-!! ଭଗବାନ, ମୁଣ୍ଡ ମୋର ଫାଟିଗଲା । ସତେକି ଆଖିବାଟେ ଜଳୁ ଜୁଳା ପୋକ ବାହାରି ଆସିଲା ।

 

କିନ୍ତୁ ? କିନ୍ତୁ ଏକ’ଣ ? ଆକାଶଟା ହଠାତ୍ ଛିଡ଼ିପଡ଼ିଲା କେମିତି ? ସାରା ଚନ୍ଦ୍ରଟା ଆସି ଖଣ୍ଡ ଖଣ୍ତ ହେଇ ବିଛେଇ ହେଇପଡ଼ିଛି ମୋ ଆଗରେ । ନା ନା ମୁଁ ବିଶ୍ୱାସ କରିବି ନାହିଁ । ବିଶ୍ୱାସ କରିବି ନାହିଁ । ତରୁଣୀ ପୁଣି ଠୋ ଠୋ ହସୁଛି । ଠୋ ଠୋ ହସୁଛି ଏତେ ଲୋକରେ ଏତେ କଥା ପରେ, ଏତେ ଦାରୁଣ ବ୍ୟଥାର ହୋମାନଳ ଭିତରେ ମଣିଷ କ’ଣ ହସିପାରେ ? ହସିପାରେ ନାରୀ-??

 

ମୁଁ ଆଦୌ ମୁହଁ ଟେକି ଚାହିଁଲି ନାହିଁ । ଏ ନିଶ୍ଚୟ ଆଉ ଏକ ଛଳନା, ମୁଁ ଖୁବ୍ ଦେଖିଲିଣି, ଖୁବ୍‍ ବୁଝିଲିଣି, ମୁଁ ଆଉ ଛଳନାର ଶିକାର ହେବିନି । ମୁଁ ତାର ଅସଲ ରୂପ ଦେଖିଛି ।

 

ସେ ସେମିତି ବିଶ୍ୱମୋହିନୀ ହସହସି ମଥା ନୋଇଁଧୀରେ—କହିଲା—କ୍ଷମା କରିବେ, ମୋର ବେଳେବେଳେ ମନେହୁଏ ଆପଣ ନାରୀ ନା ପୁରୁଷ !

 

ମୁଣ୍ଡାଏ ରଢ଼ନିଆଁ ସତେକି କିଏ ମାଡ଼ିଦେଲା ମୋ ଦେହରେ । ବସ୍‍ର ପ୍ରାୟ ସମସ୍ତେ ବଲବଲ କରି ମୋ ମୁହଁକୁ ଚାହିଁଲେ । କେତେ ବି ହସିଉଠିଲେ ମୁରୁକି ମୁରୁକି । ଅପମାନର ମୋ ମୁହଁ ଜଳିଗଲା । ମୁଣ୍ଡ ଛିଡ଼ି ପଡ଼ିଲା ସତେକି ।

 

ମୋ ଆଡ଼କୁ ଟିକିଏ ହେଲେ ଦୃକ୍‍ପାତ ନ କରି ସେ ପୁଣି କହିଲା—ପରର ଦୁଃଖ ସହି ନ ପାରି ଯିଏ ଆହା କରେ, ନୀର ଢାଳେ, ଲୋକେ ତାକୁ କହନ୍ତି ନାରୀ, ଆପଣଙ୍କ କ’ଣ ଧୃଷ୍ଟତା ମାର୍ଜନା କରିବେ ନାହିଁ ?

 

ମୁଁ ସ୍ତବ୍ଧ ହୋଇ ଚାହିଁଲି । କିଛି କହିଲି ନାହିଁ ।

 

ଭାବନ୍ତୁ ଖୁବ୍ ଭାବନ୍ତୁ ଆପଣ, ଭାବି ଭାବି ଖଡ଼ିଛି' ମୁଣ୍ଡା ଘୋରି ଶେଷରେ ଯୋଉଠି ଯାଇଁ ପହଞ୍ଚିବେ, ଦେଖିବେ ସେଠି ମସ୍ତ ଏକ ଗୋଲ ଆଳୁ, ଆପଣଙ୍କ ଧାରଣା ସବୁ ଭୁଲ୍, ଭ୍ରମ, ଭ୍ରାନ୍ତି ବୁଝୁନାହାନ୍ତି । ଏଇ ଆଜି ମାତ୍ର ଆପଣ ଆସିଛନ୍ତି ଏ ଦେଶକୁ । ଏଥରେ ସମସ୍ତଙ୍କୁ ଚିହ୍ନିବେ, ଜାଣିବେ, ବୁଝିବେ ଏ ସ୍ପର୍ଦ୍ଧା କାହିଁକି ?

 

ମୁଁ ଆଉ ସ୍ଥିର ହୋଇପାରିଲା ନାହିଁ । କହିଲି—ଏ ଦେଶରେ ମୁଁ ନୂଆ ହୋଇପାରେ, କିନ୍ତୁ ଏ ପୃଥିବୀରେ ମୁଁ ନୂଆ ନୁହେଁ । ମୁଁ ସବୁ ଜାଣିଛି, ସବୁ ଚିହ୍ନିଛି, ଆଉ ଚିହ୍ନେଇବା ଦରକାର ନାହିଁ ।

 

ସେ ହସିଲା, କହିଲା—ନା, ଆପଣ କିଛି ଜାଣିନାହାଁନ୍ତି । ତୁଚ୍ଛାଟାରେ ଅଶ୍ରୁ ଢାଳୁଛନ୍ତି । ଅସଲ କଥାଟା ଶୁଣନ୍ତୁ, ତାଙ୍କୁ ପନ୍ଦର ଦିନ ହେଲା ଭୟଙ୍କର ଜ୍ଜର— ପାରାଟାଇଫଏଡ । ଏ ପର୍ଯ୍ୟନ୍ତ ଅନ୍ନ ସ୍ପର୍ଶ କରିନାହାନ୍ତି । ଟଳ ଟଳ ହେଉଛନ୍ତି, କଥା କହିବାର ଶକ୍ତି ନାହିଁ । ଅତ୍ୟଧିକ ଦୁର୍ବଳତା ହେତୁ ମୁଣ୍ଡ ଧରୁଛି, କେତେବେଳେ କ’ଣ ଗପୁଛନ୍ତି ସ୍ଥିର ନାହିଁ ।

 

କେତେବେଳେ ସ୍ତ୍ରୀ କଥା ଭାବୁଛନ୍ତି ତ କେତେବେଳେ ସ୍ୱର୍ଗୀୟ ଜନନୀ ପାଇଁ ଅହରହ ଅଶ୍ରୁବର୍ଷଣ, ଆଉ କେତେବେଳେ ବା ହୋ ହୋ ଶସ୍ତା ସିନେମା ସଙ୍ଗୀତର ଅନର୍ଗଳ ଧାରା, ପାଗଳ, ଅର୍ଦ୍ଧପାଗଳ ସିଏ । ଆଉ ତାଙ୍କ ପାଇଁ ଆପଣ ହେଉଛନ୍ତି ପାଗଳ । ଆପଣଙ୍କ ଅନ୍ତରରେ ବ୍ୟଥାର ରାଗିଣୀ ଛି, ଛି । କି ଦୁର୍ବଳ ଆପଣ ! କି ନିର୍ବୋଧ ଆପଣଙ୍କର ବିଚାରଶକ୍ତି । ସତରେ ଆପଣ ପୁରୁଷ ନୁହନ୍ତି ଆପଣ ନାରୀ-ନାରୀ ।

 

ଏଥରକ ବସ୍‍ର ସମସ୍ତେ ଆହୁରି ଜୋରରେ ହସିଲେ । କିନ୍ତୁ ମୁଁ ତିଳେହେଲେ ସେ ବ୍ୟଥା ବା ଅପମାନ ଅନୁଭବ କରି ପାରିଲିନାହିଁ । ଚକା ଚକା ଭଉଁରି ମାମୁଁଘର ଚଉଁରି, ମୁଣ୍ଡ ମୋର ଚକା ଭଉଁରି ଖେଳୁଥାଏ । ଘିର୍ ଘିର୍ ଘିର୍ ହୋଇ କୋଉଟା ସତ କୋଉଟା ମିଛ, କୋଉଟା ହସ, କୋଉଟା କାନ୍ଦ, କୋଉଟା ଠିକ୍ କଉଟା ଭୁଲ୍‍ ମୁଁ କିଛି ସ୍ଥିର କରି ପାରିନାହିଁ । ସ୍ୱର୍ଗମର୍ତ୍ତ୍ୟ, ଆକାଶ ପାତାଳ, ସୁରଧନି ଗଙ୍ଗା—ଗୋଟିଏ ମୁହୂର୍ତ୍ତକେ ମୁଁ ଚଉଦ ବ୍ରହ୍ମାଣ୍ଡ ବୁଲି ଆସିଲି ।

 

କିନ୍ତୁ ସବୁ ଅନିଶ୍ଚିତ, ସବୁ ଦୋଦୁଲ୍ୟମାନ । ସବୁ ଠିକ୍ ପୁଣି ଭୁଲ୍ । ଖାଲି ଗୋଟାଏ କଥା ଟିକିଏ ଆନନ୍ଦ ଦେଉଥାଏ । ଯେତେ ଅପମାନ ପଛେ ମୁଁ ପାଏ, ହୁଏ ପଛେ ମୁଁ ଯେତେ ବ୍ୟର୍ଥ ଉପହାସିତ ମୋର ସବୁ ପୌରୁଷ ପଛେ ଭାଙ୍ଗିରୁଜି ଚୁର୍‍ମାର୍ ହୋଇଯାଉ, ବିଚାରୀ ଟିକିଏ ସୁଖ ପାଉ, ବିଚାରୀର ଜୀବନ ଟିକିଏ ସୁଖମୟ, ଶାନ୍ତିମୟ, ସୌରଭମୟ ହୋଇଥାଉ ।

 

ମୁଁ କିଛି ଉତ୍ତର ଦେଲେନି, ସେ ବି ଆଉ ପଦେହେଲେ ତୁଣ୍ଡ ଖୋଲିନି । ପୂରାପୂରି ବିଶ୍ୱାସ ନ ହେଲେ ବି କେଜାଣି କାହିଁକି ମନଟା ଖୁବ୍ ହାଲୁକା ହୋଇଯାଇଥିଲା । ମନେ ହେଉଥିଲା ଯେମିତି ମୁଁ ଭୁଲ୍‍ କରିଛି । ମୁଁ ଭୁଲ୍ କରିଛି ତାଙ୍କୁ ମୂଳରୁ ଚୂଳ ଯାଏଁ । ପନ୍ଦର ଦିନ ହେଲା ପାରାଟାଇଫଏଡ, ତେଣୁ ପନ୍ଦର ଦିନ ହେଲା ଖିଅର ନ ହେବା ତ ସ୍ୱାଭାବିକ । ଆଉ ଅନ୍ନମୟି ପିଣ୍ଡ ଅନ୍ନ ନ ଗଲେ କାହା ତୁଣ୍ଡରୁ ବା ବଚନ ବାହାରିବ । ସେଥିରେ ସେ ତା’ ସହିତ ନ କହିଲେ, ମୋ ସହିତ କଥା ନ କହିଲେ କୋ ପ୍ରଳମ୍ବ ବା ଅଶୁଦ୍ଧ ହୋଇଗଲା ।

 

ଆଉ ସେଇ ବାଚାଳତା । ପ୍ରଥମା ପାଇଁ ଶୋକ, ଦୀର୍ଘଶ୍ୱାସ ସେ ତ ଖାଲି ଗୋଟାଏ ଦୁର୍ଘଟଣା—ଏ ଚାନସ୍‍ ପ୍ରଥମ କଥା ମନେ ପଡ଼ିଲା, ସେହିଆଡ଼େ ବହିଗଲା ସମୁଦାୟ ସ୍ରୋତ । ଦ୍ଵିତୀୟ କଥା ମନେପଡ଼ିଥିଲେ ବା ସ୍ୱର୍ଗୀୟ ଜନନୀ କଥା ସ୍ମରଣକୁ ଆସିଥିଲେ ଏ ଆଡ଼େ ସେ ସ୍ରୋତ ଆସିନଥାନ୍ତା କିଏ କହିବ ? ଟାଇଫଏଡ ରୋଗୀର ପ୍ରଳାପ କେତେବେଳେ କୁଆଡ଼େ କୋଉଦିଗରେ ଯିବ ଭଗବାନ କହିବେ ସିନା, ମଣିଷ ତ କହି ପାରିବ ନାହିଁ । ଆଉ ସେଇ ପ୍ରଳାପକୁ ନେଇ ଅଭିମାନ ଅଶ୍ରୁ । ହାୟ, କି ମୋହରେ ମୁଁ ପଡ଼ିଛି । କି ନିର୍ବୋଧତା ସତେ ! କି ନିଚ୍ଛକ ପିଲାଳିଆମି !!

 

ତୁଚ୍ଛାଟାରେ ମୁଁ ବ୍ୟଥାପାଉଛି, ଅଶ୍ରୁ ଢାଳୁଛି । ଅଥଚ ସେ ଅଛି ମହା ନିଶ୍ଚିନ୍ତରେ । ସ୍ୱାମୀ, ପୁତ୍ର, ଦାସଦାସୀ, ସୁଖ ଐଶ୍ୱର୍ଯ, ଭୋଗବିଳାସ ସବୁ ଅଛି ତାର । ବିବାହିତ ଜୀବନରେ ଆଉ କ’ଣ ଅଧିକ ମଣିଷ ଆଶାକରେ ? ହଁ ସଂସାର କଲେ ଟିକିଏ ରୋଗବ୍ୟାଧି ଦୁଃଖଜଞ୍ଜାଳ ଆସେଇ ଆସେ । କିନ୍ତୁ ତା’ କୃଷ୍ଣ ପକ୍ଷର ଅନ୍ଧାର ଭଳି କ’ଣ କଟିଯାଏନି ଦିନ ଦିଟାରେ ? ତା’ ପରେ ଶୁକ୍ଳପକ୍ଷ-। ଚାନ୍ଦ ଦିନକୁ ଦିନ ବଢ଼ିବଢ଼ି ଯାଏ । ଆଜି ତାର ସେଇ ଅବସ୍ଥା । ସ୍ୱାମୀ ଟେକି ଧରିଛନ୍ତି ମୁଣ୍ଡରେ । ସରଗର ଚାନ୍ଦ ମାଗିଲେ ବି ଗଢ଼ି ଦେଉଛନ୍ତି ଘଡ଼ିକେ । କୋଳରେ ଏଡ଼େ ସୁନ୍ଦର ଗୁଲୁଗୁଲିଆ ଟିକିପୁଅ । ଆଜି ଚାରିଆଡ଼େ ତାର ଆନନ୍ଦ । ଚାରିଆଡ଼େ ଫାଟିପଡ଼ୁଛି ଧୋବ ଫର ଫର ଜହ୍ନ ।

 

କ୍ରେଂ କ୍ରେଂ କରି ବ୍ରେକ୍ ଡାକିଲା । ଭୁଷ୍‍କିନା ଅଟକିଗଲା ଗାଡ଼ି । ଗୌରପାଲି ! ବାହାରେ ଫାଟି ପଡ଼ୁଛି କଳା କିଟି କିଟି ଗାଢ଼ ଅନ୍ଧାର !!

 

ଦାଉଁକିନା ମୋ ଛାତି ପଡ଼ିଲା । ଗୌରପାଲି ! ଏଇଠି ସେ ଓହ୍ଲେଇ ଯିବ ଚିରକାଳ ପାଇଁ—ଯୁଗଯୁଗ ପାଇଁ, ଆଉ ସାରା ଜୀବନରେ ତା' ସହିତ ଦେଖାହବ ନାହିଁ । ମୋଟେ କେଇଟି ଘଣ୍ଟା ତଳେ ତା' ସହିତ ପରିଚୟ । କିନ୍ତୁ କି ମାୟା ସେ ଲଗାଇଲା କେଜାଣି, ତା'କୁ ଗୋଟିଏ ନିମିଷ ପାଇଁ ଛାଡ଼ିବାକୁ ଇଛା ହେଉନାହିଁ । ତା'କୁ ଛାଡ଼ିଦେଲେ ପିଣ୍ଡରୁ ପ୍ରାଣ ବାହାରି ଯିବା ଭଳି ମନେହେଉଛି ।

 

ଅଥଚ ଆଉ ପାଞ୍ଚ ମିନଟ୍— ପାଞ୍ଚ ମିନଟ୍‍ ମାତ୍ର ତା’ ପରେ ? ତା’ ପରେ ସେ ଚାଲିଯିବ ଚିରକାଳ ପାଇଁ–ଚିରଦିନ ପାଇଁ ତା’ ପରେ ସବୁ ଅନ୍ଧାର । ସବୁ ଅନ୍ଧାର । ଆଃ ଭଗବାନ-! ମୁଁ କେମିତି ସହିବି ? କେମିତି ହିବି ଏ ବ୍ୟଥା, ବେଦନା, ଦୁଃଖ, ହାହାକାର ? ମୋର ଅନ୍ତରାତ୍ମା ବାହୁନି ଉଠିଲା । ଚକ୍ଷୁ ହେଲା ସଜଳ, ରୁମାଲରେ ବାରମ୍ବାର ଲୁହ ପୋଛିଲି । ତଳକୁ ଓହ୍ଲାଇ ଗଲି-। ମୋ ପରେ ପରେ ଓହ୍ଲେଇଲା ଚାକରାଣୀ ବୁଢ଼ୀ । ତା’ କୋଳରେ ଛୁଆଟି କେତେବେଳୁ ଶୋଇ ଯାଇଥାଏ । ଶେଷକୁ ଓହ୍ଲେଇଲା ସିଏ । ମୁଁ ଲକ୍ଷ୍ୟ କରିଛି ଯେତେବେଳ ଯାଏ ସିଏ ବସ୍ ଭିତରେ ଥିଲା, ବସ୍‍ର ଆଲୋକରେ ଉଜ୍ଜ୍ୱଳ ଦିଶୁଥିଲା ତା’ ମୁହଁ । ଓଠରେ ସେତେବେଳେଯାଏ ମିଠା ହସ ଖଣ୍ଡି ଲାଗିରହିଥିଲା । ଶେଷଥର ପାଇଁ ମୋରି ଆଡ଼କୁ ଚାହିଁ ଚାହିଁ ସେ କର୍ କର୍ ହୋଇ ହସିଉଠିଲା । କିନ୍ତୁ ଯେମିତି ଆସି ପାଦ ଦେଲା ଭୂଇଁରେ, ସେ ହେଲା ଗମ୍ଭୀର । ସେ ହସ ଲୁଚିଗଲା କାହିଁ କେଉଁ ସତ ତଳ ପଙ୍କରେ ।

 

ଚାରିଆଡ଼େ କିଟିକିଟିଆ ଅନ୍ଧାର ହୋଇଗଲା । ବର୍ଷା ଝରୁଥିଲା ଟୁପ୍ ଟୁପ୍ । ରାତି ପ୍ରାୟ ଦଶ । ଡ୍ରାଇଭର୍ ଅନ୍ୟ କେତେଜଣ ପାସେଞ୍ଜର ଦୋକାନକୁ ଚା’ ଖାଇଗଲେ । କଣ୍ଡକ୍ଟର୍ ଗୌରପାଲି ଥାନାକୁ ଗଲା ଡାଇରି ଲେଖିବାକୁ । କହିଲା ଗାଡ଼ି ପ୍ରାୟ ଦଶ ମିନଟ ସେଠି ଅଟକିବ ।

 

ଛୁଆଟି ହଠାତ୍ ନିଦରୁ ଉଠିପଡ଼ିଲା । ମାଁ ମାଁ କହି କାନ୍ଦିଲା । ମାଁ ନେଲା କୋଳକୁ । ବୁଝେଇଲା । ଚୁମା ଦେଲା । ତଥାପି କାନ୍ଦ ବନ୍ଦ ହେଲାନି । ସେ ଚାକରଣିକି କହିଲା ତାକୁ ନେଇ ପାଖ ଗୁଡ଼ିଆ ଦୋକାନରୁ କିଛି ଖୁଆଇ ଆଣିବାକୁ ।

 

ଶତ ବାରଣ ସତ୍ତ୍ୱେ ମୋ ଆଖିରୁ ଲୁହ ଝରୁଥିଲା । ବୁଦ୍ଧିମତୀ ମୁହୂର୍ତ୍ତକେ ବୁଝିପାରିଲା । ଟିକିଏ ସଂକୋଚ ନ କରି, ଟିକିଏ ଦ୍ଵିଧା ନ ମଣି ଚଟ୍ କରି ଧରିଲା ମୋ ହାତ । ମୁଁ ଚାଉଁକିନା ଚମକି ପଡ଼ିଲି । ଅବଶ୍ୟ ଗାଢ଼ ଅନ୍ଧାର ହୋଇଗଲା । କେହି ଦେଖିବାର ଅବକାଶ ନଥିଲା । ଆଉ ଚାକରଣି ତ ସହଜେ ଛୁଆଟିକି ନେଇ ଦୋକାନକୁ ଚାଲିଯାଇଛି । ତଥାପି ଥରି ଉଠିଲା ମୋ ଛାତି-। ମୁଁ ଦୁଇପାଦ ପଛକୁ ଘୁଞ୍ଚିଗଲି । ସେ କିନ୍ତୁ ଦୃଢ଼, ନିଶ୍ଚଳ । ଆମେ ଚାଲି ଚାଲି ହୋଇ ଟିକିଏ ଆଢ଼ୁଆଳକୁ ଗଲୁ । ମୋର ଆହୁରି ପାଖକୁ ଲାଗିଆସିଲା ସେ । ନିଜ କାନି ପଣତରେ ଧୀରେ ଧୀରେ ପୋଛି ଦେଲା ମୋ ଆଖିର ଲୁହ । ମୁଁ ସ୍ତଦ୍ଧ ହୋଇ ରହିଗଲି । ନାରୀ ଯେ ଏତେଦୂର ଆଗେଇ ଯାଇପାରେ ମୋର କଳ୍ପନା ନଥିଲା ।

 

ମୋର ଡାହାଣ ହାତଟିକି ତାର ନରମପାପୁଲି ଦୁଇଟି ଭିତରେ ରଖି ଥରିଥରି କହିଲା–ଆଉ ଆପଣ କହିବି ନାହିଁ । ତମେ କହୁଛି । ତମେ କାନ୍ଦୁଛ ମୁଁ ଚାଲିଯିବି ବୋଲି,କିନ୍ତୁ ତମ ପାଇଁ ଯେ ମୋ ଅନ୍ତସ୍ଥଳରୁ କ’ଣ ଉଠୁଛି ତା ମୁଁ କହିପାରିବି ନାହିଁ । ତମକୁ ବୁଝାଇ ପାରିବିନାହିଁ-। ସାରା ଦୁନିଆରେ କେବଳ ତମେ ହିଁ ମତେ ଚିହ୍ନିଛ, ତମେହିଁ ମତେଭଲ ପାଅ । ତମେ ହିଁ ମୋତେ ପ୍ରେମ କରିଛ—ସେ କହୁଁ କହୁଁ ଭାବବିହ୍ୱଳ ହୋଇଉଠିଲା । ଗୋଟି ପଣେ ଥରିବାକୁ ଲାଗିଲା-। କଇଁକଇଁ ହେଇ କାନ୍ଦିଉଠିଲା ପିଲାଙ୍କ ଭଳି । ମୁଁ ଅନ୍ଧ ହେଇଯାଇଥିଲି । ପଥର ହେଇ ଯାଇଥିଲି-। ନିଜ ଆଖିକୁ ନିଜେ ବିଶ୍ୱାସ କରିପାରିଲି ନାହିଁ ।

 

.......କହୁଥିଲିନା ତମେହିଁ ମୋର ଶତ୍ରୁ ? ହଁ ଶତ୍ରୁ । କାରଣ ତମ ଛଡ଼ା ଏମିତି ନିଖାରି କେହି ଦେଖିନାହାନ୍ତି । ମତେ କେହି ବୁଝିନାହାନ୍ତି । ମୋର ଛାତିତଳର ବ୍ୟଥା କେହି ଶୁଣିନାହାନ୍ତି । ମୋର ଉପାସୀ ଆତ୍ମାର କଲବଲ ଛଟପଟ ଡାକ କେହି ଶୁଣିନାହାନ୍ତି । ଅଦ୍‍ଭୁତ—ଅଦ୍‍ଭୁତ ଏଇ ନାରୀ । ସେ କ’ଣ କହେ, କ’ଣ କରେ ତା’ ବୁଝିବା ଦେବତା ପକ୍ଷରେ ବି ଦୁଷ୍କର । ମଣିଷ ତ ଅତି ଛାର ମୁଁ ତଟସ୍ଥ ହେଇ ଖାଲି ଚାହିଁରହିଥିଲି । କିଛି ଉତ୍ତର ଦେଇ ପାରୁନଥିଲି ।

 

.......ତମେ କହୁଥିଲ କାନି ପଣତରେ ବାନ୍ଧି ରଖିବାକଥା । ବନ୍ଧାଯାଏ ମନ, ମଣିଷ ବନ୍ଧା ଯାଏନା । ଯାହାର ମନ ଅହରହ ବୁଡ଼ି ରହେ ଅଭାଗିନୀ ପ୍ରିୟାର ଚିନ୍ତାରେ—ଜୁଇଗାତର ହାଡ଼ ପାଉଁଶ ଅଙ୍ଗାର ଭିତରେ ଯିଏ ଦିନରାତି ଖୋଜିବୁଲେ ପ୍ରିଆକୁ, ତାକୁ ମୁଁ ବାନ୍ଧିବି କେମିତି ? କେଉଁ ରଜ୍ଜୁରେ ? କି ମନ୍ତ୍ରପଢ଼ି ?

 

ମୁଁ ଆଉ ସ୍ଥିର ହୋଇ ରହିପାରିଲିନାହିଁ କହିଲି— କିନ୍ତୁ ତମେ ତ ନିଜେ କହିଥିଲ ସେ ତୁମକୁ ତୋଳି ଧରିଛନ୍ତି ମୁଣ୍ଡରେ । ମୁଣ୍ଡରେ ନୁହେଁ ଗଣ୍ଡିରେ । ମୋରି କୋଳରେ ଶୋଇ ମୋରି ଓଠ ଧରି ସେ ମନେ ପକାନ୍ତି ତାଙ୍କ ଦୁଖୀନୀ ପ୍ରିୟାଙ୍କୁ । ଧାରଧାର ଲୁହ ଗଡ଼ିଯାଏ ଆଖିରୁ । ମୁହଁ ହୁଏ କଳାକାଠ । ମୁଁ କଡ଼ ଲେଉଟାଇ ଶୁଏ । ସେ ସେମିତି କାନ୍ଦୁଥାନ୍ତି ।

 

ମୁଁ କହିଲି— କିନ୍ତୁ ଏତେ ଯୋଉଠି ପ୍ରଥମା ପାଇଁ ପ୍ରୀତି ଉପଚାର, ସେଠି ତମ ଅନ୍ତରରେ ବ୍ୟଥାର କଣ୍ଟା ଫୁଟେନା କେମିତି? ତମେ କେମିତି ଭଉଣୀ କହି ମଥା ନୋଇଁ ଦିଅ ଭକ୍ତିରେ, ପ୍ରେମରେ ।

 

କହିଲା—ଦେବୀଙ୍କର ଆରାଧନା କରେ, କିନ୍ତୁ ଦେବୀଙ୍କର ଅନୁଗ୍ରହ ପାଇଁ ନୁହେଁ, ପୂଜାରୀଙ୍କର ଅନୁକମ୍ପା କଣିକାଏ ପାଇଁ, ଦେବୀଙ୍କର ପଥର ଦେଉଳରେ ଢୁ ଢୁ ମଥା ପିଟିବାର ଦେଖିଲେ କାଳେ ପୂଜାରୀ ଟିକିଏ ପ୍ରସନ୍ନ ହେବେ । ତା’ ଛଡ଼ା ନିଜ କାନରେ ଶୁଣିଲ ତ ଆଦେଶ–ଘରଦୁଆର, ପିଣ୍ଡ, ଅଗଣା ସବୁ ମାଟି ଗୋବରରେ ଲିପିପୋଛି ଧୋଇଧାଇ.........ଇସ୍ ମୁଁ ଯେମିତି ୟାଙ୍କ ଘରର ଅଇଁଠାଖାଇ ଦାସୀ । ୟାଙ୍କ ପିଲାଙ୍କର ଚାକର । ଓଃ ଭଗବାନ ତା’ ଆଗରୁ ମୋର ମରଣ ନ ହେଲା କିଆଁ ? "ମରଣ ନହେଲା କିଆଁ"

 

ସେ ବେଶୀ ବେଶୀ କାନ୍ଦି ଉଠିଲା । ଖାଲି ବେଶୀ ବେଶୀ ହାବୁକା ଉଠିଲା ଛାତିରୁ । ମୁଁ ତାକୁ ସାନ୍ତ୍ୱନା ଦେବି ଭାବି ପାରିଲିନାହିଁ । ତାର ସବୁ ଦୁଃଖ ସବୁ ଅଶ୍ରୁକୁ ମୁଁ ନୀଳକଣ୍ଠ ଭଳି ଆକଣ୍ଠ ପାନ କରି ଦେବାକୁ ଚାହୁଁଥିଲି । କିନ୍ତୁ ନାଚାର, ତା’ ଅସମ୍ଭବ । ହୋଇପାରିବ ନାହିଁ । ମୁଁ ସ୍ଥିର ହେଲି-। କିନ୍ତୁ ହଠାତ୍ କ’ଣ ହେଲା ମୋ ତୁଣ୍ଡରୁ ବାହାରି ପଡ଼ିଲା—ଆଉ ତୁମର ସେଇ ଦେବଶିଶୁ-

 

କହିଲା—ଦେବଶିଶୁ କଥା ଦେବତା ବୁଝନ୍ତୁ । ମୋ କଥା କେହି ବୁଝିଲେ ନାହିଁ, ମୁଁ କାହାରି କଥା ବୁଝି ପାରିବି ନାହିଁ । କେଡ଼େ ନିର୍ବୋଧ, ପାଷାଣ୍ଡ, ହୃଦୟହୀନ ଏମାନେ । ମୁଁ ଏ ଯାଏ ବି ଏକ ଶିଶୁ, ଚପଳା ବାଳିକା । ଧୂଳିଖେଳର ରଙ୍ଗ ମୋର ଆଜିଯାଏ ଭାଙ୍ଗିନାହିଁ । କୋଳରେ ଆଣି ଧରେଇ ଦେଲେ ଏକ ଶିଶୁ—ଏଇ ତୋର କଳାମାଣିକ । ରଙ୍କୁଣୀର ଥାଳ । ହୃଦୟର ନିଧି । ହାୟରେ ଖାଲି କଥାରେ ସବୁ ହେଇଗଲ । ହୃଦୟର ବନ୍ଧନ ହୁଏ ନାହିଁ । କଥାରେ ହୁଏ ରକ୍ତରେ—ରକ୍ତର । ନିବିଡ଼ ସମ୍ପର୍କରେ । ଏତିକି ତୁମର ବୁଦ୍ଧି ହେଇନାହିଁ ! ତମ ଆଖି ଫୁଟି ଯାଇଛି !!

 

ମୁଁ ତା ପାଟିରେ ହାତଦେଇ ବନ୍ଦ କଲି—ଥାଉ । ହିନ୍ଦୁ ଘରର କୁଳନାରୀ ତମେ, ବିଦ୍ରୋହ କରନାଇଁ । ଆଖିବୁଜି ମାଟି ଗୁଡ଼ି କାମୁଡ଼ି ପଡ଼ିଥାଅ । ସୁଖର ଦିନ ନିଶ୍ଚୟ ଦିନେ ଆସିବ ।

 

ସୁଖର ନୁହେଁ ମରଣର । ଠିକ୍ କହିଛ ତମେ ଜୀବନଟା ଖାଲି ଆର୍ତ୍ତନାଦ, ଖାଲି ପୁରୁଷର ଗନ୍ଧ ! ପୁରୁଷର ଗନ୍ଧ !

 

ଛି ସେପରି କହ ନାହିଁ । ସବୁ ଦିନ କାହାର ସମାନ ଯାଏ ନାହିଁ । ଅନ୍ଧାର ପରେ ଆଲୁଅ ନିଶ୍ଚେ ଆସିବ । ସେ ହଠାତ୍ ହସି ଉଠିଲା କହିଲା—ହଁ ଆଲୁଅ । ସୁଖ ନିଶ୍ଚୟ । ଆଚ୍ଛା ତମେ କହିବି ମୁଁ ଯଦି ଏଠିକି ନ ଆସି ଅନ୍ୟ କେଉଁଠିକି ଯାଇଁ ବି–ଧ–ବା ହେଇଥାନ୍ତି । ହଁ ହଁ ବି-ଧ-ବା ହେଇଥାନ୍ତି-। ତା’ ହେଲେ କ’ଣ ମୁଁ ସୁଖରେ ନ ଥାନ୍ତି ? ଐଶ୍ଵର୍ଯ୍ୟରେ ପୂରି ଉଠି ନ ଥାନ୍ତା ମୋ ଘର-?

 

ଆଃ—ମୋ ଛାତି ଭିତରର ପଞ୍ଜରା ହାଡ଼ଟା ଯେମିତି ମଡ଼ ମଡ଼ ହୋଇ ଭାଙ୍ଗି ପଡ଼ିଲା-। ଆପାଦମସ୍ତକ କମ୍ପି ଉଠିଲା ଭୟରେ । ଖୁବ୍ ଜୋରେ ତା ପାଟି ବୁଜି ଧରିଲି । କହିଲି—ଛି ଛି, ଏ ଅଶୁଭ କଥା କହନ୍ତି ? ଏ ଶବ୍ଦ ଉଚାରଣ କରିବାହିଁ ପାପ । କାହିଁକି, ବିଧବା ହେଲେ କ୍ଷତି କ’ଣ ? ମୁଁ ହେଲେ ମୁହୂର୍ତ୍ତେ ବସନ୍ତି ମୁକ୍ତଆଲୋକରେ, ମୁକ୍ତ ପବନରେ । ମୁକ୍ତ ଆକାଶରେ ଉଡ଼ନ୍ତି ଟିକିଏ ବିହଙ୍ଗ ଭଳି । ସେଠି ଅନ୍ତତଃ ଏ ସଉତୁଣୀର ଜ୍ୱାଳା ନ ଥାଆନ୍ତା, ନଥାନ୍ତା ଏ ଅବାଞ୍ଛିତ ଶିଶୁର ଜଞ୍ଜାଳ । ଆଉ ସ୍ୱାମୀ, ମୃତ ସ୍ୱାମୀ ଆଉ ଜୀବନ୍ତ ସ୍ୱାମୀ ଭିତରେ ତଫାତ୍ ବା କ’ଣ । ଇଏତ ସାତ ମଲାରୁ ମଲା ।

 

ଛି ଛି ଛି—ମୁଁ ତାକୁ ଠେଲି ଦେଇ ଚିତ୍କାର କରି ଉଠିଲି—ଏପରି କହ ନାହିଁ । ଏପରି କହିବତ ମୁଁ ଆଉ ମୁହୂର୍ତ୍ତେ ଅପେକ୍ଷା କରିବି ନାହିଁ । ଚାଲିଯିବି ।

 

କହିଲା କିନ୍ତୁ କାହିଁକି ? କ'ଣ ପାଇଁ ଏ ଦରଦ ? ନିଜ ଆଖିରେ ତ ତା'ଙ୍କୁ ଦେଖିଲ । ଆଖି ହେଲାଣି କୋରଡ଼, ହନୁହାଡ଼ ବାହାରି ପଡ଼ିଲାଣି ଉପରକୁ । ମୁହଁ ପନ୍ଦରଦିନ ହେଲା ରୁଢ଼ ବଲବଲ । କିନ୍ତୁ ତାଙ୍କୁ ଟାଇଫଡ଼ ହୋଇଥିଲା ବୋଲି କହିଲ ଯେ, କ'ଣ ମିଛ କଥା ?

 

କିଛି ମିଛ ନୁହେଁ, ସବୁ ସତ କିନ୍ତୁ ବୁଝ ଯେ ଟାଇଫଡ଼ ହେଲା କାହିଁକି ? ରାତିରାତି ଅନିଦ୍ରା ହୋଇ ଯିଏ ଚାହିଁରହିବ ଶୂନ୍ୟ ଆକାଶକୁ, ମଶାଣିର ଅଂଗାରା ପାଉଁଶ ଭିତରେ ଯିଏ ଖୋଜିବ ସ୍ତ୍ରୀର ରୂପ, ଶୋଭା, ଲାବଣ୍ୟ, ତାକୁ ଟାଇଫଡ଼ ନ ହେବ ତ ହବ କାହାକୁ? କୁହ, ତମେ କୁହ, ଇଏ ତ ସାରା ଦିନ ସାରାରାତି ରହିବେ ମଶାଣିରେ, ନଈ କୂଳରେ, ଝରଣା କୂଳରେ—ମଣିଷମୁଣ୍ଡ ଆଣି ଛାତିରେ ଜାକିବେ, ଲୁହ ଢାଳିବେ, ଆଉ ସେଇ ଲୁହ ଜରଜର ମୁଣ୍ଡରେ ଦେବେ ଚୁମା, ଆଉ ମୋ କଥା ବୁଝିବ କିଏ ? କିଏ ମୋତେ ଆଦର କରିବ ? କୋଳକୁ ନେବ ? କିଏ ମୋତେ ଭିଡ଼ି ଧରିବ ଛାତିରେ ? କିଏ ମୋ କଅଁଳ ଗାଲରେ, କଅଁଳ ଓଠରେ , କଅଁଳ ମୁହଁରେ ଦେବ ଚୁମା, ସହସ୍ର ଚୁମା, ନିବିଡ଼ ଚୁମା, ଅଜସ୍ର ଚୁମା । ଓଃ ।

 

ଲୁହ ସିଂଘାଣିରେ ଏକାକାର ହୋଇ ଭାସୁଥିଲା ସେ, ଢ଼ୁ’ କିନା ମୁଣ୍ଡ ପିଟିଦେଲା ମୋ ଛାତି ଉପରେ । ସାରା ଅଙ୍ଗ ଅବଶ ହେଇଆସିଲା । ସତେ ଯେମିତି ପ୍ରାଣବାୟୁ ବାହାରିଗଲା ପିଣ୍ଡରୁ, ସେ ସ୍ତମ୍ଭ, ମୁଁ ସ୍ତବ୍ଧ, ଦୂର ବଣ ପାହାଡ଼ ଭିତରୁ ନିଶାର ଗର୍ଜ୍ଜନ ଖାଲି ଶୁଭୁଥାଏ ସାଆଁଇ, ସାଆଁଇ ।

 

କ୍ରେଂ କ୍ରେ, ମଟର ହର୍ଣ୍ଣ ବାଜିଉଠିଲା । ସପ୍ତ ସ୍ୱର୍ଗରୁ ମୁଁ ଯେମିତି ଦୁଲ୍‍କିନା କଚାଡ଼ି ହୋଇପଡ଼ିଲି ମାଟିରେ । ଛାତି ମୋର ଫାଟି ଯାଇଥିଲା ତା'ଦୁଃଖରେ । ଏତେ ତା'ର ଦୁଃଖ, ଏତେ ତା'ର ବ୍ୟଥା, ଏତେ ବଡ଼ ତା' କଲିଜା ତଳର ଘା' । ଥଲ ଥଲ ହେଉଛି । ମୁଣ୍ଡା ମୁଣ୍ଡା ଛିଡ଼ିପଡ଼ୁଛି ଲହୁ । ପାଦରୁ ମୁଣ୍ଡ ଯାଏ ସେ ହୁ ହୁ ଜାଳି ଯାଉଛି ପୁଣି ଜୀଇ ଉଁଠୁଛି । ପୁଣି ଜଳୁଛି ପୁଣି ଜୀଉଛି, ପୁଣି ଜଳୁଛି । ଏ ଜ୍ୱଳନର ଶେଷ ନାଇଁ, ସୀମା ନାଇଁ । ଭଗବାନ ! ଅନ୍ଧ ଭଗବାନ ! ପଙ୍ଗୁ ଭଗବାନ ! ଏ କ'ଣ କଲ ? କ'ଣ କଲ ତମେ ? ତା' ଆଗରୁ ତମ ଆଖି କ'ଣ ଫୁଟି ଯାଇଥିଲା ? ତମେ ମରିଯାଇଥିଲ ? ମରିଯାଇଥିଲ ପ୍ରଭୋ ?

 

ମୁଁ ଆଉ ଭାବି ପାରିଲି ନାଇଁ । ଡ୍ରାଇଭରର ଡାକ ଶୁଭିଲା, ତନ୍ଦ୍ରା ତୁଟିଲା ମୋର । ସ୍ୱପ୍ନ ହଜିଲା, ମୋ ଆଖିରୁ ଖାଲି ବହିଲା ଝର । ସେ ଆହୁରି ଜୋରେ ଆହୁରି ଜୋରେ ମଥା ପିଟି ଖାଲି ଭୋ ଭୋ କାନ୍ଦିଲା—ଭୋ ଭୋ କାନ୍ଦିଲା । ବେଳ ଅତିକ୍ରାନ୍ତ ହୋଇଥିଲା । ବହୁକଷ୍ଟରେ ତା’କୁ ଛାଡ଼ି ଅଲଗା ହୋଇ ଠିଆହେଲି । ତା' ଆଖିରେ ଲୁହ ଫାଟି ପଡ଼ୁଥିଲା । ମୋ ଆଖି ଅନ୍ଧ ହେଇଯାଇଥିଲା ଲୁହରେ । କିନ୍ତୁ ବେଳ ନାଇଁ, ମୋତେ ରହିବାକୁ ହିଁ ହେବ । ତାକୁ ଯିବାକୁ ହିଁ ହେବ-। ବହୁତ ବୁଝେଇଲି । ବହୁ କଷ୍ଟରେ ସେ ଟିକିଏ ମାତ୍ର ସ୍ଥିର ହେଲା । ମୁଁ ନାହିଁ କରୁ କରୁ ଗଳଲଗ୍ନ ହେଇ ପାଦ ଛୁଇଁ ପ୍ରଣାମ କଲା । ଲୁହ କଣ୍ଠରେ କହିଲା—ତମେ ମୋର ଗୁରୁ, ପ୍ରେମିକ, ଦେବତା-। ମୁଁ ତମକୁ ସାରା ଜୀବନରେ ଭୁଲି ପାରିବି ନାଇଁ । ଭୁଲି ପାରିବି ନାଇଁ ।

 

ପୁଣି ଥରେ ହର୍ଣ୍ଣ ବାଜିଲା । ମୁଁ ତାର କଅଁଳ ହାତଟିକି ଧରି ଅତି ବିକଳ ଆଖିରେ ଶେଷ ବିଦାୟ ନେଇ ଫେରିଆସୁଥିଲି । ହଠାତ୍ କ'ଣ ଭାବିଲି ପାଦେ ଲେଉଟିଲି । ତା’ ହାତକୁ ବଢ଼େଇ ଦେଲି ଖଣ୍ଡେ କାଗଜ ଆଉ ଫାଉଣ୍ଟେନ ।

 

ଦର ଦର ଲୁହ ଗଡ଼ାଇ ଥର ଥର ହାତରେ ସେ ଲେଖିଦେଲା ତା’ ନାଁ ଟି । ପୂରା ଠିକ୍‍ଣା ଲେଖିବାକୁ ଯାଉଥିଲା କିନ୍ତୁ ବେଳ ନାଇଁ, ଛଡ଼ାଇ ଆଣିଲି ।

 

ମୁଁ ଗାଡ଼ିରେ ବସିଲି । ଗାଡ଼ିର ଚାଳିଶ ଯୋଡ଼ା ଆଖି ମୋ ଆଡ଼ିକୁ ତୀର ବିନ୍ଧିଲା ଭଳି ଚାହିଁ ରହିଲା । ତିଳେ ମାତ୍ର ତହିଁରେ ଭ୍ରୂକ୍ଷେପ ନକରି ମୁଁ ନିର୍ବିମେଷ ନେତ୍ରରେ ଚାହିଁ ରହିଥିଲି ଅନ୍ଧାର ଆଡ଼େ । ନିବିଡ଼ ଅନ୍ଧାର, ଗାଢ଼ ଅନ୍ଧାର, କିଟିକିଟି ଅନ୍ଧାର, ସାରା ବିଶ୍ୱବ୍ରହ୍ମାଣ୍ଡ ଅନ୍ଧାର ହୋଇଯାଇଥିଲା ମୋ ଆଗରେ ।

 

ବହୁକ୍ଷଣ ପରେ ମୋର ଚେତନା ଆସିଲା । ବସ ଲୋକଙ୍କର ମୁରୁକିହସା ତେବେବି ସରିନାହିଁ । କିଏ କହୁଛି ଟିଟ୍ଟିକାର, କିଏ କହୁଛି ଛି ଛି, କିଏ କହୁଛି ନିର୍ଲଜ, ମୂଢ଼ । କାହାରି କଥାରେ ଧ୍ୟାନ ନଥିଲା ମୋର । ବସ୍ ଜୋରେ ଛୁଟିଥିଲା । ସେତେବେଳକୁ ହଜିଯାଇଥିଲା ଅନ୍ଧକାରର କେଉଁ ଅନନ୍ତ ଶୂନ୍ୟତା ଭିତରେ । ବସ୍ ଆଲୁଅରେ ସେହି ଲୁହ ବିଲିବିଲା କାଗଜ ଖଣ୍ଡିକ ଫିଟାଇ ଦେଖିଲି......

 

ତା ନାଁ ଅଞ୍ଜଳି ।

 

ଏହି ଗପରନାମ "ଅପରିଚିତା"

ଦେବଗଡ଼

ଫଗୁଣ ସଞ୍ଜ

ତା ୧-୨-୧୯୫୨

Image

 

ପରିଚିତା

 

‘ତମ ହାତ ଧରୁଛି ମଉସା ! ଡଙ୍ଗାବାଲାକୁ ଟିକିଏ ଡାକ । ତିନି ଦିନ ହେଲା ଲାଗେ ଲାଗେ ଦି’ ଦି’ଟା ତାର ପାଇଲିଣି । ସ୍ତ୍ରୀ ମୋର ଅତିଶୟ—ଶେଷ ଅବସ୍ଥା । ମୁଁ କ'ଣ ଆଉ ଶେଷ ବେଳେ ଟିକିଏ ଦେଖିପାରିବି ନାହିଁ ? ଠାକୁରେ ତମର ମଙ୍ଗଳ କରିବେ । ଥରେ ଡାକ ମଉସା ! ତମ ଗୋଡ଼ ଧରୁଛି....'

 

ଘାଟିଆ ଲଣ୍ଠନ ତେଜି ଘଡ଼ିଏ ତା' ଆଡ଼କୁ ଚାହିଁଲା । ତା'ପରେ ମୁଣ୍ଡ ହଲେଇ ଫେରିଯିବାକୁ କହି ଆସ୍ତେ ଆସ୍ତେ କଠଉ ଠକ୍ ଠକ୍ କରି ନିଜ ଘର ଆଡ଼କୁ ଗୋଡ଼ ବଢ଼େଇଲା । ଘଡ଼ିକେ ବିଜୁଳି, ଘଡ଼ିଘଡ଼ି, ପାଣି, ପବନ ଏକାବେଳକେ କାହୁଁ ମାଡ଼ି ଆସିଲା ।

 

X X X

 

ସଂଜ ବେଳ । ନେଳି ଆକାଶରେ ନାଲି ମୁରୁଜ କାଟି ଦେଇ ସୁରୁଯ ଦେବତା ଢାଳି ପଡ଼ିଲେଣି ସବୁଜ ବନର ସଜ ଶେଫାଳି କୋଳରେ । ଜୁଆରପାଣି ମାଡ଼ିଆସି ସରୁ ନଈ ଧାରଟି ବେଳକୁବେଳ ଫୁଲି ଫୁଲି ଉଠୁଛି । କଳା ମଚ ମଚ ଭେଣ୍ଡା ମରଦଟା ଝାଳନାଳ ଆଣ୍ଠୁଏ ହୋଇ ଚଉକସିଆ ଭାରେ ଘାସ ଆଣି ଧୋଇବା ପାଇଁ ନଈ କୂଳରେ ଅଜାଡ଼ିଛି । ଘଟ ବନ୍ଦ ହୋଇ ନାହିଁ, ହେଲେ ଶେଷଭରା । ପିଲା ବୁଢ଼ା କରି ଆଠ ଦଶ ପଝାରି ଆସି ଜମିଲେଣି । ସମସ୍ତଙ୍କ କାନ୍ଧରେ ଗୋଟିଏ ଗୋଟିଏ ବୁଜୁଳି । ହାଟ କରି ଗାଁକୁ ଫେରୁଛନ୍ତି ।

 

ନଈ ଉପରେ ଉଞ୍ଚା ଜାଗାଟାରେ ବାଉଁଶ ଡେରି, ଜୁଣ ଛାଉଣି କରି ଯେଉଁ ଦଦରା ସାନ କୁଡ଼ିଆ, ଖଣ୍ଡେ ମରା ହୋଇଛି, ତା'ରି ଭିତରେ ବୁଢ଼ା ପଟାଦାର ଜାକିଜୁକି ହୋଇ ଛିଣ୍ଡା ସଉପ ଖଣ୍ଡିକରେ ବସିଛି । ପିଙ୍କା ଟାଣୁ ଟାଣୁ ପଝାରିଙ୍କଠଉଁ ପଇସା ଦି’ ପଇସା କରି ଘାଟ ମାହାସୁଲ ଆଦାୟ କରୁଛି । ନାଉରୀ ଅଡ଼ି ବସିଛି—ଜଣକେ ଚାରି ଚାରି ପଇସା ବକ୍‍ସିସ୍ ନ ଦେଲେ ସେ ଡଙ୍ଗା ଫିଟେଇବ ନାହିଁ । ଜୁଆର ବେଳ । ଭାରି ଓରଦା ପଡ଼ିଛି । ତେହିଁକି ପୁଣି ମେଘ ଅନ୍ଧାର ସାଙ୍ଗକୁ ପାଣି ପବନ ମାଡ଼ି ଆସିଲାଣି, ଟିକିଏ ଟାଣ ବକ୍‍ସିସ୍ ନ ହେଲେ କାତ ବୋଲ ମାନିବ ନାହିଁ ।

 

'ଆଚ୍ଛା ତୁ ଆଗ ଡଙ୍ଗା ଫିଟା । ଆମେ ଅଳପେ ବହୁତେ ତୋତେ ବକ୍‍ସିସ୍ ନ ଦେଇ କ'ଣ ଖାଲି ହାତରେ ଫେରେଇବୁ ?' —ସମସ୍ତଙ୍କ ମୁହଁରେ ଏଇ କଥା, ହେଲେ ଆଗତୁରା କେହି ଅଣ୍ଟାରୁ ପଇସା କାଢ଼ୁନାହାନ୍ତି । କିନ୍ତୁ ଡଙ୍ଗା ଫିଟେଇବାକୁ ସମସ୍ତେ ଉଚ୍ଛନ୍ନ । ଆଉ କେହି ଲୋକ ଗଡ଼ିବାର ଦେଖାଯାଉ ନାହିଁ । ଏଣେ ସଂଜ ହୋଇଯାଉଛି । ଆର ପାଖରେ ପହଞ୍ଚିଲେ ପୁଣି କିଏ କେତେ ଦୂର ବାଟକୁ ଯିବ । ମେଘ ଅନ୍ଧାର ରାତି । ଦିରିଶ ଥାଉଁ ଥାଉଁ ଟିକିଏ ପାରି ହୋଇପଡ଼ିଲେ ସବୁ ଆଡ଼କୁ ଭଲ ।

 

ହରିବୋଲ ହୁଲୁହୁଳି ଦେଇ ଲୋକେ ଖୁଣ୍ଟରୁ ଦଉଡ଼ି ଫିଟେଇବା ଉପରେ, ଏହି ସମୟରେ ମଙ୍ଗ ଉପରେ ଠିଆ ହୋଇ ନାଉରୀ କାତ ଉଠେଇଲାବେଳକୁ ଦେଖେ—ଜଣେ ଲୋକ ଗଛ ଗହଳି ଭିତରୁ ବାହାରି ହୁଡ଼ା ଉପରକୁ ଉଠିଲା । ମୁଣ୍ଡରେ ଛିଣ୍ଡା ପଖିଆ; ବେକରେ ତେଲ କୋଚଟ ଗାମୁଛାରେ ବନ୍ଧା ଲୁଣ, ମରିଚ, ଜିରା, ସୋରିଷର ସତ ର ପୁଟୁଳା ସଉଦା; ଡାହାଣ ହାତରେ ଖାଇବାତେଲ, ଲଗେଇବା ତେଲ, ଡିବି ତେଲର ଦୁଇ ଚାରିଟି ଛୋଟ ବଡ଼ ଶିଶି ବୋତଲ-। ବାଁ ହାତଟା କିନ୍ତୁ ଖାଲି । ହେଲେ ଗୁଗୁଚିଆ ଲାଗିଯିବା ଡରେ ବାଁ ହାତରେ ଲୁଗା ଟେକିଟାକି ଆଣ୍ଠୁ ଉପରକୁ ଜାବୁଡ଼ି ଧରିଛି ଆଉ ଡଙ୍ଗା ଛାଡ଼ିଦବ ବୋଲି ନସର ପସର ହୋଇଧାଇଁଛି ।

 

ନାଉରୀ ଡାକ ମାରିଲା—ଶେଷ ଭରା ଛାଡ଼ି ଦଉଛି, ବେଗି ବେଗି ଗୋଡ଼ କାଢ଼ି ଚାଲିଆ-। ନଇଲେ ରାତି ସାରା ଏହି ଅପନ୍ତରାରେ ପଡ଼ିଥିବୁ । ଫାଟିଫୁଟି ଗଲେ ବି ଏ ଝଡ଼ି ବର୍ଷାଦିନରେ ମୁଁ ଆଉ କେବେ ରାତି ହେଲେ ଡଙ୍ଗା ଫିଟେଇବି ନାହିଁ । କାନ୍ଧ ବଦଳଉ ବଦଳଉ ଲୋକଟି ଗଉରା ମାଝିର ଏ ଉଠିଆ ଡାକ ଶୁଣିପାରି ପଡ଼ିଉଠି ବାଟ ଅବାଟ ନ ମାନି ଦଉଡ଼ିଛି ।

 

ସିଏ ଆସି ନାଆରେ ଗୋଡ଼ ଦେଇଛି କି ନାହିଁ ଡଙ୍ଗା ଛାଡ଼ିଲା । ଏକ, ଦୁଇ, ତିନି—ଚାରି ମୁଠା କାତ ପଡ଼ିଲା ବେଳକୁ ଦୂରରୁ ଡାକ ଶୁଭିଲା—‘ଏ...ହେ...ନାଉରୀ ଭାଇ ରହ..ରହ..’ପୁଣି ଟିକିଏ ଛାଡ଼ି—'ହୋ ନାଉରୀ ଭାଇ ହୋ..ଟିକିଏ ଡଙ୍ଗା ଅଟକା, ଡଙ୍ଗା ଅଟକା...'-

 

ଡଙ୍ଗାର ନାଉରୀ ଠଉଁ ପଝାରି ଯାଏ ସମସ୍ତେ ଆଖି ଟେକି ସେହି ଆଡ଼କୁ ଘଡ଼ିକ ପାଇଁ ଚାହିଁଲେ, ସେତେବେଳକୁ ମୁହଁ ସଞ୍ଜ । ପାସେଞ୍ଜର ଗାଡ଼ିଟା ଦୁର୍ଦ୍ଦାନ୍ତ ରାକ୍ଷସଭଳି ବିକଟ ଚିତ୍କାର କରି ନଈପୋଲ ଉପରେ ଘର୍ ଘର୍ କରି ଚାଲିଗଲା । ସଂଜ ଦୀପ ଜଳି ଉଠି ଜଗନ୍ନାଥଙ୍କର କଳାବୋଳା ମୁହଁର ଚକାଡ଼ୋଳା ଦୁଇଟିକି ଝଲସାଇ ନେଲା । ବାବାଜି ଘଣ୍ଟ ବଜେଇ ବଡ଼ ଠାକୁରଙ୍କ ପାଖରେ ଆଳତୀ କରୁ କରୁ ଝିଅଟି ପୋଖରୀ ପାହାଚ ପାହାଚ ଉପରେ ବସି ଶୁଭ ଶଙ୍ଖଟିଏ ଫୁଙ୍କି ଦେଲା ।

 

ଯୁବକଟିର କିନ୍ତୁ କେଉଁ ଆଡ଼କୁ ଦୃଷ୍ଟିନାହିଁ । ସେ ଭୁଲି ଯାଇଛି ତା’ ପାଠଶାଠ, ଭୁଲି ଯାଇଛି ତା’ ମାନମହତ, ଭୁଲି ଯାଇଛି ତା’ ଚାକିରୀ ଦାୟିତ୍ୱ ପୁଣି ଭୁଲି ଯାଇଛି ଆଗ ପଛ, ଭଲ ମନ୍ଦ, ଶୁଭ ଅଶୁଭ ସବୁ । ଦେଉଳ ଭିତରେ ଘଣ୍ଟା ଶବ୍ଦ ଶୁଣି ସେ ଦିଅଁ ଦେବତାଙ୍କ କଥା ଭାବୁନି କି ମଶାଣି ଭିତରେ ବିଲୁଆ ଶାଗୁଣାଙ୍କ ଖେଁ ଖେଁ କଜିଆ ଶୁଣି ସେ ଡରି ଯାଇଁ ଗୋଡ଼ ଫେରାଉନି । ସେ ଖାଲି ଭାବୁଛି କେମିତି ଯାଇଁ ରୋଗଶଯ୍ୟାରେ କମଳାର କୋମଳ ପାଣ୍ଡୁର ମୁଖ ଟିକିଏ ଦେଖିବ । ଏକା ରାହାଧରି ସେ ଦଉଡ଼ିଛି—ଖାଲ ଢ଼ିପ ମଡ଼ାଅମଡ଼ା ନ ମାନି ଅରମା ମଶାଣି ଭିତରେ କୋକେଇ ବାଉଁଶ ଜୁଇ ଅଙ୍ଗାର, ଛିଣ୍ଡା କତରା ପୁଣି ବେଳେବେଳେ ମଲା ମଣିଷର ମୁଣ୍ଡ ଡେଇଁ ଡେଇଁ ସେ ଧଇଁ ସଇଁ ହୋଇଧାଇଁଛି ଡଙ୍ଗା ପାଖକୁ ।

 

ଘାସ ଧୋଇ ପାଣି ନିଗାଡ଼ୁ ନିଗାଡ଼ୁ ଏଇ ଧୋବଧାଉଳିଆ ବାବୁଟିକୁ ଦଉଡ଼ି ଦଉଡ଼ି ଆସୁଥିବାର ଦେଖି ଭାରୁଆଟି ଏହା ମଧ୍ୟରେ ଦି’ଥର ନାଉରିକୁ ଡାକ ମାରିଲାଣି, ଡଙ୍ଗା ଫେରେଇବାକୁ । ହାଟ ବେପାରୀଙ୍କ ଠଉଁ ଆଦାୟ ହୋଇଥିବା ସାରୁ, ବାଇଗଣ, ପାନ, ପୋଇଖାଡ଼ି, ପିଆଜ, ଆମ୍ବସରା ପ୍ରଭୃତି ନିତିଦିନିଆ ଦରବ ବୁସ ଗାମୁଛା କାନିରେ ଅଲଗା ଅଲଗା ବାନ୍ଧି, ପଇସାତକ ଅଣ୍ଟାରେ ଖୋସି ଘାଟିଆ ବୁଢ଼ା ଘରକୁ ଯିବ ବୋଲି ସଜ ହେଉଛି । କୁଡ଼ିଆ ମୁହଁରେ ତାଟି କବାଟ ଆଉଜେଇ କଠଉ ଠକ ଠକ୍ କରି ବୁଢ଼ାଘର ଆଡ଼କୁ ମୋହିଁଲା ବେଳକୁ ଯୁବକଟି ଅଣନିଃଶ୍ୱାସୀ ହୋଇ ଯାଇଁ ପହଞ୍ଚିଛି ନଈ କୂଳରେ ।

 

ଡଙ୍ଗା ଫେରିଥାନ୍ତା । ଗଉରା ମାଝୀ ମହାଚାଲାଖ ଲୋକ । ପିଲାଟି ଦିନୁ ଡଙ୍ଗା ବୋହି ଆସି ବାଳ ପାଚିଲା । ସେ କ'ଣ ମଣିଷ ଚିହ୍ନି ନାହିଁ ? ଅକଳରେ ପଡ଼ିଗଲେ ପୁଝାରିଙ୍କ ଠଉଁ କେମିତି ବେଶ୍ ଦି’ ପଇସା ରୋଜଗାର ହୁଏ, ତା' ତା'କୁ ବେଶ୍ ମାଲୁମ୍ । କଥାରେ ଅଛି—‘ଦାଉ ପଡ଼ିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ ।' ଗଉରା ଏତେ ପୁରୁଖା ଲୋକଟା, ସେ କ'ଣ ଆଉ ଏତେକର ମରମ ଜାଣିନାହିଁ ?

 

ହେଲେ ଡଙ୍ଗା ଫେରେଇବ ବୋଲି କାତ ଓଲଟେଇଛି କି ନାହିଁ ଡଙ୍ଗାସାରା ଲୋକେ ଖଙ୍କାରି ହୋଇ ପାଟି କରି ଉଠିଲେ—ତୁ ଆମକୁ ମାରିବୁ ନା କିସ ? ଆସି ଏଇଠି ଅନ୍ଧାର ହେଲାଣି-। ପୂର୍ବରୁ କଳାହାଣ୍ଡିଆ ମେଘ ଖଣ୍ଡେ ଉଠେଇଲାଣି ଯେ ବରଷେ କି ନ ବରଷେ । ତେହିଁକି ପୁଣି ନଈରେ ଏମିତି ତୋଡ଼ ସୁଅ ଯେ ସାପ ମୁଣ୍ଡ କଟି ଯାଉଛି । ପଇସାକୁ ଯଦି ତୋ'ର ଏତେ ଲୋଭ, ଆଗ ଆମକୁ ପାରି କରି ଦେଇ ତେଣିକି ତୁ ରାତିଯାକ ଡଙ୍ଗା ବୋହୁଥା ।

 

ସବା ପଛରେ ଦଉଡ଼ି ଦଉଡ଼ି ଆସି ଯୋଉ ଲୋକଟି ଫଳି ଉପରେ ବୁଜୁଳି, ବୋତଲଦେଇ ଗୋଡ଼ ଲମ୍ବେଇ ପାଣି ଚାବୁରୁ ଚାବୁରୁ କରି ଗୋଡ଼ ଧୋଉ ଧୋଇ ଡଙ୍ଗାର ଗୋଟାଏ କଡ଼ ପାଖ ପଟା ଉପରେ ବସି ପଡ଼ିଛି । ସେ ବି ସମସ୍ତ ସାଙ୍ଗରେ ମିଳିଯାଇଁ ଏଡ଼େ ପାଟି କରି ଉଠିଲା—ନା, ନା, ତୁ ଆଗ ଆମକୁ ପାରି କରି ଦେ’ । କାହାକୁ କେତେ ବାଟ ଯାଇତେ ହବ । ଜଣ ଜଣଙ୍କ ପାଇଁ ଏମିତି ଡଙ୍ଗା ଫେରେଇଲେ ରାତି ଦି’ଘଡ଼ି ହେବ ପଛକେ ଛୁଟଣ କମିବ ନାହିଁ ।

 

ଡଙ୍ଗା ଭିତରେ ଜଣେ ଯୁଦ୍ଧ ଫେରନ୍ତା ଲୋକ ଖାକି ପୋଷାକ ଉପରେ ଲମ୍ବା ବରସାତି ପିନ୍ଧି ବସିଥିଲେ । ସେ ବୁଟ୍ ଜୋତାରେ ଫିତା ବାନ୍ଧୁ ବାନ୍ଧୁ ତମ୍ଭି ଯାଇଁ ଅଧା ଅଧା ହିନ୍ଦୀ ମିଶାଇ କହି ଉଠିଲେ—ଜଲଦି ଜଲ୍‍ଦି ପାର କରୋ । ନଈ ମଝିରେ ଲୋକଙ୍କୁ ଏମିତି ତକ୍‍ଲିଫ୍ ଦେଲେ ତମ ନାଁରେ ରିପୋର୍ଟ ହୋଗା । ସରକାରୀ ଲୋକଙ୍କୁ ପାରି କରିତେ କେନେ ଏତନା ଡେରି ? ତମର ଏ ବଦମାସି ପାଇଁ ହାମ୍ ଜରୁର୍ ରିପୋର୍ଟ କରଙ୍ଗେ ।

 

ବିଚରା ତରେଇ ବୁଢ଼ାର ମୁହଁ ଶୁଖିଗଲା । ଦି' ଭେରା ଡଙ୍ଗା ଫେରେଇ ଆଣିଥିଲେ ଲୋକଟାଠାରୁ ନାଉ ମଂଜି ଭଳି ଦି’ଗଣ୍ଡା ପଇସା ଠନ୍ ଠାନ୍ ଗଳି ପଡ଼ିଥାନ୍ତା । ଏ ଲୋକଗୁଡ଼ା କ’ଣ କରେଇ ଦେଲେ ? ପୁଣି ଏ ସରକାରୀ ଜମାଦାର ବାବୁଙ୍କର ନାଲି ଆଖି ତା’କୁ ବେଶୀ ତରଛ କରେଇ ଦେଲା । ସେ ଆଉ ପଛକୁ ଫେରି ନ ଚାହିଁ ନଈ ଭିତରକୁ କାତ ମାରିଲା ।

 

ଗଉରା ସିନା ଦି' ପଇସା ଚାରି ପଇସା ବକ୍‍ସିସ୍‍ର ଚାକର, ସିଏ ତ ଆଉ କାହାରି ବେଳ ଅବେଳ କି କାଳ ଅକାଳ କଥା ବୁଝିବନାହିଁ । ଲୋକେ ବି ଆପଣା ଆପଣା ଦୁଃଖ ଧନ୍ଦା ନେଇ ବ୍ୟସ୍ତ । 'ଆପେ ମଲେ ଯୁଗ ଯାଏ, ପରଲାଗି କାନ୍ଦୁଥାଏ ।' ମେଘ ଅନ୍ଧାର ମାଡ଼ି ଆସୁଛି । ଖାଲି ସେ କୂଳରେ ଗୋଡ଼ ଦେଲା କ୍ଷଣି କିଏ କୁଆଡ଼େ ଛାଟିପିଟି ହେଇ ପଳେଇବେ । କିଏ ଭାବୁଛି–ତା’ ଝୁଅ ପାଇଁ ନୂଆ କସ୍ତା ଖଣ୍ଡେ ନେଇଛି, ବର୍ଷାପାଣି ପଡ଼ିଲେ ଛାପରା ମାରିଯିବ; କିଏ ଭାବୁଛି–ବଳଦଗୁଡ଼ା ଦାଣ୍ଡରେ ବନ୍ଧା ହୋଇଥିଲେ, ବର୍ଷାରେ ତିନ୍ତିଯିବେ । ସେ କେମିତି ଯାଇଁ ଆଗ ତାଙ୍କୁ ଗୁହାଳକୁ ନବ, ଗାଁ ଦୋକାନୀ ଗୋପୀ ସାହୁ ସଉଦା ଉପରେ ଠେକା ଥୋଇ ମନେ ମନେ ଭାବୁଛି–କେମିତି ଯାଇଁ ଗାଁରେ ପହଞ୍ଚି ଦୋକାନ ଫଟେଇବ । ଏତେବେଳ ଯାଏ ଦୋକାନରେ ଆଲୁଅ ଲାଗି ନ ଥିବ । କେତେ ଗହକି ଆସି ଫେରି ଯାଉଥିବେ, ଏମିତି ସମସ୍ତେ ନିଜ ନିଜ ଚିନ୍ତାରେ ବ୍ୟସ୍ତ-। ଏ ଲୋକଟି କଥା ଭାବୁଛି କିଏ ? ଲୋକଟା ଯେ ଆଣ୍ଠିଏ ପାଣିରେ ପଶି ବିକଳ ହୋଇ ହୁରି ଛାଡ଼ିଛି, ତା' କଥା ବା କାନକୁ ନଉଛି କିଏ ?

 

ପୁଣି ସେଇ ଯେ ଲୋକଟି ପଖିଆ ମୁଣ୍ଡରେ ଦେଇ ସାତ ପଛରେ ଆସି ଡଙ୍ଗାରେ ବସିଲା, ସେ ଗାରୁ ଗାରୁ ହୋଇ ମନକୁ ମନ କହି ଚାଲିଛି—ପଡି ଥା’ । ରାତିସାରା ସେହି ମରା ମଶାଣିରେ, ବିଲୁଆ କୁକୁରଙ୍କ ଭିତରେ ପଡ଼ି ରହି ଉପରକୁ ଅନେଇ ଥା’ ପଛକୁ ରହିଲେ ଏହି ଦଶା-। ଆ'ରେ ବାବା, ଗଉରିଆ ଭାଇ ଯେମିତି ଡଙ୍ଗା ଫେରାଉ ଥିଲା । ସମସ୍ତେ ୟା’ରି ପାଇଁ ଆଜି ଛଟପଟ ହୋଇ ମରିଥାନ୍ତେ ।

 

'ମଦଘଡ଼ା, କାମ ସଇଲେ ଗଡ଼ଗଡ଼ା ।' ଯାହା ପାଇଁ ଖୁଣ୍ଟରୁ କଉଡ଼ି ଫିଟୁ ଫଟୁ ଅଟକିଛି-। ଯାହା ପାଇଁ ଲୋକେ କେତେ ବେଜାର ହୋଇଛନ୍ତି ଗଉରା ଉପରେ, ଆଉ ଯାହା ଲାଗି ଡଙ୍ଗା ଛାଡ଼ିବାକୁ ଦି' ତିନି ମିନଟ ଡେରି ହେଲା ବୋଲି ସେ ପାଖ କୂଳରେ ନ ପହଞ୍ଚୁଣୁ ଅସରାଏ ଫିରିଫିରିଆ ମେଘ ଆସି ସମସ୍ତଙ୍କୁ ତିନ୍ତେଇ ଦେଲାଣି,ଇଏ ସେହି ଲୋକଟି । ଏଟା ଅବଶ୍ୟ ତା’ର ଦୋଷ ନୁହେଁ । ଡଙ୍ଗାରେ ବସି ସାରିଲେ ଲୋକ ଏମିତି କୁହେ । ଭିଡ଼ ଗାଡ଼ିରେ କଷ୍ଟେମଷ୍ଟେ ଗାଡ଼ି ଭିତରକୁ ପଶି ସାରିଲେ, ଲୋକ ଏମିତି ଭିତରୁ ଦରଜା ବନ୍ଦ କରି ତମ୍ଭି ଦେଖାଏ । ଠିକ୍ ଯେମିତି ଖୋଜି ଖୋଜି ବଳଦ ମିଳିଗଲେ ଲୋକ ବଳଦ ହଜିବା ଦୁଃଖ ଭୁଲିଯାଏ—ନିଜ ଅଙ୍ଗେ ନିଭେଇଥିବା ଦୁଃଖ,କଷ୍ଟ, ଚିନ୍ତା,ଅଶାନ୍ତି ସବୁ ପାସୋରି ଦିଏ । ଅନ୍ୟକୁ ସହାନୁଭୂତି ଦେଖେଇ ଆହା କରିବା ତ ଦୂରର କଥା, ଶେଷରେ ପୀରଙ୍କୁ ଯାଚିଥିବା ଶିରିଣୀ କଥା ବି ଭୁଲିଯାଏ । ଏ ତ ଦୁନିଆର ନୀତି । ତାର ବା ଦୋଷ କ’ଣ ?

 

ଶ୍ରୀକାନ୍ତ ଦେଖିଲା ଡଙ୍ଗା ବେଳକୁବେଳ ଦୂରକୁ ଦୂରକୁ ଯାଉଛି ପଛକେ କୂଳକୁ ଫେରୁନାହିଁ । କେତେ ଡାକିଲା । ଛାତିର କୋହ ଦେଇ, ଆଖିର ଲୁହ ଦେଇ,କଣ୍ଠର କରୁଣ ସ୍ୱର ଦେଇ ବିକଳ ହେଇ ନାଉରିଆଙ୍କୁ ସେ କେଜାଣି କେତେ ଡାକିଲା । କିନ୍ତୁ କେହି ଶୁଣିଲେ ନାହିଁ ତା’ ବିକଳ ଡାକ, କରୁଣ ଚିତ୍କାର । ତା’ ମଶାଣି ମଝିର ପାଷାଣ ସମାଧି ଦେହରେ ପ୍ରତିଧ୍ୱନି ରଚି ଫେରି ଆସିଲା ତା’ରି ପାଖକୁ ।

 

ଘାସ ଭାରୁଆଟି ଘାସ ଧୂଆଁ ଛାଡ଼ି ଦେଇ ତା’ ପାଖକୁ ଚାଲିଚାଲି ହେଇଆସିଲା । ଆଉ ନଇଁ କୂଳରେ କୁଡ଼ିଆ ଆଡ଼କୁ ହାତ ବଢ଼େଇ ତାକୁ ଚୁପ୍ ଚୁପ୍ କହିଲା—ଏ ଭରାତ ଗଲାଣି, ଯାଉ, ଘାଟିଆ ବୁଢ଼ାକୁ ବୁଝେଇ ସୁଝେଇ କହିଲେ ସେ ପୁଣି ଗଉରାକୁ ଡାକିବେ ଆଉ ଥରେ ପାଖକୁ ଡଙ୍ଗା ଆଣିବାକୁ ।

 

ତାରି କଥା ମାନି ଶ୍ରୀକାନ୍ତ ଦଉଡ଼ିଲା ଘାଟିଆ ପାଖକୁ । ବୁଢ଼ା କେତେବେଳୁ ଯାଆନ୍ତାଣି, ଖାଲି ଏ ଲୋକଟାକୁ ଦେଖି ଘଡ଼ିଏ ଅଟକି ଯାଇଛି, ହେଲେ ବେଳକୁ ବେଳକୁ ଅନ୍ଧାର ସାଙ୍ଗକୁ ପାଣିପବନ ଘୋଟି ଆସୁଛି ଆଉ ଡେରିକଲେ ଚଳିବ ନାହିଁ । ବୁଢ଼ା ବୁଜୁଳାଟି କାନ୍ଧରେ ଥୋଇ ବାଡ଼ି ଧରିଲା ଯିବ ବୋଲି । ଶ୍ରୀକାନ୍ତ କିନ୍ତୁ ନ ଛାଡ଼େ— ‘ତମ ହାତଧରୁଛି ମଉସା ! ଡଙ୍ଗାବାଲାକୁ ଟିକିଏ ଡାକ । ତିନିଦିନ ହେଲା ନାଗେନାଗେ ଦି’ଦି’ଟା ତା’ର ପାଇଲିଣି, ସ୍ତ୍ରୀ ମୋର ଅତିଶୟ—ଶେଷ ଅବସ୍ଥା । ମୁଁ କ’ଣ ଆଉ ଶେଷବେଳେ ଟିକିଏ ଦେଖି ପାରିବିନାହିଁ ? ଠାକୁରେ ତମର ମଙ୍ଗଳ କରିବେ । ଥରେ ଡାକ ମଉସା,ତମ ଗୋଡ଼ ଧରୁଛି ।

 

ବୁଢ଼ା ଲଣ୍ଠନ ତେଜି ଘଡ଼ିଏ କାଳ ତା’ ଆଡ଼କୁ ଚାହିଁଲା । ତା’ପରେ କହିଲା—ମେଘ ଅନ୍ଧାର ରାତି, ତୁହାକୁ ତୁହା ମେଘ ଆସି ଜୁଆଳି ମୋଟରେ ବରଷି ଯାଉଛି । ଉପରେ ପାଣି,ତଳେ ଜୁଆର ଓରଦା । ଏଥିରେ ଆଉ ରାତିରେ କ’ଣ ଡଙ୍ଗା ଚାଲେ ? ତମେ ଆଜି ଫେରିଯାଅ । କାଲି ବଡ଼ି ଭୋରୁ ଆସି ପହିଲି ଭାରାରେ ପାରି ହୋଇ ପଡ଼ିବ ।

 

ଶ୍ରୀକାନ୍ତ ବୁଢ଼ାର ସବୁ ଉପଦେଶ ଶୁଣିଲା କିନ୍ତୁ କିଛି ବୁଝି ପାରିଲାନାହିଁ । ସେ ପ୍ରକୃତିସ୍ଥ ନୁହେଁ, ଏକାବେଳକେ ପାଗଳ । ସେ ଭୁଲି ଯାଇଛି ଅନ୍ଧାର ରାତି,ଭୁଲି ଯାଇଛି ପାଣିପବନ, ଭୁଲିଯାଇଛି ଜୁଆରଭଟ୍ଟା ଅଥଳ ନଈ । ସେ ସବୁ ଦେଖୁଛି କିଛି ଦେଖୁ ନାହିଁ । ସବୁ ଶୁଣୁଛି, କିଛି ଶୁଣୁ ନାହିଁ । ସେ ଖାଲି ଚାହେଁ ସେ ପାଖକୁ ଯିବ, ଆଉ ଦୌଡ଼ି ଦୌଡ଼ି ଯାଇଁ ରୋଗଶଯ୍ୟାରେ କମଳାଙ୍କୁ ଟିକିଏ ଦେଖିବ; କିନ୍ତୁ ତା’ ହୋଇପାରିଲା ନାହିଁ । ଗଉରିଆ ସେହି ପାଖରେ ଡଙ୍ଗା ବାନ୍ଧି, କାତ ଆହୁଲା ଧରି ତା’ ଘରକୁ ଗଲା । ଘାଟିଆ ଏ ପାଖରେ ମୁଣ୍ଡ ହଲେଇ ଫେରି ଯିବାକୁ କହି ଆସ୍ତେ ଆସ୍ତେ କଠଉ ଠକ୍ ଠକ୍ କରି ନିଜ ଘରଆଡ଼କୁ ଗୋଡ଼ ବଢ଼େଇଲା । ଘଡ଼ିକେ ବିଜୁଳି, ଘଡ଼ଘଡ଼ି, ପାଣି, ପବନ କାଁହୁ ମାଡ଼ି ଆସିଲା ।

 

ଶ୍ରୀକାନ୍ତ ପାଟିରୁ ଆଉ କଥା ବାହାରି ନାହିଁ, ସେଇଠି ସେଇ ଓଦା ସରସର ଭୂଇଁ ଉପରେ ସେ ଥକାମରା ହୋଇ ବସିପଡ଼ିଚି । ଚାରିଆଡ଼େ ଶୂନ୍‍ଶାନ୍‍ । ଦିହେଁ ବି ଚୁପ୍ ଚାପ୍ । କାହାରି ପାଟିରୁ କଥା ବାହାରୁ ନାହିଁ ।

 

ଅନେକ ସମୟ ଏମିତି କଟିଯିବା ପରେ ଭାରୁଆଟା ବଡ଼ କଅଁଳେଇ ସଅଁଳେଇ ଧୀରେ ଧୀରେ ପଚାରିଲା—ତମର କିସ ହୋଇଛି ବାବୁ ? ଏମିତି ବାଉଳା ହେଉଛ କେନେ ? କେଉଁଠୁ ଆସିଲ ? ଆରପାରିରେ କେଇଟିକି ଯିବ ? ଲୋକଟା ଛୋଟ ଜାତିର, ହେଲେ ତା’ କଥା ଗୁଡ଼ାକ ଭାରି ମିଠା । ତା’ର ଏହି ଦରଦ ମିଶା କଅଁଳ କଥା କେଇ ପଦରେ ଶ୍ରୀକାନ୍ତ ରୁଦ୍ଧ ବେଦନା ଟିକିଏ ଲଘୁ ହୋଇଆସିଲା । ଏତେ ଦୁଃଖ, ଦୁର୍ଦ୍ଦଶା ଭିତରେ ସେ ଯେମିତି ପାଇଲା କେତେ ସାନ୍ତ୍ୱନା, କେତେ ଆଶ୍ୱାସନା, ଆଣ୍ଠୁ ଉପରୁ ମୁଣ୍ଡ ଟେକି ସେ ତା’ ଆଡ଼କୁ ଘଡ଼ିଏ କାଳ ବଡ଼ କରୁଣ ଦୃଷ୍ଟିରେ ଅନାଇଲା । ତା’ପରେ ଧୀରେ ଧୀରେ କହିଲା ଭାଇରେ ! ଦୁଖୀ ବୋଲି ସିନା ତୁ ମୋ ଦୁଃଖ ବୁଝି ଆହା ବୋଲି ପଦେ କହିଲୁ । ଆଉ କେହିତ କହିଲେ ନାହିଁ ? ଘାଟିଆ, ନାଉରିଆ-ଠଉଁ ଆରମ୍ଭ କରି ଗାଡ଼ିର ଟି ଟି ଆଇ, ଷ୍ଟେସନ ମାଷ୍ଟର କି ଅଫିସର ହାକିମ ହୁକୁମା—କେହି ତ ଏ ଗରିବ ଦୁଃଖୀଟିର ଦୁଃଖ ବୁଝିଲେ ନାହିଁ ?

 

ସେମାନେ ତ ଶହ ଶହ କମେଇଲା ବାଲା ଧୋବ ଧାଉଳିଅ ବାବୁ, ଆଉ ତୁ ତ ଦି ଅଣା ପଇସାର ମୁଣ୍ଡ-ମଳିମୁଣ୍ଡିଆ କୁଲି । ସେମାନେ ତ ମଥାବାଲା, ପାଠୁଆ, ବୁଦ୍ଧିଆ ଆଉ ତୁ ତ ମୁରୁଖ, ବୋଝିଆ, ଭାରୁଆ, ମୋଟିଆ, ତଥାପି ସେମାନେ ତ କେହି ପାଟି ଫିଟେଇଲେ ନାହିଁ, ଓଲଟି ଦୂର୍‍ ଦୂର୍‍ ଖୁର୍‍ ଖୁର୍‍ କଲେ । ଆଉ ତୁ କାହିଁକି ଏହି ବିପଦ ବେଳେ ସାହା ହୋଇ ଆହା ବୋଲି ପଦେ କହିଲୁ ? ନା, ଯେତେ ପାଠଶାଠ ପଢ଼ିବାବୁ ହେଲେ ବି ସେମାନେ ହୃଦୟହୀନ ପଶୁ, ଆଉ ତୁ ଯେତେ ନିପଟ ଗଣ୍ଡମୁର୍ଖ ହେଲେବି ତୋ ମଣିଷପଣିଆ ସେମାନଙ୍କ ଠେଁଇ ନାହିଁ । ହଁ, ତୋତେହିଁ ମୁଁ କହିବି ମୋ ଦୁଃଖ କଥା—ଏ ହୀନିମାନିଆ ଜୀବନର ଦୁର୍ଯୋଗ କଥା ମୂଳରୁ ଅଗ ଯାଇଁ ଗୋଟି ଗୋଟି କରି କହିବି ତୋ’ରି ଆଗରେ । ତୋ ଭଳି ନିର୍ମାୟା ଲୋକ ଆଗରେ ମନ ଖୋଲି ସବୁ କହିଗଲେ ଭାରି ମନଟା ମୋର କେତେ ହାଲୁକା ହୋଇଯିବ—ଏ ଦୁଃଖ ଆଶାନ୍ତି ଭିତରେ ବି ମୁଁ କେତେ ଶାନ୍ତି ପାଇବି ।

 

ଏତିକି ବେଳେ ଆସିଲା ଗୋଟାଏ ମସ୍ତବଡ଼ ଧୂମାଳ । ମଶାଣି କଡ଼ର କାହାଳ ଗଛରୁ ଡାହିଗୁଡ଼ା ରଡ଼ରାଡ଼ ଛିଡ଼ି ପଡ଼ିଲା । ନଇଁ ପାଣି ମାଡ଼ି ଆସି ଖେଳେଇ ହୋଇପଡ଼ିଥିବା ଦରଧୁଆ ଘାସ ଭିତରୁ ଅଧେ ଭସେଇ ନେଇଗଲା । ଭାରୁଆର କିନ୍ତୁ ସେଆଡ଼କୁ ନଜର ନାହିଁ । ସେ ମନ ଦେଇ କଥା ଶୁଣୁଛି । ଶ୍ରୀକାନ୍ତ କହି ଚାଲିଛି—ଭାରି ଦୁର୍ଯୋଗରେ ଭାରି ଦୁର୍ଯୋଗ ! ପଅରି ଦିନ ରାତିରୁ ତାର ପାଇଲିଣି । ସ୍ତ୍ରୀ ମୋର ଅତିଶୟ କିନ୍ତୁ ସରକାର ଘରୁ ଛୁଟି ମିଳିଲା ନାହିଁ । ଆଜି ଆସୁଛି ସେଥିରେ ପୁଣି ଏ ଦଶା…

 

କିସ ହେଇଛି ତମ ବୋହୁ ଦିହ ?

 

ଆଗରୁ ତ ସେମିତି କିଛି ଜରବାଧିକା ନଥିଲା । ହେଲେ ଅସଜ ମଣିଷ । ଅତିଶୟ ହେବାକୁ କେତେବେଳ ? ମଝିରେ ମଝିରେ ଖାଲି ଟିକିଏ ଝାଡ଼ା ହେଉଥିଲା । ଆଠଦିନେ ଚାରିଦିନେ ରାତିରେ ଘଡ଼ିଏ ଘଡ଼ିଏ ତାତି ପୁରାଏ । ବା ଗୋଡ଼ ପାଦଟା ସାମାନ୍ୟ ଟିକିଏ ଫୁଲିଥିଲା-। କିନ୍ତୁ ସେଥିରେ ତ ସେ ବେଶ୍ ଚଳପ୍ରଚଳ ହୋଇ କାମଧନ୍ଧା କରିପାରୁଥିଲା । ଏ ଦିନ କେଇଟା ଭିତରେ ଏମିତି ହୋଇଯିବ ବୋଲି କ’ଣ ମୁଁ ଜାଣିଚି ?

 

ତମ ଘର କ’ଣ ଏଇ ବାଲିସାହି ଗାଁରେ ? ବୋହୂକୁ ଦେଖିତେ ଘରକୁ ଆସିଛ ?

 

ନାଁ ରେ ନାଁ । ଘର ମୋର ଅନେକ ଦୂର—କଟକ ଜିଲା ଟାଙ୍ଗି ଥାନାର ବଇଁଚୁଆ ଥାନାରେ । ମୁଁ ଚାକିରୀ କରେ ଆଖୁଆପଦା ପି.ଡବ୍‍ଲିଉ.ଡ଼ି ଅଫିସରେ ।

 

ତେବେ ଆଡ଼େ କୁଆଡ଼େ ଯାଉଛ ?

 

ନଈ ଆରପାଖର ସେହି ବାଲିସାହି ଗାଁରେ ମୋର ଶଶୁର ଘର । ସେଇଠି ଅଛି ମୋର ସ୍ତ୍ରୀ । ଗୋଡ଼ ଫୁଲା ନ କମିବାରୁ ତାକୁ ପଠେଦେଇଥିଲି ଏଠିକି । ଆଖୁଆପଦା ଠିକ୍ ମଫସଲ ନ ହେଲେ ବି ସେଠି ତ ଆଉ ଏଠିକା ଭଳିଆ ବଡ଼ବଡ଼ ଡାକ୍ତର ନାହାନ୍ତି କି ଏତେ ବଡ଼ ସରକାରୀ ଡାକ୍ତରଖାନା ନାହିଁ । ଆଉ ଆମ ନିଜ ଗାଁ ତ ନିରାଟ ମଫସଲରେ । ରୋଗ ବାଧିକାରେ ଛଟଛଟ ହୋଇ ପ୍ରାଣ ଛାଡ଼ିଯିବ ପଛକେ ଔଷଧ ଟୋପାଏ ମିଳିବ ନାହିଁ । ସେଠି ଏ ଅସଜ ମଣିଷଟାକୁ ରଖନ୍ତି ବା କିପରି ?

 

ସହଜେ ପୁଣି ଆଗରୁ ଗୋଡ଼ଫୁଲା, ଜର, ମଝିରେ ମଝିରେ ପେଟକାମୁଡ଼ା, ଝାଡ଼ା । ତେହିଁକି ପହିଲା ପୋଖତି । ସେତେବେଳକୁ ଭଲ, ଥାଏ ମନ୍ଦ ଥାଏ, କେମିତି ରଖିଥାନ୍ତି ସେ ମଫସଲରେ ? ସେଥିରେ ପାଞ୍ଚ ପୂରି ଛଅ ମାସ ହେଲା ବେଳକୁ ତା’ ଭାଇକି ଡାକି ପଠେଦେଇଥିଲି ଏଠିକି । ବାଲିସାହି ଗାଁଟା ନାଁକୁ ମଫସଲ ସିନା,ହେଲେ ଖାଲି ନଇଁ ଏପାରି । ଏ ପାଖରୁ ଡାକ ଦେଲେ ସେ ପାଖରୁ ଜବାବ ମିଳିବ । ପୁଣି ସହର, ବଜାର, ଡାକ୍ତର, କବିରାଜ ଆଉ ସରକାରୀ ଡାକ୍ତରଖାନା ସବୁ ଗୋଡ଼ ପାଖରେ । ସଜ ଅସଜରେ ରାତି ତିନି ପହରେ ବି ଡାକ୍ତରଖାନାକୁ ଆଣି ହେବ । ଏତେ ସୁବିଧା ଛାଡ଼ି ମୁଁ ସେ ଅପନ୍ତରା ମଫସଲ ଗାଁରେ ରଖିଥାନ୍ତି କେମିତି

 

ତମ ଶଶୁର ?

 

ଓ, ନାଁ ପଚାରୁଛୁ ? ତାଙ୍କ ନାଁ ବନମାଳୀ ପାତ୍ର । ଜାଣିଛୁ ତାଙ୍କୁ ?

 

ହଁ ବାବୁ ନାଁ ଶୁଣିଚି । ଭାରି ବଡ଼ଘର । ହେଲେ ମୋର ପରଚ ନାହିଁ । ମୁଁ ତ ଏଠିକା ଲୋକ ନୁହେଁ, ଆମ ପୂର୍ବାନ୍ତ ଘର ଜଳେଶ୍ୱର । ତିଦୋସ୍ତା ସନ ବୟାଳିଶିରେ ଘର ଦୁଆର ସବୁ ଭାଙ୍ଗିରୁଜି ଗଲା । ବାପଅଜା ଅମଳର ସେମିତି କିଛି ମାଣେ ଦି’ପା ବୁନିଆଦି ତ ନ ଥିଲା। ପର ଦୁଆରେ ମୂଲ ଲାଗି ଡିବାଏ ଗୌଣିଏ ଆଣି ଆମେ ମା ପୁଅ କୌଣସିମତେ ଦୁଃଖ ସୁଖେ ଚଳୁଥିଲେ । ଏମିତି କାଳ ପଡ଼ିଲା ଯେ ଗରିବ ତାଲବାର ସବୁ ସମାନ ହୋଇଗଲେ ।

 

............ଆମେତ ଆମେ’ ଭଲେ ଭଲେ ଲୋକଙ୍କୁ ବି ଦି’ ବେଳ ଦି’ମୁଠା ଖାଇବାକୁ ମିଳିଲାନି । ପେଟ ବିକଳରେ କିଏ କେତେ ଗାଁ ଛାଡ଼ି ଛତରେ ପଶିଲେ । କିଏ କେତେ ଭକ୍ଷ୍ୟ ଅଭ୍ୟକ୍ଷ ଖାଇ ଶେଷରେ ନାନା ରୋଗରେ ପଡ଼ି ରାସ୍ତାକଡ଼ରେ ପୋକମାଛି ଭଳି ମରି ଶୋଇଲେ । ସେତିକି ବେଳେ ଆମେ ମା’ ପୁଅ ଦି’ ଜଣ ଭୋକିଲା ପେଟରେ ଦଉ ସମ୍ଭାଳି ନ ପାରି, ସାତପୁରୁଷର ଘରଡ଼ିହ ମୋହ ତୁଟାଇ ଦାଣ୍ଡକୁ ଗୋଡ଼ କାଢ଼ିଲୁ ଆଉ ହାତ ପତେଇ ଦାନ୍ତ ନିକୁଟି ବାରଦୁଆର ଭିକ ମାଗି ମାଗି ଆସି ଏଠି ପହଞ୍ଚିଲୁ । ଅଇଁଠା ପତ୍ରରୁ ଭାତ ଖୁଣ୍ଟି ପଚା ନାଳରୁ ପେଜ ପିଇ ଆମେ ଠାକୁରଙ୍କୁ ଦୟାରୁ କୌଣସି ମତେ ବଂଚିଗଲୁ । ସେହିଦିନୁ ଆମକୁ ସମସ୍ତେ ଡାକନ୍ତି ‘ମାଗିଖିଆ’ ।

 

ମୋ ମା’ର ବଳବଅସ ନଇଁଲାଣି । କାଳ ପଡ଼ିବା ଦିନୁ ଖାଇବା ବିନା ତା’ ଅଣ୍ଟା ବି ଭାଙ୍ଗି ପଡ଼ିଲାଣି । ଆଗେ ବଜାର ଘାଟରେ ଭିକ ମାଗୁଥିଲା । ଏଣିକି ଆଉ ସେଥିକି ପାରୁନାହିଁ । ସଞ୍ଜବେଳକୁ ପୁଣି ଖୁଁ ଖୁଁ କାଶ । ସେ ସେହି ଟେସନପାଖ ରାସ୍ତା କଡ଼ରେ ଗୋଟାଏ ବରଗଛ ମୂଳେ ପଡ଼ିଥାଏ । ମୁଁ ରୋଜି ରୋଜି ଘାସ କାଟି ବାବୁଭାୟାଙ୍କ ଘୋଡ଼ା ଖାଇବା ପାଇଁ ସହିସଙ୍କ ପାଖରେ ନେଇ ବିକ୍ରୀ କରେ । ଯାହା ଦି’ ପଇସା ହୁଏ, ସେଇଥିରେ ଦି ଜଣ କୌଣସିମତେ ଖୁଦପେଜରେ ଚାଲିଯାଉ ।

 

ହଠାତ୍ ବଡ଼ ବଡ଼ ଠୋପା ମେଘ ପକେଇଲା । ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଆସ୍ତେ ଆସ୍ତେ ଖୁବ୍ ଜୋରେ ମେଘ ଆସିଗଲା । ଦିହେଁ ଉଠିଯାଇ ତାଟି କାଢ଼ି ଘାଟିଆ ବୁଢ଼ାର ସେହି କୁଡ଼ିଆ ଭିତରେ ବସିଲୁ । ମାଗିଖିଆ ଆରମ୍ଭ କଲା—ବାବୁ ! କଥା ନହସରେ ଏଣୁତେଣୁ ଗୁଡ଼ାଏ ଗପିଗଲା-। କହିବଟି ବାବୁ ! ସେଇଠୁ କିସ ହେଲା ତମର ?

 

ନା ଆଉ ହବ କ’ଣ ? ଏଠିକି ପଠେଇ ଦବା ଦିନୁ ମୁଁ ଭାରି ଦକଦକରେ ଥାଏ । ହେଲେ ସରକାରୀ ଚାକିରୀ, ଛୁଟି ବେଶୀ ମିଳେନା, ତେଣୁ ମାସେ ପନ୍ଦର ଦିନେ ଆସି ଦେଖିଯିବା ସମ୍ଭବ ହୁଏନା । ସହଜେ ପୁଣି ଏତେ ଦୂର । ଏମିତି ଦି’ ମାସ କଟିଲା । ଆଗରୁ ଚିଠି ପାଉଥିଲି—ଦେହ ସାମାନ୍ୟ ଖରାପ । ଦିନେ ଛାଡ଼ି ଦିନେ ଜର ହେଉଛି । ପଅରିଦିନ ରାତିରେ କିନ୍ତୁ ହଠାତ୍ ତାର ପାଇଲି—ଅତିଶୟ ବେମାର ।

 

ତେବେ ଆସିବାକୁ ଏତେ ଡେରି ହେଲା କେନେ ?

 

କ’ଣ କହିବି ସେ ବଦଯୋଗ କଥା । ଗୋଟିଏ ବିପଦ ପଡ଼ିଲେ ତା’ ସାଙ୍ଗକୁ ଆଉ ଦଶଟି ବିପଦ ଆପେ ଆପେ ଆସିଯାଏ । ଲୋକେ ପୁଣି ଏତିକିବେଳେ ଏମିତି ଦାଉସାଧନ୍ତି । ନା, ଲୋକଙ୍କ ଦୋଷ ନୁହେଁ, ସେ ମୋ ଭାଗ୍ୟର ଦୋଷ । ଯୋଉ ଦିନ ତାର ପାଇଲି ସେଦିନ ଚବିଶି ତାରିଖ । ମାସର ଶେଷ ସପ୍ତାହ । ପାଖରେ ଆଠଅଣା ଦଶଅଣା ପଇସା ମାତ୍ର । ପୂରା ହୋଇଥିବା ଟଙ୍କାଟିଏ ବି ନାହିଁ । କୁଆଡ଼େ ଆସିବ ? ବାହାନ ଟଙ୍କାରୁ ଘର ଚଳେଇ ନିଜେ ସାନଭାଇଟିର ପଢ଼ା ଖର୍ଚ୍ଚ ତୁଲାଇ ମାସ ଶେଷକୁ ଆଉ ବା କେତେ ବଳନ୍ତା ? କ’ଣ କରିବି । ନ ଆସିଲେ ତ ନ ହୁଏ । ମୋର ଜଣେ ପୁରୁଣା ମାଷ୍ଟ୍ରଙ୍କ ଘର ସେହି ଆଖୁଆପଦା ଗାଁରେ । ତାଙ୍କୁ କୁହାବୋଲା କରି ତାଙ୍କଠାରୁ ଦଶଟି ଟଙ୍କା ଧାର ନେଇ ଆସିବାକୁ ବାହାରିଲି ।

 

କିନ୍ତୁ ଟଙ୍କା ସିନା ସଜିଲ ହେଲା, ଛୁଟି ମିଳୁଛି କୋଉଁଠି ? ପଚିଶ ତାରିଖଦିନ ଆମ ଅଫିସରେ ସାରା ମାସ ଖର୍ଚ୍ଚର ହିସାବ ପତ୍ର କଷା ହୁଏ ଆଉ ତାର ନଥି ନକଲ ସବୁ (Monthly accounts) ଉପର ହାକିମଙ୍କ ଅଫିସକୁ ପଠାଯାଏ । ଏ ବଡ଼ ଜରୁରୀ କାମ, ଦିନେ ଅଧେ ଡେରି ହୋଇଗଲେ ଉପରୁ କେତେ ତାର ଆସେ । ଆମ ଏସ ଡି.ଓ ସାହେବଙ୍କଠୁ କେତେ କୈଫିତ୍ ମଗାଯାଏ, ଅଥଚ ବଡ଼ ଅଫିସରେ ସେହି ହିସାବର କାଗଜପତ୍ର ସବୁ ଦେଖୁ ଦେଖୁ ଆଗମାସ ଛ’ତାରିଖ ସାତ ତାରିଖ, ଆଉ ଏଣେ ଦିନ ଗୋଟାଏ ଡେରି ହୋଇଗଲେ ଏତେ ତନାଘନା । ସତେ ଯେମିତି ସାରା ସରକାରୀ କଳଟା ଖାସ୍‍ ଏଇଥିପାଇଁ ଭୁଷୁଡ଼ି ପଡ଼ିବ ।

 

ଯାହା ହେଉ,ଏଭଳି ପରିସ୍ଥିତିରେ ଏସ. ଡ଼ି. ଓ ସାହେବ ମୋତେ କୌଣସିମତେ ନ ଛାଡ଼ନ୍ତି । କେତେ କାକୁତି ମିନତି ହୋଇକହିଲି । ତାଙ୍କର ଏକ ନାହିଁ— ‘ଆପଣ ଆଗ ହିସାବପତ୍ର କରି ଉପରେ ଅଫିସକୁ କାଗଜ ପଠାଇଦିଅନ୍ତୁ । ତା’ ପରେ ପଛକେ ଦିନକ ପାଇଁ ଯାଇ ଦେଖିଆସିବେ । ଯେତେ କହିଲି କୌଣସିମତେ ହେଲା ନାହିଁ । ତାଙ୍କର ଉପର ହାକିମଙ୍କୁ ଯେତେ ଡର ନୁହେଁ, ସେ ଅଫିସର ଆକାଉଣ୍ଟାଣ୍ଟଙ୍କୁ ତା’ଠୁ ବେଶୀ ଡର । ଏପରି ଅବସ୍ଥାରେ ମୋତେ ଛାଡ଼ିଦେବେ କିପରି ? ସେଠାରେ ଯେ ଅନ୍ୟ କିରାଣୀ ନଥିଲେ,ଏପରି ନୁହେଁ; କିନ୍ତୁ ମୁଁ ତାଙ୍କ ଅଫିସର ହିସାବପତ୍ର ଗୁମାସ୍ତା (Accounts Clerk and cashier) ମୋତେ ଛାଡ଼ି ଦେଲେ କୁଆଡ଼େ ସୃଷ୍ଟି ଏକାବେଳକେ ଓଲଟି ପଡ଼ିଥାନ୍ତା । ତେଣୁ ବାଧ୍ୟ ହେଲି ରହିବାକୁ, ଯଦି ବା ଆଖିଲୁହାର ମୋତେ ସାରା ସଂସାର ଜାଲ ଜାଲୁଆ ଦିଶୁଥିଲା ।

 

କାଲି କଟିଲା । ଆଜିର କଥା—

 

ଆଜି ସକାଳୁ ନାକରେ କାନରେ ଦି’ ଟା ପୁରାଏ ଦଉଡ଼ି ଦଉଡ଼ି ଆସିଲି ବୈତରିଣୀ ରୋଡ଼ ଷ୍ଟେସନ । କିନ୍ତୁ କ’ଣ କହିବି ଭାଇ, ଯୋଗକୁ ବ୍ରହ୍ମା ଖଟନ୍ତି ନାହିଁ । ଷ୍ଟେସନକୁ ଆସି ଦେଖେ, ଗାଡ଼ି ଆସିବାକୁ ଡେରି ଅଛି, କିନ୍ତୁ ତିନି ଦିନ ହେଲା ଟିକେଟ ମିଳୁନାହିଁ । ପୁରୀ ରଥଯାତ୍ରା ଦେଖି ଯାତ୍ରୀ ଫେରୁଛନ୍ତି । ଗାଡ଼ିରେ ବେଜାଏ ଭିଡ଼ । ତିନି ତିନି ଦିନ ହେଲା ଲୋକ ସେହି ଷ୍ଟେସନରେ ଚୁଡ଼ାଚାଉଳ ଖାଇ ଗଣ୍ଠିରି ବୁଜୁଳି ଧରି ପଡ଼ିଛନ୍ତି । ଶୁଣିଲି ଗାଡ଼ିରେ ଏତେ ଭିଡ଼ ହେଉଛି ଯେ ଛୋଟ ଛୋଟ ଷ୍ଟେସନରେ ଲୋକ ଚଢ଼ିବା ତ ଦୂରର କଥା, ଯୋଉଁମାନେ ଜୀବନ ବିକଳରେ ବାଡ଼ ଧରି ବାହାରେ ଠିଆ ହୋଇଆସୁଛନ୍ତି, ସେମାନଙ୍କ ଭିତରୁ ରୋଜି ତିନି ଜଣ ପାଞ୍ଚ ଜଣ ଗାଡ଼ି ଚାଲିଲାବେଳେ ଖସିପଡ଼ି କଟିଯାଉଛନ୍ତି ।

 

ସେ ଯାହାହେଉ, ମୋର ତ ଆସିବାର କଥା, ଟିକଟ କରିବା ଆଶା ଏକାବେଳକେ ଛାଡ଼ିଦେଲି । ଭିଡ଼ ଭାଡ଼ି ହୋଇ ଠାକୁରଙ୍କୁ ଡାକି ଗାଡ଼ିକୁ ଚାହିଁ ରହିଲି । କିନ୍ତୁ ଯାହା ଦେଖିଲି ସେଥିରେ ମୋର ଆଖି ଖୋସି ହୋଇଗଲା । ଏମିତିକା ଭିଡ଼ ମୁଁ ଜୀବନରେ କେବେ ଦେଖି ନାହିଁ । ମାଲ ବସ୍ତା ଲଦା ହେଲା ଭଳି ଲୋକ ଉପରେ ଲୋକ । କିଏ ଅଣନିଃଶ୍ୱାସୀ ହୋଇ ବେହୋସ ହୋଇଯାଉଛି ତ କିଏ ପାଣି ଟିକିଏ ନ ପାଇ ପାଟି ଆଫା ଆଫା କରୁଛି । ଥାର୍ଡକ୍ଲାସ ଠଉଁ ଫାଷ୍ଟକ୍ଲାସ ଯାଏ ସବୁ ଡବାର ଅବସ୍ଥା ସେଇଆ । ଏତେ ଭିତରେ କିଏ କାହାକୁ ପଚାରୁଛି । ଯିଏ ଯୋଉଠି ପାରିଛି,ଚଢ଼ିଛି । ମୋ ପାରୁପର୍ଯ୍ୟନ୍ତ ଚେଷ୍ଟା କଲି । କିନ୍ତୁ ବଦଯୋଗର କଥା, କୋଉଠି ଟିକିଏ ବାଡ଼ା ଧରି ଠିଆ ହୋଇଯିବାର ସୁବିଧା ପାଇଲି ନାହିଁ । ଗାଡ଼ି ଛାଡ଼ିଦେଲା । ମୁଁ ବାଧ୍ୟ ହୋଇ ସେଇଠି ପଡ଼ିରହିଲି ।

 

ଏଣେ ମୋର ଆସିବା ଡେରି ହେବା ଦେଖି ଶ୍ୱଶୁର ଆଜି ସକାଳୁ ଆଉ ଗୋଟିଏ ଡବଲ ତାର କରିଛନ୍ତି । ଅବଶ୍ୟ ମୁଁ ସେତେବେଳକୁ ବସା ଛାଡ଼ି ଚାଲିଆସିଥିଲି, କିନ୍ତୁ ମୋରି ବସା ପାଖରୁ ଆଉ ଜଣେ ଲୋକ ସଞ୍ଜ ଗାଡ଼ିରେ କଲିକତା ଯିବ ବୋଲି ଷ୍ଟେସନ ଆସିଲା । ସେଇ ମୋତେ ଏ ଖବର ଦେଲା । କାହାକୁ କିଛି ନ କହି ଠାକୁରଙ୍କ ପାଖରେ କେତେ ଘିଅ ଦୀପ, ଅମୃତ କୁଣ୍ଡର ମାନସିକ କରି ଚାହିଁ ରହିଲି ସଞ୍ଜ ଗାଡ଼ିକି । ଯଥା ସମୟରେ ଗାଡ଼ି ଆସିଲା । ସେମିତି ଭିଡ଼ । ସୋରିଷ ପକାଇବାକୁ ଠା’ ନାହିଁ । ଭିତରେ ବସିଥିବା ପାସେଞ୍ଜରଙ୍କୁ ବହୁତ ନେହୁରା କରି କୌଣସିମତେ ଗୋଟିଏ ସେକେଣ୍ଡ କ୍ଲାସ ଡବାର ବାଡ଼ା ଧରି ବାହାରେ ଠିଆ ହେବାର ଯୋଗାଡ଼ କଲି ।

 

କିନ୍ତୁ ଆସିଲି ସିନା, ମନ ଭାରି ଦୁଡ଼ୁଗୁଡ଼ୁ ହେଉଥାଏ । ପାଖରେ ମୋର ଟିକେଟ ନାହିଁ, ସେଥିରେ ପୁଣି ସେକେଣ୍ଡ କ୍ଲାସରେ ଛାଡ଼ିଛି । ଯଦି କିଏ ଧରେ ! ସତକୁ ସତ ଦିଟା ଷ୍ଟେସନ ଆସିଛି କି ନାହିଁ, ପଛରୁ ଆସିଲା ଟି ଟି ଆଇ । ଆଗ ପଡ଼ିଲା ମୋର ଉପରେ ପାଳି । ସବୁ କଥା ତାକୁ ଗୋଟି ଗୋଟି କରି ଖୋଲି କହିଲି ଏବଂ ବାଲେଶ୍ୱର ଯାକେ ଖଣ୍ଡିଏ ଥାର୍ଡକ୍ଲାସ ଟିକେଟ କାଟିବାକୁ ବହୁତ ଅନୁରୋଧ କଲି । ସେ କିନ୍ତୁ ଆପତ୍ତି ଶୁଣିବାକୁ ନାରାଜ । ବିନା ଟିକେଟରେ ଆସିଛ । ଖୋର୍ଦ୍ଧାରୋଡ଼ରୁ ସେକେଣ୍ଡ କ୍ଲାସ ଚାର୍ଜ, ଆଉ ତା’ ଛଡ଼ା ଜୋରିମାନା । ସମୁଦାୟ ଦଶ ଟଙ୍କା ସାତ ଅଣା ଦେଇ ଦିଅ । ନଇଲେ ବାଲେଶ୍ୱରରେ ତମକୁ ପୋଲିସରେ ଦେଇଦେବି ।

 

ତା’କୁ ବହୁତ ବୁଝାଏ ସୁଝାଇ କହିଲି । ବଡ଼ କାକୁତି ମିନତି ହୋଇ ଶେଷକୁ ତା’ ହାତ ପର୍ଯ୍ୟନ୍ତ ଧରିଲି । କିନ୍ତୁ ସେ ଏକାବେଳକେ ନଛୋଡ଼ ବନ୍ଧା । ଶେଷକୁ ଦେଖିଲି ଅବସ୍ଥା ବଡ଼ ସାଙ୍ଘାତିକ । ଯଦି ଇଏ ମୋତେ ସତ କୁ ସତ ପୋଲିସ ହାତକୁ ଦେଇ ଦିଏ, ତା’ ହେଲେ ତ ସର୍ବନାଶ—ଅଥୁରି ଯିବ ପଥୁରି ଯିବ । ନାଃ,ଟଙ୍କା ପଛକେ ଯାଉ, ତା’ ହାତରୁ ଆଗଖଲାସ ହେବା ଚାହିଁ । ଆଉ ବେଶୀ କିଛି ନ କହି ଦଶ ଟଙ୍କିଆ ନୋଟଟି ତା’ ହାତକୁ ବଢ଼ାଇଦେଲି । ସେତିକିରେ ବି ସେ ନ ଛାଡ଼େ । ବାକି ସାତ ଅଣା ଦିଅ ବୋଲି କହିଲା । ବଡ଼ ନିଊନା ହୋଇ କହିଲି—ବାବୁ ! ସେହି ଦଶୋଟି ଟଙ୍କା ଛଡ଼ା ମୋ ପାଖରେ ଆଉ ଗୋଟିଏ ଅଧଲା ବି ନାହିଁ । ଘରେ ଶକ୍ତ ବେମାର-। ଭାବିଥିଲି, ଗାଡ଼ିଭଡ଼ାବାଦେ ଯାହା ଟଙ୍କା ବଳିବ ସେଥିରେ ରୋଗୀପାଇଁ କିଛି ବେଦନା,ଅଙ୍ଗୁର କିଣି ନେବି । ତା’ କିନ୍ତୁ ହେଲା ନାହିଁ । ପୁଣି ସକାଳୁ ଆସି ସଞ୍ଜ ହେଲା । ଭୋକରେ କରଡ଼ି ଜଳିଲାଣି । ପୋଡ଼ା ମୁଢ଼ି କିଣିବାକୁ ବି ପାଖରେ ପଇସାଟିଏ ନାହିଁ । ଆଉ କୋଉଠୁ ଆଣିବି ତାର ବାକି ଟଙ୍କା ଦେବାକୁ ? ଲୋକଟି ଭାରି ଦୟାଳୁ !! ମୋ ଦୁଃଖ ବୁଝିଲା । ନୋଟ ଖଣ୍ଡିକ ଭାଙ୍ଗିଭୁଙ୍ଗି ଉପର ପକେଟରେ ରଖି ଆଗ ଡବାକୁ ଚାଲିଗଲା ।

 

ଗାଡ଼ିରୁ ଓହ୍ଲେଇ ଦଉଡ଼ି ଦଉଡ଼ି ଡଙ୍ଗା ପାଖକୁ ଆସିଲି ଯେ ଏଠି ପୁଣି ଏ ଦଶା ! କାହାକୁ କହିବି ମୋ ଦୁଃଖ ? କିଏ ବୁଝିବା ମୋ ମନ କଥା ? ମୋ କଷ୍ଟ ପାଇଁ ମୋତେ ବାଧୁନି । ମୁଁ ଖାଲି ଭାବୁଛି ମୋର ଦୁଃଖିନି କମଳା କଥା, କ’ଣ ହେଲେ ତା’ର ? ତା’ର ଉପରେ ତାର । ସତେ କ’ଣ ମୁଁ ତାକୁ ଦେଖି ପାରିବି ନାହିଁ ?

 

ଶ୍ରୀକାନ୍ତ ଭୋ ଭୋ କାନ୍ଦି ଉଠିଲା । ଏତେ ଦୁଃଖ ଶୁଣି ମାଗିଖିଆ ଆଖିରୁ ବି ଦି’ ଠୋପା ଲୁହ ଗଡ଼ି ପଡ଼ିଲା । ପୁଣି କିଛି କ୍ଷଣ ଦୁହିଁ ଚୁପ୍ ଚାପ୍ । ଶାଗୁଣା ଦି’ ଟା ମାହାଳ ଗଛରେ ଡେଣା ଝାଡ଼ି ଖଡ଼ ଖଡ଼ କରି ଉଠିଲେ । ମାଗିଖିଆ ଧୀରେ ଧୀରେ କହିଲା—ବାବୁ ! ଯାହା ହେବାର ତ ହେଲାଣି । ରାତି ପାହିଲେ ତ ଯାଇଁ ସେ ପାରି ଯିବା କଥା । ଏ ମେଘ ଅନ୍ଧାର ରାତିରେ ଏ ଅପନ୍ତରତରେ କେନେ ପଡ଼ି ରହିବ ? ଚାଲ ମୋ ସାଙ୍ଗରେ ବଜାରକୁ ଯିବ । ଆମେ ସିନା ବାଉରି–ଅଛୁଆଁ ଜାତି । ଆମ ହାତରେ ସିନା ପାଣି ଖାଇବ ନାହିଁ । ହେଲେ ମୋ ମା’ ବୁଢ଼ୀ ଘାସବିକା ପଇସାରୁ ଅଧଲାଏ ପଇସାଏ ସଞ୍ଚି କୋରଡ଼ ସନ୍ଧିରେ ଦି’ଅଣା ଚାରିଅଣା ସାଇତି ରଖିଛି-। ସେଇଥିରେ ଗୁଡ଼ିଆ ଦୋକାନରୁ ଟିକିଏ ଜଳ ଖାଇବ । ଚାଲ ବାବୁ ! ତୁମେ ଯେ ଦିନ ସାରା ଉପାସ !

 

ମାଗିଖିଆର ଏଇ କଥା କେଇ ପଦରେ ଶ୍ରୀକାନ୍ତର କୋହ ବେଳକୁବେଳ ବଢ଼ି ଉଠିଲା-। କମଳା ଲାଗି ସେ କେତେ ଭାବନାର ଅଥଚ ଦରିଆରେ ଉବେଇ ଟୁବେଇ ହୋଇ କୂଳ କିନାରା ପାଉ ନଥିଲା । ସେ ଭାବୁଥିଲା କେତେ ଆଗ ପଛ, ଭଲ, ମନ୍ଦ, ଶୁଭ ଅଶୁଭ । ଆଉ ତା’ର ଭିତରେ ଘଡ଼ିକ ପାଇଁ ଭାବିଲା ଏଇ ଲୋକଟିର କଥା । ଏଇ ଘୋଡ଼ା ଘାସକଟା ମଳିମୁଣ୍ଡିଆ 'ମାଗିଖିଆ', ଆଉ ସେହି ଦରମାବାଲା ଜାମାଜୋଡ଼ା ବାବୁ ଟି.ଟି.ଆଇ—ଦିହିଁଙ୍କ ଭିତରେ କେତେ ଆକାଶ ପାତାଳ ତଫା୍‍ତ ! ସେଇ କଥା ସେ ଯେତିକି ଯେତିକି ଭାବେ, ଦୀର୍ଘନିଶ୍ୱାସ ଆସି ତା’ ପଞ୍ଜରା ହାଡ଼କୁ ସେତିକି ସେତିକି ଦୋହଲାଇ ଦିଏ ।

 

ବାବୁଙ୍କୁ ମାରବ ଦେଖି ମାଗିଖିଆ କହିଲା—କିଛି କହୁନା ଯେ ବାବୁ ! ଆମେ ଛୋଟ ଜାତି ବୋଲି ଘୃଣା କରୁଛ ନା କିସ ?

 

ନାହିଁରେ ଘୃଣା କରିବି କାହାକୁ ? ସଭ୍ୟତାର ଝଲମଲ ଆଲୁଅଠାରୁ କାହିଁ କେତେ ଦୂରରେ ଥାଇଁ ବି ଏଇ ଅନ୍ଧାର ଭିତରେ ତୁ ଜଣେ ମଣିଷ ଭଳି ମଣିଷ । ଆଉ ଯୋଉମାନେ ପାଠଶାଠ ପଢ଼ି ବାବୁଭାୟା ହୋଇ ମାସକୁ ଶହ ଶହ କମାଉଛନ୍ତି,ସେମାନେ ଖାଲି ଉପରେ ଢଅପ ଚିକଣ ସିନା, ଭିତରେ କିନ୍ତୁ ଗୋଟାଏ ଗୋଟାଏ ଅମଣିଷିଆ ପଶୁ ।

 

ହେଲେ ତୋ କଥା ତ ମୁଁ ରଖି ପାରୁନାହିଁ । ମୋତେ ମାଫ୍‍ କର । ଦିନଯାକ ମୁଁ କିଛି ଖାଇନାହିଁ ସିନା,କିନ୍ତୁ ମୋତେ ଆଉ ଅବିକା ଭୋକ ନାହିଁ । ଭୋକ ଶୋଷ ସବୁ ମୋର ମରି ଗଲାଣି କମଳା ପାଇଁ । ଦୁଃଖ କଷ୍ଟ କିଛି ମୋତେ ବାଧୁ ନାହିଁ । କେମିତି ଆଗ ରାତି ପାହିବ, ତା’କୁ ଯାଇଁ ଦେଖିବି । ତା’ପରେ ମୋର ସବୁ ଖିଆପିଆ । ତା'ପରେ ମୋର ସବୁ ବିଶ୍ରାମ । ତା' ଆଗରୁ ନୁହେଁ । ମୋତେ ମାଫ କର ଭାଇ ।

 

ମାଗିଖିଆ ବହୁତ ବୁଝେଇଲା । ବହୁତ କାକୁତି ମିନତି ହୋଇକହିଲା, କିନ୍ତୁ ଶ୍ରୀକାନ୍ତ ଟଳିବାର ନୁହେଁ । ମେଘ ହେଉ, ପବନ ହେଉ, ଅନ୍ଧାର ହେଉ, ମଶାଣି ହେଉ—ସିଏ ସେଇଠି ପଡ଼ି ରହିବ । ତା’ର ଡର ଭୟ କିଛି ନାହିଁ । ଭୂତ, ପ୍ରେତ, ଡାଆଣି, ଚିରିଗୁଣୀ, ତୋଫାନ, ବୟାର କାହାକୁ ତା'ର ଡର ନାହିଁ । ତା'ର ଖାଲି ଗୋଟାଏ ଚିନ୍ତା—କେମିତି ରାତି ପାହିବ, ସେ ନଈ ପାରି ହୋଇ ଦଉଡ଼ି ଦଉଡ଼ି ଯାଇଁ କମଳାକୁ ଦେଖିବ ।

 

ମାଗିଖିଆ କହି କହି ଥକିତ ହେଲା । ରାତି ସେତେବେଳକୁ ପହଡ଼େରୁ ଗଡ଼ିଲାଣି । ସେ ଭାବିଥିଲା ସେଇଠି ବାବୁ ପାଖରେ ରାତିଟା କଟେଇଦେବ । ବାବୁ ସହଜେ ବିଦେଶୀ,ସେଥିରେ ପୁଣି ଏ ଦୁଃଖୀ । ତାଙ୍କୁ ଏ ଅପନ୍ତରା ମଶାଣି ଭୂଇଁରେ ଛାଡ଼ି ଯିବାକୁ ତା’ ମନ ବଳିଲା ନାହିଁ । କିନ୍ତୁ କ'ଣ କରିବ ? ସିଏ ବି ଆର ଦୁଃଖୀ । ମା' ବୁଢ଼ୀ ଦିନସାରା ଭୋକ ଉପାସରେ ଛଟପଟ ହୋଇ ତା’କୁ ଅନାଇ ବସିଥିବ । ଇଏ ଚାଉଳ ନେଲେ ଠେକେରା ବସିବ । ବୁଢ଼ୀଟାକୁ ରାତି ସାରା ଡହଳ ବିକଳ କରି ସେ କିପରି ରହନ୍ତା ? ଶେଷରେ ଉଠି ଛିଡ଼ା ହେଲା ଯିବ ବୋଲି ।

 

ଆଖିରୁ ଲୁହ ପୋଛି ଶ୍ରୀକାନ୍ତ କହିଲା—ତୁ ଯା' ଭାଇ ! ତୋତେ ଅନେଇ ଅନେଇ ମା’ ବୁଢ଼ୀର ତେଣେ ଫକସି ଉଡ଼ିବଣି । ମୁଁ ଏଇ କୁଡ଼ିଆ ଭିତରେ ଶୋଇପଡ଼ିବି । ମୋ ପାଇଁ ଚିନ୍ତା କରନା । ଦୁନିଆଯାକ ତ ଆମରି ଭଳି ଦୁଖୀ । ଦୁଃଖରେ ତ ଆମ ଜୀବନ ଗଢ଼ା । ସେଥିପାଇଁ ଆଉ ଦୁଃଖ କରି ଲାଭ କ'ଣ ?

ମୁଣ୍ଡରେ ଠେକା ବାନ୍ଧୁ ବାନ୍ଧୁ ମାଗିଖିଆ କହିଲା—ହଉ ବାବୁ ! ମୋ ସାଙ୍ଗରେ ନ ଗଲେ ନାହିଁ, ଏଇଠି ପଛକେ ରୁହ, କିନ୍ତୁ ଏ କୁଡ଼ିଆ ଭିତରେ ଏକୁଟିଆ ପଡ଼ି ନ ରହି ମଶାଣି ସେ ପାଖ ସେହି ଜଗନ୍ନାଥ ଦେଉଳରେ ରାତିଟା ଶୋଇପଡ଼ । ଠାକୁର ଥାନ, ସେଠି ଡର ଭୟ କିଛି ନାହିଁ । ବାବାଜି ବି ଅଛନ୍ତି ।

ହଉ ତୁ ଯା । ମୁଁ ମୁହଁ ହାତ ଧୋଇ ସେଇଠିକି ଯିବି ।

ମାଗିଖିଆ ବୁଝିଗଲା । ଖେଳଇ ହୋଇ ପଡ଼ିଥିବା ଘାସଗୁଡ଼ାକ ଗୋଟାଇ ଗୋଟାଇ ମୁଣ୍ଡଉପରେ ଥୋଇ ଶିକାବାଉଁଙ୍ଗି ଧରି ବାହାରିଲା ଯିବାକୁ । ଗଲାବେଳେ ପୁଣି ଥରେ ବାବୁଙ୍କୁ ଚେତାଇ ଦେଇଗଲା ଯେମିତି ସେ ନିଶ୍ଚୟ ଦେଉଳକୁ ଶୋଇବାକୁ ଯାଆନ୍ତି ।

ମାଗିଖିଆ ଚାଲିଗଲା । କିନ୍ତୁ ଶ୍ରୀକାନ୍ତ ଗଲାନାହିଁ ଦେଉଳକୁ । ବରଡା ତାଟି ଆଉଜାଇ ଦେଇ ସେହି କୁଡ଼ିଆ ଭିତରେ ବସିରହିଲା । ଦୁଃଖ ବିପଦରେ ସନ୍ତୁଳି ହୋଇ ହୋଇ ମଣିଷ ବେଳେବେଳେ ଏମିତି ହୋଇଯାଏ ଯେ କାଠ ପାଷାଣଠାରୁ ବି ବଳିପଡ଼େ ତା' ଅବସ୍ଥା । ଦୁନିଆର ଭଲମନ୍ଦ, ସୁଖଦୁଃଖ, ଡରଭୟ କିଛି ସେ ଅନୁଭବ କରିପାରେନା । ସେ ହୋଇଯାଏ ମୂକ, ଜଡ଼, ସ୍ପନ୍ଦନହୀନ ।

ଶ୍ରୀକାନ୍ତର ଆଜି ସେହି ଅବସ୍ଥା । ନାନାଦି ଦୁଃଖ, ଦୁର୍ଦ୍ଦଶା, ଦୁର୍ବିପାକ ଭିତରେ ଘାଣ୍ଟି ହୋଇ ସେ ଏପରି ମ୍ରିୟମାଣ ହୋଇଯାଇଛି ଯେ ବାହ୍ୟଜ୍ଞାନ ତା’ର ଏତେ ଟିକିଏ ବି ନାହିଁ । ତୋଫାନ ଆସି ତା’ ସାନ କୁଡ଼ିଆଖଣ୍ଡିକର ପଞ୍ଜରା ଦୋହଲାଇ ଦେଲେ ବି ସେ ଜାଣିପାରୁନି କି ମଶାଣି ଭିତରେ ବିଲୁଆ କୁକୁରଗୁଡ଼ା ଭାଉ-ଭାଉ କରି ଉଠିଲେ ବି ସେ ଚମକି ପଡ଼ୁନି । ତା’ ମନରେ ଏକମାତ୍ର ଭାବନା । କମଳା, ରୋଗଶଯ୍ୟାରେ ମଳିନବେଶା, ପାଣ୍ଡୁରାମୁଖୀ ଦୁଃଖିନୀ କମଳା ।

କମଳା ତା’ର କିଏ ? କମଳା ତା’ର ପ୍ରାଣର ପ୍ରାଣ, ଜୀବନର ଜୀବନ, ହୃଦୟର ଜପାମାଳି, କମଳା ତାର ନୟନର ତାରା, ଆଶାର ଆଲୋକ, ପୁନେଇଁର ଚାନ୍ଦ କମଳା ତା’ର ସ୍ନେହରସାଥି, ଆଦରର ଧନ, ପ୍ରେମର ଗୋଲାପ; ପୁଣି କମଳା ତା’ର ଯୌବନର ସ୍ୱପ୍ନ, କବିର କଳ୍ପନା, ଜୀବନର କବିତା । ଖାଲି କ’ଣ ଏତିକି ? ନା, ନା, କମଳା ତା'ର ଜୀବନର ସର୍ବସ୍ୱ, ଅନ୍ଧର ଲଉଡ଼ି, ସର୍ବହରାର ଧ୍ରୁବତାର; କମଳା ତା'ର ସୁଖଦୁଃଖର ସଙ୍ଗିନୀ, ସ୍ନେହ ଆଦରର ରାଜାରାଣୀ, ପ୍ରେମର ମନ୍ଦାକିନୀ—ମାନସୀ ।

ଖାଲି କ’ଣ ଏତିକି ? ନା, ନା, ଆହୁରି କେତେ କ’ଣ । ପ୍ରକାଶ କରିବାକୁ ତା’ର ଭାଷା ନାହିଁ । ହୃଦୟରେ ଭାବ ପୂରିଗଲେ ଭାଷା ମିଳେନା ପ୍ରକାଶ କରିବାକୁ । ସେ କେମିତି କହିବ ‘କମଳା’ ତା’ର କିଏ ? ସେ ଭାବୁଛି ତା’ ପିଲାଦିନର କଥା । ପିଲାଟିଦିନରୁ ବାପା ମାଙ୍କୁ ହରାଇ ସେ କିପରି ଦୁନିଆର ସକଳ ସ୍ନେହ ଆଦର ସୁଖଶାନ୍ତିରୁ ବଞ୍ଚିତ ହୋଇଥିଲା, ଜୀବନର ପଦେ ପଦେ ବାଧା ବିପଦ ଦୁଃଖ ଅଶାନ୍ତି ପାଇଁ ପାଇଁ ତା’ ଜୀବନ କିପରି ସାହାରା ମରୁଭୂମିଭଳି ଶୁଷ୍କ ନୀରସ ହାହାକାରମୟ ହୋଇଉଠିଥିଲା, ଆଉ କମଳାର ପରଶ ପାଇଁ ଦିନ କେଇଟାରେ ସେହି ଶୁଷ୍କ ଜୀବନ କିପରି ହୋଇଉଠିଲା ସରସ, ସୁନ୍ଦର, କାନ୍ତ, କୋମଳ ।

କମଳା ମୁହଁକୁ ମୁହଁ ଚାହିଁ ଚାହିଁ ସେ ଭୁଲିଛି ଦୁନିଆର ସବୁ ଦୁଃଖ, ଜୀବନର ସବୁ ଜଞ୍ଜାଳ, ସଂସାରର ସବୁ ଜଟିଳତା ତା’ରି ହସ ହସ ମୁହଁ କୁ ଚାହିଁ ଚାହିଁ ସେ ଲେଖିଛି କେତେ କବିତା, ଦେଖିଛି କେତେ ସ୍ୱପ୍ନ, ଗଢ଼ିଛି କେତେ କଳ୍ପନା, ଆଜି ପୁଣି ଏ କ’ଣ ହେଉଛି ? କାହିଁକି ଏ ବିପଦ ? ପୁଣି କାହିଁକି ଏତେ ଅଶୁଭ ସୂଚନା ? ତା’ ହେଲେ କ’ଣ ? ନା, ନା, ସେ ଆଉ ଭାବିପାରେନା । ପେଟ-ଭିତରଟା ତା'ର ଘାଣ୍ଟି ଚକଟି ହୋଇଯାଏ । ମନଟା ତା’ର ହାହାକାର କରି ଉଠେ, ଅଜାଣତରେ ଦିଠୋପା ଲୁହ ଗଡ଼ିଆସି ଆଖିପତା ତାର ଓଦା କରିଦିଏ ।

ଏଣୁତେଣୁ କେତେ କ’ଣ ଭାବିଭାବି ଶ୍ରୀକାନ୍ତକୁ ଆସିଯାଇଛି ଟିକିଏ ତନ୍ଦ୍ରା । ସ୍ୱପ୍ନ ଦେଖିଛି ସେ—ରୋଗଶଯ୍ୟାରେ କମଳା । ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି, କଲବଲ ହେଉଛି, ଡହଳବିକଳ ହେଉଛି । ପୁଣି ବେଳେବେଳେ ବେଦନା ସହି ନ ପାରି ଅତି ବିକଳ ହୋଇ ଚିତ୍କାର କରି ଉଠୁଛି । ଦୁଃଖିନୀର କ୍ଷୁଦ୍ର କୋମଳ ହୃଦୟରେ କେତେ ଅସହ୍ୟ ବେଦନା; ଶୀର୍ଣ୍ଣ ପାଣ୍ଡୁର ମୁଖରେ କେତେ ଅସୀମ ଆକୁଳତା; ଅବଶ କୋଟରଗତ ଚକ୍ଷୁରେ କେତେ କରୁଣ ଲୋତକ ।

ଓଃ, ସେ କି କଷ୍ଟ ! ଛାତି ଫାଟିଯାଉଛି, ମୁଣ୍ଡ ଘୁରିଯାଉଛି, ଆଖିରୁ ନିଆଁହୁଳା ବାହାରିପଡ଼ୁଛି । ହାତ ହଲାଇବାକୁ ତାର ବଳ ନାହିଁ କି ପାଟି ଫିଟାଇବାକୁ ତାରଶକ୍ତି ନାହିଁ । ଖାଲି ଲୋତକବୋଳା କରୁଣ ଚକ୍ଷୁରେ ସେ ଏଣେତେଣେ ଥରକୁଥର ଚାହୁଁଛି—ସତେ ଯେମିତି ବିକଳ ହୋଇ କାହାକୁ ଖୋଜୁଛି । ବହୁତ ଖୋଜିଛି ସିଏ । ଜୀବନର ଶେଷ ସନ୍ଧ୍ୟାରେ, ଶେଷ ଶଯ୍ୟାରେ, ଅନ୍ତିମ ଶୟନ ରଚିବା ଆଗରୁ ବଡ଼ ଡହଳବିକଳ ହୋଇ ଅନେକ ଖୋଜିଛି ସିଏ । ଥରୁଟିଏ କେବଳ ଥରୁଟିଏ ଦେଖିବା ପାଇଁ ବଡ଼ କରୁଣପ୍ରାଣରେ କରୁଣ ଆଖିରୁ ଅଜସ୍ର ଲୁହ ଢାଳିଛି । କିନ୍ତୁ ପାଇନାହିଁ । ନିଷ୍ଠୁର ବିଧାତାର ନିର୍ମମ ଅଭିଶାପ । ଚକୁଆ ଚକୋଇ ଭଳି ଦୁହେଁ ଶେଷବେଳେ ଅଲଗା ହୋଇ ଯାଇଛନ୍ତି ।

ହଠାତ୍…...ହଠାତ୍ ପେଟ ଭିତରୁ ତାର ଆସିଛି ଗୋଟାଇ ତରୁଣ ଧକ୍କା । କଲିଜା ତାର ଫାଟିଯାଇଛି । ଆଖି ତାର ଫୁଟି ଯାଇଛି, ପାଟିବାଟେ ରକ୍ତ ଝଲକାଏ ବାହାରି ପଢ଼ିଛି । ତା'ପରେ-? ତା'ପରେ ସବୁ ଶେଷ । ତା'ପରେ ଆଖି ତାର ଶେଷଥର ପାଇଁ ମୁଦି ହୋଇଯାଇଛି । ଚାରିଆଡ଼ ହୋଇଯାଇଛି ଅନ୍ଧାର, ପୂର୍ଣ୍ଣ ଘର ହୋଇଯାଇଛି ଶୂନ୍ୟ ଆଉ ସେହି ଶୂନ୍ୟତା ଭିତରେ ଟାଣି ହୋଇଯାଇଛି ଗୋଟାଏ ଦୀର୍ଘ ଅସମାପିକା ।

ଶ୍ରୀକାନ୍ତର ଛାଇନିଦ ଚାଉଁକିନା ଭାଙ୍ଗିଗଲା—ଏଁ !! ସ୍ୱପ୍ନ ନା ସତ୍ୟ ? କମଳା କ’ଣ ତା’ହେଲେ ଚାଳଭିତରୁ ଝିଟିପିଟିଟାଏ ଟିକ୍‍ ଟିକ୍‍ କରିଉଠିଲା—ସତ୍ ସତ୍ ସତ୍ । ସେତେବେଳକୁ ଫରଚା ହୋଇଆସିଥିଲା । ଗୋଟାଏ ଦୀର୍ଘନିଶ୍ୱାସ ପକାଇ ମୁଣ୍ଡରେ ହାତ ବୁଲାଉ ବୁଲାଉ ଶ୍ରୀକାନ୍ତ କୁଡ଼ିଆ ତାଟି ଖୋଲିଲା ବାହାରକୁ ଆସିବ ବୋଲି । କିନ୍ତୁ ବାହାରକୁ ଆସି ଯାହା ଦେଖିଲା, ସେଥିରେ ତା’ ମନରେ ପ୍ରଥମେ ପାପ ଛୁଇଁଲା । ଏ ବଡ଼ି ଭୋରଟାରେ ଡାକ୍ତରଖାନା ଆଡ଼ୁ ଏତେ ଲୋକ ମଶାଣିଟାକୁ ଆସୁଛନ୍ତି କାହିଁକି ? ପୁଣି ସେମାନଙ୍କ ଭିତରେ କେତେଗୁଡ଼ିଏ ସ୍ତ୍ରୀ ଲୋକଙ୍କର କରୁଣ ରୋଦନ—ବିକଳ ଚିତ୍କାର ! ପୁଣି ଲୋକ ଗୁଡ଼ାଙ୍କ ମୁହଁରେ ସେହି ଅଶୁଭ ଶବ୍ଦ— ‘ରାମନାମ ସତ୍ୟ ହେ ’। ତା’ହେଲେ କ’ଣ ମଡ଼ା ?

ଜନତା ପାଖେଇ ଆସିଲା । କ୍ରନ୍ଦନର ରୋଳ ବଢ଼ି ଉଠିଲା । କୋକେଇ ବାଉଁଶ ଉପରେ ଶୋଇଥିବା ମଡ଼ାଟି ବି ସ୍ପଷ୍ଟ ଦେଖାଗଲା । ଶ୍ରୀକାନ୍ତର ମନରେ ସନ୍ଦେହ ବେଳକୁବେଳ ବଢ଼ିଲା । ସେ ଚାଲି ଚାଲି ହୋଇ କୁଡ଼ିଆ ପାଖରୁ ମଶାଣି ଆଡ଼କୁ ଆସିଲା ।

ଏଁ, ଏତ ତା’ ଶଶୁର—ବନମାଳୀ ବାବୁ । ତା’ ହେଲେ କ’ଣ ?

ଶ୍ରୀକାନ୍ତ ନିର୍ବାକ୍ । ସମସ୍ତେ ଚିହିଁ ପାରିଲେ । ମାଇପେଗୁଡ଼ା ଦଉଡ଼ି ଆସି ଶ୍ରୀକାନ୍ତକୁ ଧରି ଭୋ ଭୋ ଡକା ପାରିଲେ । ପୁରୁଷମାନେ ଠକ୍ ଠକ୍ କରି ଆଖିରୁ ଲୁହ ଗଡ଼େଇ ପକାଇଲେ । ଶ୍ରୀକାନ୍ତ ମୁହଁରେ ଭାଷା ନ ଥିଲା, ଛାତିରେ କୋହ ନ ଥିଲା କି ପିଣ୍ଡରେ ପ୍ରାଣ ନ ଥିଲା । ସେ ସବୁ ଦେଖୁଥିଲା, ସବୁ ଶୁଣୁଥିଲା, କିନ୍ତୁ ଚାରିଆଡ଼େ ତାକୁ ଅନ୍ଧାର । ସେ ନିରବ, ନିଶ୍ଚଳ, ନିଷ୍ପନ୍ଦ !

ମରାସାଙ୍ଗୀ ଭାଇମାନେ ମାଟି ଖୋଳି, କାଠ ସଜାଡ଼ି ଜୁଇ ତିଆରି କଲେ; ଆଉ ତେଲ, ହଳଦି, ଶଙ୍ଖା, ସିନ୍ଦୁର, ନୂଆଲୁଗା ପିନ୍ଧାଇ ଦେବାପାଇଁ ମଡ଼ା ମୁହଁରୁ ଲୁଗା କାଢ଼ିଲେ । ଶ୍ରୀକାନ୍ତ ଏତିକିବେଳେ ଚିତ୍କାର କରି ଦଉଡ଼ି ଆସିଲା ସେହି କୋକେଇ ବାଉଁଶ ପାଖକୁ ଆଉ ଲଥ କରି ପଡ଼ିଗଲା ସେହି ମଡ଼ା ଉପରେ ।

ଏଇ ତାର କମଳା, ଯାହାକୁ ଦେଖିବା ପାଇଁ ସେ ଏତେ ଦୁଃଖ ବିପଦ ସହି ସହି ଦଉଡ଼ି ଆସିଛି ଏତେ ଦୂରରୁ, ଯାହାପାଇଁ ସେ ଭୋକ ଉପାସରେ ରାତିସାରା ପଡ଼ିରହିଛି ଏହି ଅପନ୍ତରା । ମଶାଣି ଭୂଇଁରେ, ଆଉଁ ଯିଏ ତାର ଜୀବନର ସର୍ବସ୍ୱ, ସ୍ନେହ ଆଦର ଧନ, ହୃଦୟର ରାଜାରାଣୀ, ଇଏ ସେହି—ସେହି କମଳା । ନା, ନା, ଏ କମଳା ନୁହେଁ । ଏ କମଳାର ସରସ ଜୀବନ୍ତ କଥାକୁହା ପ୍ରତିମୂର୍ତ୍ତି ନୁହେଁ, ଏ କମଳାର ପାଷାଣ ପ୍ରାଣହୀନ ମାଟିପିତୁଳା ମୁର୍‍ଦାର୍‍ !। ଚିତ୍କାର କରି ଶ୍ରୀକାନ୍ତ ଲୋଟିପଡ଼ିଲା ସେହି ମୁର୍‍ଦାର୍‍ ଉପରେ ।

ନିୟତିର ଗତି ଅତି ବିଚିତ୍ର । କମଳାକୁ ଦେଖିବା ପାଇଁ ନଈ ପାରି ହେବ ବୋଲି ଶ୍ରୀକାନ୍ତ ବ୍ୟସ୍ତ ବିକଳ ହୋଇ ଲୋଟି ଯାଉଥିଲା ଭୂଇଁରେ, ଅଥଚ କମଳା ନଈ ଏପାରି ଡାକ୍ତରଖାନାରେ ଥିଲା । ତାଙ୍କ ମଝିରେ ନଥିଲା ଭରା ନଈ, ନଥିଲା ଦୂର ପଥ କି ନଥିଲା କିଛି ବାଧାବନ୍ଧନ । ତଥାପି କେହି କାହାକୁ ଦେଖିପାରିଲେ ନାଇଁ ଶେଷବେଳେ । ଏତେ ଆଶାରେ ଧାଇଁ ଆସିଥିଲା ଶ୍ରୀକାନ୍ତ,ରୋଗଶଯ୍ୟାରେ କମଳାର କୋମଳ ପାଣ୍ଡୁର ମୁଖ କିନ୍ତୁ ଦେଖିପାରିଲିନାହିଁ । ବୁଢ଼ାବଳଙ୍ଗ ନଈକୂଳର ବାଲିଘାଟ ମଶାଣିରେ ଜଳନ୍ତା ଜୁଇ ଉପରେ ଦେଖିଲା କମଳାର ମାଟିଦେହ—ମୁର୍‍ଦାର୍‍ !!

ପାଗଳ ହୋଇ ଯାଇଥିଲା ଶ୍ରୀକାନ୍ତ । ଅନ୍ଧ ହୋଇଯାଇଥିଲା ଶବକୁ ଧରି । ଅତି ବିକଳ ହେଇ ଚିତ୍କାର କରୁଥିଲା । ପ୍ରଳାପ — ପ୍ରଳାପ ଖାଲି । —ନିଷ୍ଠୁର ଭଗବାନ ! ନିର୍ଦ୍ଦୟ ଭଗବାନ ! ଏଇ ତମର କରୁଣା ? ଏଇ ତମର ସ୍ନେହ, ପ୍ରେମ, କ୍ଷମାର ଅସରନ୍ତି ଭଣ୍ଡାର ? ଚକାଡ଼ୋଳା ତମେ, ଦୁନିଆର ସବୁ କଥା ତମେ ଦେଖିପାର । ମୋ ଦୁଃଖ ଏମିତି ଦେଖିଲା ? ଏମିତି ବୁଝିଲ ପ୍ରଭୋ ? ସୁଦର୍ଶନ ଚକ୍ର ଫିଙ୍ଗିଲ ମୋ ମଥା ରଖିବାକୁ ନା ମୋ ମଥା କାଟିନେବାକୁ ? ମୋ ଭଳି ଅକିଞ୍ଚନକୁ ଦଳିଦେବାକୁ, ଚିପି ଦେବାକୁ ତମର ହାତ ଗଲା କେମିତି ? ମୋ ବେକ ମୋଡ଼ିଦେବାକୁ ପୁଣି ତମେ ଟେକିଲା ବଳିୟାର ଭୁଜ ? ତମକୁ ଲାଜ ମାଡ଼ିଲା ନାହିଁ ? ତମ ମୁଣ୍ଡ ଛିଡ଼ି ପଡ଼ିଲା ନାହିଁ ଦୁଃଖରେ ? ଲଜ୍ଜ୍ୟାରେ ? କାହିଁକି କୋଉଥି ପାଇଁ ଏ ଦଣ୍ଡ ? କି ପାପ ମୁଁ କରିଥିଲି ? କାହା ତଣ୍ଟିରେ ମୁଁ ଖୁର ଦେଇଥିଲି କଂସେଇ ଭଳି ? କୁହ ପ୍ରଭୋ, ପଥର ହେଇ ବସିରହିଲ କିଆଁ ? ଶୋଇରହିଲ କିଆଁ ? କୁହ—କୁହ । ସେ ଭୋ ଭୋ କାନ୍ଦି ପୁଣି ଲୋଟିପଡ଼ିଲା, ବାରମ୍ବାର ମୁଣ୍ଡ ପିଟିଲା ଶବ ଉପରେ ।

 

ଅନ୍ଧଟିଏ ବୋଧେ, ମଶାଣି ପାଖ ଜଗନ୍ନାଥ ଦେଉଳରେ ଆରତଭଞ୍ଜନଙ୍କ ଆଗରେ ଭଜନଟିଏ ଧରିଥାଏ—

‘ଜଗତ ଅନୁରାଗେ ଜାତ

ଅବନୀଭାଗେ ବୋଲାଅ ଜଗତର ନାଥ,

ଜଗତ ଜନଙ୍କର ଭିତରୁହିଁ ବାହାର

ମୁହିଁ କି କାରଣେ ଅନାଥ ହେ ମହାପ୍ରଭୋ !

ଜଗନ୍ନାଥ ନାମ ବହିବ

ଜନ ଆରତ ନ ସହିବ ।

ଜଗତପତି ହୋଇ ଅନୀତି କଲାଠାଈଁ

କହ କେ କା’ ଆଗେ କହିବ ହେ ମହାପ୍ରଭୁ ?

ଲାଲ ଜୁଈ ଜଳି ଉଠିଲା । ମାହାଳ ଗଛ ଉପରୁ କପୋତଟିଏ କରୁଣ ସ୍ୱରରେ ବାହୁନି ଉଠିଲାମାଣ ପୂରିଲାରେ ପୁତ ! ସେର ପୂରିଲାରେ ପୁତ ! ଉଠ୍, ଉଠ୍, ଉଠ୍ ।

ଜାନୁଆରୀ,୧୯୪୮

କଲିକତା

ଗଳ୍ପଟି ‘ମୁରଦାର୍‍’ ନାମକରଣରେ ୧୯୪୯ ମସିହା ‘ସହକାର’ ରେ ପ୍ରଥମେ ପ୍ରକାଶିତ ।

Image